ନୂଆଦିଲ୍ଲୀ,୨୮/୧୧; ହଂକଂର ତାଇ ପୋ ଜିଲ୍ଲାରେ ବୁଧବାର ଏକ ବଡ଼ ହାଉସିଂ କମ୍ପେ୍ଲକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । କମ୍ପେ୍ଲକ୍ସରେ ଥିବା ୩୫ ମହଲା ବିଶିଷ୍ଟ ୮ଟି ନଭଶ୍ଚୁମ୍ବୀ ଅଟ୍ଟାଳିକା ଚାହୁଁଚାହୁଁ ହୁତୁହୁତୁ ହୋଇ ଜଳିଯାଇଥିଲା । ନିଆଁ ଏଭଳି କରାଳ ରୂପ ନେଇଥିଲା ଯେ ୨୪ ଘଣ୍ଟା ପରେ ମଧ୍ୟ ୮ଟି ଅଟ୍ଟାଳିକା ମଧ୍ୟରୁ କେବଳ ୫ଟିରେ ନିଆଁକୁ କାବୁ କରାଯାଇଛି । ଅନ୍ୟ ୩ଟି ଅଟ୍ଟାଳିକାର ଉପର ମହଲାଗୁଡି଼କ ଏବେ ବି ଜଳୁଛି । ସେଠାରେ ନିଆଁ ଲିଭା ଜାରି ରହିଛି । ତେବେ ଅତ୍ୟଧିକ ତାପମାତ୍ରା ଉଦ୍ଧାରକାରୀମାନଙ୍କ ଲାଗି ସମସ୍ୟା ସୃଷ୍ଟି କରୁଛି । ଏହି ଛାତିଥରା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୯୪କୁ ବୃଦ୍ଧି ହୋଇଛି । ଅନ୍ୟ ୭୬ ଜଣ ଗୁରୁତର ଭାବେ ଜଳିଯାଇଛନ୍ତି । ଆହୁରି ୩୦୦ରୁ ଅଧିକ ଜଣ ନିଖୋଜ ଅଛନ୍ତି ।
ନିଆଁ ଲାଗିବାର କାରଣ ସଂପର୍କରେ କିଛି ଜଣାପଡି଼ନାହିଁ । ତେବେ ସିଗାରେଟ୍ ଝୁଲରୁ ଏହି ନିଆଁ ଲାଗିଥିବା ଏଠାକାର ବାସିନ୍ଦା ଆଶଙ୍କା କରୁଛନ୍ତି । ସେପଟେ ପ୍ରାଥମିକ ତଦନ୍ତରୁ ଜଣାପଡି଼ଛି ଯେ, ଲିଫ୍ଟର ଝରକାଗୁଡି଼କୁ ଢାଙ୍କିବା ଲାଗି ବ୍ୟବହୃତ ହୋଇଥିବା ଷ୍ଟାଇରୋଫୋମ୍ ଯୋଗୁ ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା । ପୁଲିସ ଏହି ମାମଲାରେ ଜଣେ ଠିକାଦାରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଅଗ୍ନିକାଣ୍ଡ ନେଇ ଶୋକ ପ୍ରକାଶ କରିବା ସହ ସମସ୍ତ ପ୍ରଭାବିତ ପରିବାରକୁ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚିଫ୍ ଏକ୍ଜିକ୍ୟୁଟିଭ୍ ଜନ୍ ଲି ଏହି ଅଗ୍ନିକାଣ୍ଡ ପରେ ସରକାରଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ସମସ୍ତ ଉତ୍ସବ କାର୍ଯ୍ୟକ୍ରମକୁ ରଦ୍ଦ କିମ୍ବା ସ୍ଥଗିତ କରାଯିବ ବୋଲି କହିଛନ୍ତି । ହଂକଂ ପ୍ରଶାସନର ଚିଫ୍ ସେକ୍ରେଟେରୀ ଏରିକ୍ ଚାନ୍ କହିଛନ୍ତି, ଅଗ୍ନିକାଣ୍ଡର କାରଣ ଜାଣିବାକୁ ପୁଲିସ ଅପରାଧିକ ତଦନ୍ତ କରିବ । ଏଥିସହ ହାଉସିଂ ବ୍ୟୁରୋ ମଧ୍ୟ ଏହାର ଯାଞ୍ଚ କରିବ । ଅଟ୍ଟାଳିକାଗୁଡି଼କର ବାହାର ପାଖରେ ଲଗାଯାଇଥିବା ସୁରକ୍ଷା ସାମଗ୍ରୀ ଅଗ୍ନି ନିରାପତ୍ତା ମାନକର ପାଳନ କରୁଥିଲା କି ନାହିଁ ତା’ ଉପରେ ଫୋକସ୍ ରହିବ । ସେପଟେ କମ୍ପେକ୍ସରେ ନିଆଁ ଲାଗିବା ପରେ ଲୋକଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ ଖୋଲାଯାଇଛି ।
ତଦନ୍ତ ଜାରି- ଏକ ନିର୍ମାଣ କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ପୁଲିସ । କର୍ତ୍ତୃପକ୍ଷ କହିଛନ୍ତି ଯେ, କାନ୍ଥ ବାହାରେ ବ୍ୟବହୃତ କିଛି ସାମଗ୍ରୀ ଅଗ୍ନି-ପ୍ରତିରୋଧ ନିୟମ ପୂରଣ କରିନଥାଇପାରେ। ହଂକଂର ଦୁର୍ନୀତି ନିବାରଣ ସଂସ୍ଥା ମଧ୍ୟ ନବୀକରଣ ପ୍ରକଳ୍ପର ତଦନ୍ତ ଆରମ୍ଭ କରିଛି । ଏହି କମ୍ପ୍ଲେକ୍ସରେ ପ୍ରାୟ ୨,୦୦୦ ଆପାର୍ଟମେଣ୍ଟ ଥିଲା । ୪,୮୦୦ ବାସିନ୍ଦା ଥିବା ଆଠଟି କୋଠା ଅଛି ।