ରାଜଗାଙ୍ଗପୁର ୧୭/୧୨: ଜୁନିଅର ପୁରୁଷ ହକି ବିଶ୍ୱକପରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ଓଡିଆ ପୁଅ ଅନମୋଲ ଏକ୍କା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କେଶ୍ରାମାଲ ପଞ୍ଚାୟତର ଫରର୍ସା ଢ଼ିପାଗ୍ରାମର ଅନମୋଲଙ୍କୁ ସ୍ୱାଗତ ପାଇଁ ଚାହିଁ ରହିଥିଲା ତାଙ୍କ ଜନ୍ମମାଟି । ଆଜି ସେ ନିଜ ଘରକୁ ଫେରିଛନ୍ତି।

ପୁଅକୁ ଚାହିଁ ରହିଥିଲେ ମା ମମତା ଏକ୍କା, ବାପା ତହସିଲ ଏକ୍କା , ସ୍ତାନୀୟ ସରପଞ୍ଚ ବିନୟ ଭୂଷଣ ବାର୍ଲା , ପରିବାର ଓ ସାହି ପଡିଶାଙ୍କ ସମେତ ଗାଁ ଲୋକ । ଆଜି ସକାଳୁ ଜନ୍ମମାଟିରେ ପହଞ୍ଚିବା ପରେ, ଆଦିବାସୀ ପରମ୍ପରାରେ ସ୍ୱାଗତ କରିବା ସହ ଘରକୁ ପାଛୋଟି ନେଇଥିଲେ ସ୍ଥାନୀୟ ବାସିନ୍ଦା । ଦେଶ ପାଇଁ ପଦକ ଜିତି ଘରକୁ ଫେରିଥିବାରୁ ବେଶ୍ ଖୁସି ଥିଲେ ପରିବାର ଓ ଗାଁ ଲୋକେ । ପୁଅର ସଫଳତାକୁ ନେଇ ଗର୍ବ ଅନୁଭବ କରିବା ସହିତ ଆଜି ଘରକୁ ଫେରିବା ପରେ ବାପାମା ଖୁସି ବ୍ୟକ୍ତ କରିଛନ୍ତି । ତେବେ ଆଗକୁ ସିନିୟର ହକିରେ ଦେଶ ପାଇଁ ଖେଳି ଜିଲ୍ଲା, ରାଜ୍ୟ ପାଇଁ ସୁନାମ ଆଣିବାକୁ ଅଧିକ କଠିନ ପରିଶ୍ରମ କରିବେ ବୋଲି ହକି ଖେଳାଳୀ ଅନମୋଲ ଉଲ୍ଲେଖ କରିଛନ୍ତି ।