ପୁରୀ: ମହଙ୍ଗା ପଡ଼ିଲା ଯୁବତୀଙ୍କ ଅନ୍ତରଙ୍ଗ ଫଟୋ ଏବଂ ଭିଡିଓ ଭାଇରାଲ୍ କରିବା । ଅଭିଯୁକ୍ତ ଅମନ ରଜାକ ଦୋଷୀ ସାବ୍ୟସ୍ତ । ଜଗତସିଂହପୁର ଏଡିଜେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଘୋଷଣା କରିଛନ୍ତି । ମାଲକାନଗିରିର ଅମନ ରଜାକକୁ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପୁରୀ ଜିଲ୍ଲାରେ ଅସ୍ତରଙ୍ଗ ଗାଁର ଜଣେ ଯୁବତୀଙ୍କ ବ୍ୟକ୍ତିଗତ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ କରିଥିଲା ଅଭିଯୁକ୍ତ ଅମନ ରଜାକ । ସାଇବର ଥାନା ପୁଲିସ ୨୦୨୧ ଡିସେମ୍ବର ମାସରେ ଅଭିଯୁକ୍ତକୁ ନବରଙ୍ଗପୁର ଜିଲ୍ଲା କରେଲି ଥାନା ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଗାଁର ଜଣେ ଯୁବତୀ ଜଗତସିଂହପୁର ଜିଲ୍ଲା ପାରଦୀପର ଇଫକୋ ଟାଉନସିପ୍ ଅଞ୍ଚଳରେ ନିଜ ପରିବାର ସହିତ ରହୁଥିଲେ । ଯୁବତୀ ଜଣକ ଯୁକ୍ତ ଦୁଇ ପରେ ମେଡିକାଲ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ତାଙ୍କର ଅମନ ରଜାକ ନାମଙ୍କ ଜଣେ ଯୁବକଙ୍କ ସହିତ ସୋସିଆଲ୍ ମିଡିଆରେ ସାକ୍ଷାତ ହୋଇଥିଲା । ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା । ଉଭୟେ ଇନଷ୍ଟାଗ୍ରାମରେ ଚାଟ୍ କରୁଥିଲେ । ଧୀରେ ଧୀରେ ସମ୍ପର୍କ ଘନିଷ୍ଠ ହେବାକୁ ଲାଗିଥିଲା । ୨୦୨୧ ମସିହାରେ ବନ୍ଧୁତା ବଢ଼ିବା ପରେ ଉଭୟ ଉଭୟଙ୍କର ଇଷ୍ଟାଗ୍ରାମ ଲଗଅନ୍ ଆଇଡି ଏବଂ ପାସ ଓ୍ବାର୍ଡ ସେୟାର କରିଥିଲେ । ଏହି ସମୟରେ ଅଭିଯୁକ୍ତ ଅମନ ରଜାକ ଯୁବତୀଙ୍କ କିଛି ଅନ୍ତରଙ୍ଗ ଏବଂ ଭିଡିଓ ଫଟୋ ସେୟାର କରିବାକୁ କହିଥିଲେ । ଯୁବତୀ ଜଣଙ୍କ ବିଶ୍ବାସ କରି ଅମନକୁ କିଛି ଫଟୋ ଏବଂ ଭିଡିଓ ଦେଇଥିଲେ । ମାତ୍ର ଅଭିୁଯୁକ୍ତ ଅମନ ରଜାକ ଏହାକୁ ନେଇ ଯୁବତୀଙ୍କୁ ବ୍ଲାକମେଲ୍ କରିବାକୁ ଲାଗିଥିଲେ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନ୍ୟୁଡ୍ ଫଟୋ ଓ ଭିଡିଓ ସେୟାର କରିଥିଲେ । ଏହାକୁ ନେଇ ଯୁବତୀଙ୍କ ପରିବାର ଲୋକ ଏନସିଆର୍ ପୋର୍ଟାଲରେ ରିପୋର୍ଟ ଅଭିଯୁକ୍ତର ଇନଷ୍ଟାଗ୍ରାମ ଆଇଡିକୁ ବ୍ଲକ କରିଦେଇଥିଲେ । ମାତ୍ର ଅମନ ରଜାକ ଓ୍ବାଟ୍ସଆପ୍ ରେ ଯୁବତୀଙ୍କ ଫଟୋକୁ ସେୟାର କରି ହାରସମେଣ୍ଟ କରୁଥିଲେ ।
ତଦନ୍ତ ବେଳେ ସାଇବର ଥାନା ପୁଲିସ ଅଭିଯୁକ୍ତ ଏବଂ ତାଙ୍କ ମାଆଙ୍କ ଠାରୁ ଗୋଟିଏ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଚାଟ୍ର କିଛି ସ୍କ୍ରିନସଟ୍ ଜବତ କରିଛି । ଏହାଛଡ଼ା ଅଭିଯୁକ୍ତ ବିରୋଧରେ ପୁଲିସ ତଥ୍ୟ ପ୍ରମାଣ ସଂଗ୍ରହ କରି ୟୁ/ଏସ-୨୯୨(୨)(a)/୫୦୦/୫୦୬ ଭାରତୀୟ ପେନାଲ କୋଡ୍ ୧୨/୧୪ ପୋକ୍ସୋ ଆକ୍ଟ ଏବଂ ଆଇଟ ଆକ୍ଟ ୬୬-C/୬୭ ମାମଲା ରୁଜୁ କରିଥିଲା । ଅମନ ରଜାକକୁ ନବରଙ୍ଗପୁର ଜିଲ୍ଲା କରେଲି ଥାନା ଅନ୍ତର୍ଗତ ଏମଏନ-74 ଗାଁରୁ ଗିରଫ କରି ପୁଲିସ ଜଗତସିଂହପୁର ଏଡିଜେ ସ୍ବତନ୍ତ ପୋକ୍ସୋ କୋର୍ଟରେ ହାଜର କରିଥିଲା । ଏହାପରେ ମାମଲାରେ ଟ୍ରାଏଲ ଚାଲିଥିଲା । ଗୁରୁବାର କୋର୍ଟ ସମସ୍ତ ସାକ୍ଷ୍ୟ ଏବଂ ପ୍ରମାଣକୁ ଆଧାର କରି ଦଣ୍ଡାଦେଶ ଶୁଣାଇଛନ୍ତି ।...