ରାଉରକେଲା,୦୨/୦୨:  ହକି ଇଣ୍ଡିଆ ଲିଗ୍‌ରେ ଜଣେ କୁନି ବିସ୍ମୟ ଟୁର୍ଣ୍ଣାମେଣ୍ଟର ପ୍ରଚାର ପ୍ରସାର  ଦାୟିତ୍ୱରେ ରହିଥିଲେ । ତାଙ୍କୁ ହକି ଇଣ୍ଡିଆ ପକ୍ଷରୁ ବିଶେଷ ପାସ୍‌ ପ୍ରଦାନ  କରାଯାଇଥିଲା । ସେ ହେଉଛନ୍ତି ୯  ବର୍ଷୀୟ ତର୍ସ ଲାଇଚେଟୀ । ବାପା  ଦିନେଶ ଲାଇଚେଟୀ ହେଲେ ରାଉରକେଲାର ଅଧିବାସୀ । ମା’  ଜଜେଲା ଆଫ୍ରିକୀୟ । ଆଙ୍ଗୋଲାରେ  ତାଙ୍କ ଘର । ତର୍ସ ବାପାଙ୍କ ସହ  ରାଉରକେଲା ବାସନ୍ତୀ କଲୋନୀରେ  ରହୁଛନ୍ତି । ସେ ଦ୍ୱିତୀୟ ଶ୍ରେଣୀରେ  ଏକ ଘରୋଇ ସ୍କୁଲରେ ପଢ଼ୁଛନ୍ତି । 

ତର୍ସଙ୍କ ବିଶେଷତ୍ୱ ହେଉଛି, ବାପା  ଦିନେଶ ଓ ମା’ ଜଜେଲା ତାଙ୍କ ନାମରେ  ଇନଷ୍ଟାରେ ଏକ ଆକାଉଣ୍ଟ ଖୋଲିଛନ୍ତି ।  ଯାହାର ନାମ ରଖିଛନ୍ତି ‘ଆଫ୍ରିକା  ଟୋକା’ । ଖୁବ ଅଳ୍ପ ଦିନରେ ତାଙ୍କର  ୩୮.୪ ହଜାର ଅନୁଗାମୀ ହେଲେଣି ।  

ତର୍ସ ୫ଟି ଭାଷା ଯଥା ଓଡ଼ିଆ,  ଇଂରାଜୀ, ହିନ୍ଦୀ, ସ୍ପାନିଶ ଓ ପର୍ତ୍ତୁଗିଜ  ବେଶ ପ୍ରାଞ୍ଜଳ ଭାବେ କହି ପାରୁଛନ୍ତି । ଦିନେଶ ଏବେ ଚୀନରେ ଚାକିରି  କରନ୍ତି । ପିଲାମାନଙ୍କୁ ଏଠାରେ ରଖି  ପାଠ ପଢ଼ାଉଛନ୍ତି । ସେ କହିଛନ୍ତି,  ‘ମୁଁ ରାଉରକେଲାର ଅଧିବାସୀ । ମୋ  ବାପା ଏଠାରେ ଚାକିରି କରୁଥିଲେ । ମୁଁ ଜଜେଲାଙ୍କୁ ବିବାହ କରିବା ପରେ  ଆମର ଦୁଇଟି ସନ୍ତାନ । ସେମାନେ  ଏଠାରେ ପାଠ ପଢ଼ୁଛନ୍ତି ।’ 

ତର୍ସ ହକି, ଫୁଟବଲ ଖେଳକୁ  ଭଲ ପାଆନ୍ତି । ଲିଓନେଲ ମେସି  ତାଙ୍କର ପ୍ରିୟ ଖେଳାଳି । ସେ  କହିଛନ୍ତି, ‘ଫୁଟବଲ ମୋର ଅତି  ପ୍ରିୟ । ହକି ମଧ୍ୟ ଖେଳିବାକୁ ଭଲ  ପାଏ । ଇନ୍‌ଷ୍ଟାରେ ମୋର ୩୮.୪  ହଜାର ଅନୁଗାମୀ ଅଛନ୍ତି । ଏହାକୁ  ୧ ମିଲିୟନ କରିବାକୁ ଚାହେଁ । ମେସି ହେଉଛନ୍ତି ମୋର ପ୍ରିୟ ଖେଳାଳି ।’ 

ଅନର୍ଗଳ ଓଡ଼ିଆ ଓ ହିନ୍ଦୀ  ଦେଶାତ୍ମକ ଗୀତ ଗାନ କରିପାରୁଛନ୍ତି  ତର୍ସ  । ‘ଏଇ ଦେଶ ଏଇ ମାଟି...’  ଗାନ କରି ସେ ଶୁଣାଇଥିଲେ । ‘ହକି ଇଣ୍ଡିଆ ମୋତେ ହକି ଇଣ୍ଡିଆ ଲିଗର  ପ୍ରଚାର ପ୍ରସାର କରିବାକୁ ସୁଯୋଗ  ଦେଇଥିବାରୁ ମୁଁ ଖୁସି ରହିଛି ବୋଲି  ତର୍ସ କହିଛନ୍ତି ।