ଭୁବନେଶ୍ୱର, ୨୮/୦୨ : ଆସୁଛି ହୋଲି । ରାସ୍ତାଘାଟରେ ଖୋଲିଲାଣି ରଙ୍ଗର ବଜାର। କିନ୍ତୁ ସବୁଠି ବିକ୍ରି ହେଉଛି ହର୍ବାଲ ରଙ୍ଗ। ଯେଉଁ ଦୋକାନରେ ପଚାରିବେ ହର୍ବାଲ ଅବିର ଦେଉଥିବା କହୁଛନ୍ତି । ହୋଲିରେ ରାସାୟନିକ ରଙ୍ଗକୁ ନା... ଅର୍ଥାତ୍ ରାସାୟନିକ ରଙ୍ଗରେ ହୋଲି ଖେଳିବା ନିଷେଧ ଥିବାରୁ ସମସ୍ତେ ହର୍ବାଲ ହୋଲି ବିକ୍ରି କରୁଛନ୍ତି । ବଡ଼ ବଡ଼ ପ୍ୟାକେଟ୍ରେ ବିକ୍ରି ହେଉଛି ହର୍ବାଲ ରଙ୍ଗ । ଏଥିରେ ଲେଖା ମଧ୍ୟ ଯାଉଛି ଏହା ଶରୀର ପାଇଁ କ୍ଷତିକାରକ ନୁହେଁ । ଆହୁରି ମଧ୍ୟ ରହୁଛି ପ୍ଲେ ହୋଲି ନ୍ୟାଚୁରାଲି ।
ପ୍ରଶ୍ନ ଉଠୁଛି କେମିତି ଜାଣିବା ଏହି ସବୁ ରଙ୍ଗ ପ୍ରାକୃତିକ? ଏହା ଶରୀର ପାଇଁ କ୍ଷତିକାରକ ନା ନୁହେଁ? କାରଣ ପ୍ୟାକେଟ୍ରେ ବିକ୍ରି ହେଉଥିବା ଏହି ରଙ୍ଗକୁ ଯଦି ହାତରେ ଧରିବା ତାହାଲେ ବାସ୍ନା ମହକି ଉଠୁଛି । ତା’ସହିତ ଏହାର ଗାଢ଼ ରଙ୍ଗ ଦେଖିଲେ ଲାଗିବନି ଏହା ହର୍ବାଲ ବୋଲି । ହର୍ବାଲ୍ ହାଲିରେ ଖାଦ୍ୟ ସାମଗ୍ରୀ, ଫୁଲ ଏବଂ ଔଷଧିରୁ ପ୍ରାପ୍ତ ୧୦୦% ପ୍ରାକୃତିକ, ଅଣ-ବିଷାକ୍ତ ଏବଂ ଜୈବିକ ରଙ୍ଗ ବ୍ୟବହାର କରାଯାଇଥାଏ । ଯାହା ଚର୍ମ ଓ ପରିବେଶ- ଅନୁକୂଳ । ହର୍ବାଲରେ ହଳଦୀ, ଚନ୍ଦନ, ଗେଣ୍ଡୁ ଫୁଲ, ବିଭିନ୍ନ ଗଛର ପତ୍ର, ବିଟ୍, ଗାଜର ଭଳି ଅନେକ ଫୁଲ ଫଳ ଆଦି ପ୍ରାକୃତିକ ସାମଗ୍ରୀକୁ ପାଉଡର କରି ପ୍ରସ୍ତୁତ କରାଯାଏ । କିନ୍ତୁ ବଜାରରେ ମିଳୁଥିବା ଏହି ରଙ୍ଗରେ ସେମିତି କିଛି ସାମଗ୍ରୀର ଉପାଦାନ ନାହିଁ। ଏହାକୁ ଯାଞ୍ଚ କରିବାକୁ ମଧ୍ୟ କେହି ନାହାନ୍ତି ।
ଏପଟେ ରାସାୟନିକ ରଙ୍ଗ ବିକ୍ରି ଉପରେ କଟକଣା ଲାଗୁ ହୋଇଥିଲାବେଳେ ଭୁବନେଶ୍ୱରର ବହୁ ରଙ୍ଗ ଦୋକାନରେ ବେଧଡ଼କ ବିକ୍ରି ହେଉଛି ରାସାୟନିକ ରଙ୍ଗ। ମୁଣ୍ଡଫଟା, ଗ୍ରାନିୟର ପାଉଡରକୁ ନେଇ ପ୍ରସ୍ତୁତ ରଙ୍ଗ ବିକ୍ରି ହେଉଛି । ୫୦ଟଙ୍କାରେ ମିଳୁଥିବା ଏହି ମୁଣ୍ଡଫଟା ରଙ୍ଗ ୫ଦିନ ଯାଏ ବି ଦେହରୁ ଛାଡ଼ିବନି । ବାର୍ନିସ୍ ପାଉଡର ଓ ବାର୍ନିସ୍ କ୍ରିମ୍ ବି ଅତିକମ୍ରେ ୩ଦିନ ରହିବ ବୋଲି କହି ଦୋକାନୀ ଲୁଚା ଛପାରେ ବିକ୍ରି କରୁଛନ୍ତି । ତା’ସହିତ ହର୍ବାଲ ରଙ୍ଗରେ ରହିଛି ସିଲ୍କ ଗୁଲାଲ୍ -ଛୋଟ ପ୍ୟାକେଟ୍ ୨୦ ଟଙ୍କା, ହର୍ବାଲ ୱାଟର କଲର୍-ଗୋଟିଏ ପ୍ୟାକେଟ୍ ୩୦ଟଙ୍କା, ହର୍ବାଲ ଫଗୁ ପ୍ୟାକେଟ୍ରେ ୫ ପ୍ରକାରର ରଙ୍ଗ ବିକ୍ରି କରାଯାଉଛି । ପୂର୍ବରୁ ହୋଲିରେ ବ୍ୟବହାର ହେଉଥିବା ଫଗୁ ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ହେଉଥିଲା । ଏସବୁ ଶରୀରରେ ଭଲ ପ୍ରଭାବ ପଡ଼ୁଥିଲା । ବର୍ତ୍ତମାନର ରଙ୍ଗ ବ୍ୟବହାର କଲେ ବିଭିନ୍ନ ଚର୍ମ ରୋଗ ହେବାର ଆଶଙ୍କା ରହୁଛି ।
ଏହି ଖବରଟିକୁ ପଢନ୍ତୁ- ମଙ୍ଗଳବାର ଦୋଳପୂର୍ଣ୍ଣମୀ: ଦୋଳବେଦିରେ ଲାଗିବ ୨୧ ଚାନ୍ଦୁଆ, ଫଗୁ ଖେଳରେ ଏକାକାର ହେବେ ଭକ୍ତ ଓ ଭଗବାନ