ଭୁବନେଶ୍ୱର,୩୧/୦୫:  ରଥଯାତ୍ରା ହେଉ କି ବିଧାନସଭା, ସବୁ  ଆଇନ୍‌ ଶୃଙ୍ଖଳା କିମ୍ବା ପାଟ୍ରୋଲିଂ ସବୁଠି  ହୋମ୍‌ଗାର୍ଡ(ଗୃହରକ୍ଷୀ) । ପୁଲିସ୍‌ ସହ  କାନ୍ଧରେ କାନ୍ଧ ମିଶାଇ କାମ କରୁଛନ୍ତି ।  ଖାଲି ସେତିକି ନୁହେଁ ବଡ଼ ବାବୁ(ବରିଷ୍ଠ  ପ୍ରଶାସନିକ ଅଧିକାରୀ)ଙ୍କ ଘରେ  ବି ଏମାନେ ଗଧ ଖଟିଣି ଖଟୁଛନ୍ତି ।  ତଥାପି ଏମାନେ ନିର୍ଯାତିତ । ଯେଉଁଭଳି  ଭାବରେ ସେମାନେ ପରିଶ୍ରମ କରୁଛନ୍ତି  ସେଭଳି ପ୍ରାପ୍ୟ ପାରିଶ୍ରମିକ ସେମାନଙ୍କୁ  ମିଳୁନାହିଁ । ବାବୁ ଏମାନଙ୍କୁ ଗୋତି ଶ୍ରମିକ ଭଳି ଖଟାଉଛନ୍ତି । ହେଲେ ଛୁଟିରେ  ରହିଲେ ଦରମା ନାହିଁ । ପୁଲିସ୍‌ର ହାତ ଗୋଡ ସାଜିଥିବା ହୋମ୍‌ଗାର୍ଡମାନଙ୍କର ଏବେ ଦୟନୀୟ ସ୍ଥିତିରେ ।  

ରାଜ୍ୟରେ ୨୦ ହଜାର ୧୭୫  ମଞ୍ଜୁରୀପ୍ରାପ୍ତ ଗୃହରକ୍ଷୀ ପଦ ରହିଛି ।  ବର୍ତ୍ତମାନ ପ୍ରାୟ ୧୮ ହଜାରରୁ ଅଧିକ  ଗୃହରକ୍ଷୀ ଅଛନ୍ତି । ଯେଉଁମାନେ  ଆଇନ ଶୃଙ୍ଖଳା, ପାଟ୍ରୋଲିଂ, ବିପର୍ଯ୍ୟୟ  ପରିଚାଳନା, ରଥଯାତ୍ରା ଟ୍ରାଫିକ୍‌ ନିୟନ୍ତ୍ରଣ  କରିବାରେ ପ୍ରମୁଖ ଭୂମିକା ଗ୍ରହଣ  କରୁଛନ୍ତି । ଜଣେ ଗୃହରକ୍ଷୀ ତିନି ବର୍ଷ  ପାଇଁ ନିୟୋଜିତ ହୁଅନ୍ତି । ତାଙ୍କ ସେବା ଅବଧି ତାଙ୍କ ବରିଷ୍ଠ କର୍ମଚାରୀଙ୍କ ଦ୍ୱାରା  ବୃଦ୍ଧି କରାଯାଇଥାଏ । ବର୍ଷକୁ ପ୍ରାୟ ୪  ଶହରୁ ୫ ଶହ ଗୃହରକ୍ଷୀଙ୍କୁ ବହିଷ୍କାର  କରାଯାଏ । କାରଣ ଏମାନଙ୍କର ସରକାରୀ  କର୍ମଚାରୀଙ୍କ ଭଳି ଅବସର ବ୍ୟବସ୍ଥା  ନଥାଏ । ଗୃହରକ୍ଷୀମାନଙ୍କୁ କତ୍ତୃ ର୍ପକ୍ଷ  ଯେକୌଣସି ସମୟରେ ସେବାରୁ  ବହିଷ୍କାର କରିପାରିବେ ।  

ସରକାରୀ କର୍ମଚାରୀ ଏବଂ ଅନ୍ୟାନ୍ୟ  ସୁବିଧା ସହିତ ମାସିକ ଦରମା ପାଉଥିବା  ପୁଲିସ୍‌ କର୍ମଚାରୀଙ୍କ ପରି ନୁହେଁ,  ହୋମଗାର୍ଡ ଯେତିକି ଦିନ ଡ୍ୟୁଟି କରିବେ  ସେତିକି ଦରମା ପାଇବେ । ବର୍ତ୍ତମାନ,  ଗୃହରକ୍ଷୀଙ୍କୁ  ଡ୍ୟୁଟିରେ ଯୋଗଦେଲେ  ଦୈନିକ ୬୩୯ ଟଙ୍କା ହିସାବରେ ଦରମା  ପାଉଛନ୍ତି । ଏହା ବ୍ୟତୀତ ସେମାନଙ୍କ  ପାଇଁ ଅନ୍ୟ କୌଣସି ସୁବିଧା, ଭତ୍ତା  ଏବଂ ଅବସରକାଳୀନ ସୁବିଧା ନାହିଁ ।  ସବୁଠାରୁ ବଡ଼ କଥା ହେଲା ଯେଉଁ କାମ  ହୋମ୍‌ଗାର୍ଡ କରୁଛନ୍ତି ସେହି କାମ ପୁଲିସ୍‌  କନଷ୍ଟେବଳ ଓ ହାବିଲ୍‌ଦାର ବି କରୁଛନ୍ତି । ହୋମଗାର୍ଡଙ୍କ ତୁଳନାରେ ପୁଲିସ୍‌  କର୍ମଚାରୀମାନଙ୍କୁ ୨/୩ ଗୁଣା ଅଧିକ  ଦରମା ଓ ଅନ୍ୟାନ୍ୟ ସୁବିଧା ଦିଆଯାଉଛି ।  

 ୭୦% ପୁଲିସ ଗାଡ଼ି ଚଳାଉଛନ୍ତି ହୋମ୍‌ଗାର୍ଡ

ପୁଲିସ୍‌ ବିଭାଗର ୬୭୦୧ ଗାଡ଼ିରୁ  ୭୦% ହୋମ୍‌ଗାର୍ଡ ଚଳାଉଛନ୍ତି । ଖାଲି  ସେତିକି ନୁହେଁ ରାଜ୍ୟରେ ଥିବା ସବୁ  ଥାନାର ପାଟ୍ରୋଲିଂ ଗାଡ଼ିରେ ମଧ୍ୟ  ହୋମ୍‌ଗାର୍ଡ ଡ୍ରାଇଭର । ଖାଲି ସେତିକି  ନୁହେଁ ଇନ୍ସପେକ୍ଟରଙ୍କଠାରୁ ଆରମ୍ଭ  କରି ଏଏସ୍‌ପି ପର୍ଯ୍ୟନ୍ତ ସମସ୍ତଙ୍କ ଗାଡ଼ି  ଚାଳକ ବି ହୋମ୍‌ଗାର୍ଡ । ଅନେକ  ଆଇପିଏସ୍‌ଙ୍କ ଏଫ୍‌ଓ ଏବଂ ଘରୋଇ  କାର୍ଯ୍ୟରେ ସେମାନେ ନିଯୁକ୍ତ । ଅନେକ  ହୋମ୍‌ଗାର୍ଡ ଥାନାରେ ଓ ଅଫିସ୍‌ରେ  କମ୍ପ୍ୟୁଟର କାମ ମଧ୍ୟ କରୁଛନ୍ତି । ହେଲେ  ତାଙ୍କ ପ୍ରତି ବିଭାଗର ଅଧିକାରୀମାନେ  ଗୋତି ଶ୍ରମିକ ଭଳି ଆଚାରଣ କରୁଛନ୍ତି ।  ଜଣେ ହୋମଗାର୍ଡ଼ଙ୍କ କହିବା ଅନୁସାରେ  ଯେଉଁଠି ପୁଲିସ୍‌ କର୍ମଚାରୀମାନେ ଭୁଲ୍‌  କରିବେ ସେଠାରେ ଯଦି ହୋମ୍‌ଗାର୍ଡ  ଡ୍ୟୁଟିରେ ଥିବ ତା’ହେଲେ ପ୍ରଥମ କାର୍ଯ୍ୟାନୁଷ୍ଠାନ ହୋମ୍‌ଗାର୍ଡଙ୍କ ଉପରେ  ହେବ । ପୁଲିସ୍‌ କର୍ମଚାରୀମାନେ  କିଛି ଦିନ ନିଲମ୍ବିତ ହେବେ । ପୁଣି  ଚାକିରିକୁ ଫେରିବେ । ହେଲେ  ହୋମ୍‌ଗାର୍ଡଙ୍କୁ ଆଉ ଚାକିରି ମିଳିବ ନାହିଁ । ଏମିତି ଅନେକ ନଜିର ରହିଛି ।  

ଦୈନିକ ଦରମା ୬୩୯ ଟଙ୍କା

୨୦୧୭ ପର୍ଯ୍ୟନ୍ତ ହୋମଗାର୍ଡଙ୍କୁ  ଦିନକୁ ୨ଶହ ଟଙ୍କା ମିଳୁଥିଲା । ସବୁ  ଦିନ କାମ କଲେ ୬ ହଜାର ଟଙ୍କା  ଦରମା ମିଳୁଥିଲା । ବହୁ ଧର୍ମଘଟ ପରେ  ୨୦୧୮ରେ ଦରମା ବଢ଼ି ଦୈନିକ ୩ ଶହ  ଟଙ୍କା ହେଲା । ୨୦୨୦ରେ ହୋମ୍‌ଗାର୍ଡଙ୍କ  ନିଯୁକ୍ତି ବନ୍ଦ କରି ଦେଇଥିଲେ ସରକାର ।  ଯେଉଁମାନେ ଥିଲେ ସେମାନେ ଧାରଣ,  କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପରେ  ୨୦୨୨ରେ ସେମାନଙ୍କୁ ଦିନକୁ ୪୧୬  ଟଙ୍କା ମିଳିଲା । ହେଲେ ସର୍ତ୍ତ ବଦଳିଲା  ନାହିଁ । ଅର୍ଥାତ କାମ ନ କଲେ ଦରମା  ନାହିଁ । ୨୦୨୩ରେ ଦିନକୁ ୫୩୩ ଟଙ୍କା  ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ ।  ୨୦୨୫ରେ ଦୁଇ ଥର ଦରମା ବଢ଼ି ଏବେ  ଦୈନିକ ୬୩୯ରେ ପହଞ୍ଚିଛି ।  

ଅଧିକ ପଢ଼ନ୍ତୁ :-  Jatra Controversy: ଯାତ୍ରାପାର୍ଟି ହିରୋଇନ୍‌ କରିବାକୁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଟଙ୍କା ନଦେବାରୁ ଅଶ୍ଲୀଳ ଭିଡ଼ିଓ ଭାଇରାଲ ଧମକ

କମିଶନରେଟ୍‌ ପୁଲିସ୍‌ରେ ଯଦି  ଦୁର୍ଘଟଣାରେ ଜଣେ କନଷ୍ଟେବଳର  ମୃତ୍ୟୁ ହେଉଛି ତା’ହେଲେ ତାକୁ ବ୍ୟାଙ୍କ୍‌  ବୀମା ବାବଦକୁ ୧ କୋଟି ଟଙ୍କା ମିଳୁଛି ।  ହେଲେ ହୋମ୍‌ଗାର୍ଡଙ୍କୁ ଟଙ୍କା ଟିଏ ବି  ମିଳୁନାହିଁ ।କିନ୍ତୁ  ପରିତାପର ବିଷୟ  ସବୁଦିନ ଡ୍ୟୁଟିରେ ହୋମ୍‌ଗାର୍ଡଙ୍କୁ ବଡ଼  ବାବୁମାନଙ୍କ ରୋଷର ଶିକାର ହେବାକୁ  ପଡ଼ିଥାଏ । ବଡ଼ବାବୁଙ୍କ ଘରେ ଏମିତି  କୌଣସି କାମ ନାହିଁ ଯାହାକୁ ସେମାନେ  ହୋମଗାର୍ଡଙ୍କ ଦ୍ୱାରା କରାଉନାହାନ୍ତି ।  ହେଲେ ଏମାନଙ୍କ ପାଇଁ କିଛି ନାହିଁ ।