ଭୁବନେଶ୍ୱର,୧୪/୧୨: ‘ନୋ ଲିମିଟ୍ ଏୟାର’ ରେସ୍ତୋରାଁ ତଥା ହୁକା ବାର୍ରେ ବେଆଇନ ନିଶା କାରବାର ନେଇ ତଦନ୍ତ ଆରମ୍ଭ କରିଛି ଅବକାରୀ ଟିମ୍ । ସିସି କ୍ୟାମେରା ଫୁଟେଜ ଆଧାରରେ ତଦନ୍ତ ଆଗେଇବ ବୋଲି ଭୁବନେଶ୍ୱର ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ କହିଛନ୍ତି ।
ଅନ୍ୟପଟେ ରେସ୍ତୋରାଁ ପାଉଁଶ ତଳୁ ବିସ୍ଫୋରକ ତଥ୍ୟ ପଦାକୁ ଆସିଛି । ରେସ୍ତୋରାଁ ନାଁରେ କେମିତି ଲୁଚାଛପାରେ ମଦ ବେପାର ଚାଲିବ? ସେଥିପାଇଁ ପୁଲିସ୍, ଅବକାରୀ, ବିଏମ୍ସିଠୁ ଉପର ସବୁ ଅଧିକାରୀମାନେ ହାତଗୁଞ୍ଜା ନେଉଥିଲେ । ରାତିଅଧରେ ପାଟ୍ରୋଲିଂ କରି ହଇରାଣ ନ କରିବାକୁ ପିସିଆର କର୍ମଚାରୀଙ୍କ ପକେଟକୁ ମଧ୍ୟ ଗରମ କରାଯାଉଥିଲା । ଏସବୁର ଗୁମର ଖୋଲିଛି ରେସ୍ତୋରାଁରୁ ମିଳିଥିବା ଏକ ମାସିକିଆ ଡାଏରୀ ।
ଡାଏରୀରେ ଲେଖାଯାଇଛି, ବିଏମ୍ସିର କିଛି କର୍ମଚାରୀ ମାସକୁ ୩୦ ହଜାର ଟଙ୍କା ଆଣୁଥିଲେ । ଲୋକାଲ ଥାନା ପୁଲିସ୍ ୨୦ରୁ ୩୦ ହଜାର ଟଙ୍କା ଆଣୁଥିଲେ । ଥାନାର କେଉଁ ବାବୁମାନେ ଟଙ୍କା ନେଉଥିଲେ ତାଙ୍କ ନାମ ଡାଏରୀରେ ରହିଛି । ସେହିପରି ଅବକାରୀ ସବ୍ଇନ୍ସପେକ୍ଟର, ଇନ୍ସପେକ୍ଟର ଓ ସୁପରିଟେଣ୍ଡେଣ୍ଟ ପାଖକୁ ମାସିକିଆ ଯାଉଥିଲା । ତା’ଛଡା ରାତିରେ ସୁରକ୍ଷା ଦେଉଥିବା କିଛି ଲୋକାଲ ଦାଦା ୨ରୁ ୩ ହଜାର ଟଙ୍କାର ଖାଇବା ବିଲ୍ କରୁଥିଲେ ।
ସବୁଠାରୁ ଅଧିକ ଲାଭରେ ରହୁଥିଲେ ପିସିଆର ଭ୍ୟାନ୍ କର୍ମଚାରୀ । ରେସ୍ତୋରାଁ ଭୋର ଯାଏ ଚାଲୁଥିବାରୁ ବାହାରେ ଅନେକବାର ଝଗଡ଼ା ହେଉଥିଲା । ପିସିଆର ଭ୍ୟାନ୍ର କର୍ମଚାରୀମାନେ ପାଟ୍ରୋଲିଂ କରୁନଥିଲେ । ପ୍ରତିଦିନ ୧ ହଜାରୁ ୧୫ ଶହ ପର୍ଯ୍ୟନ୍ତ ଟଙ୍କା ନେଉଥିଲେ । ବୁଧବାର, ରବିବାର, ଶୁକ୍ରବାର ମାଗଣା ଖାଇବାର ଯୋଜନା ଥିଲା । ଉପର ମହଲା ଟେରାସରେ ବେଆଇନ୍ ନିର୍ମାଣ ବିଷୟରେ ଜାଣି ଅଜଣା ଭଳି ହେଉଥିଲେ ବିଏମ୍ସିର କିଛି ଅଧିକାରୀ । ସେମାନେ ମାସିକିଆ ଟଙ୍କା ଆଣୁଥିଲେ ବୋଲି ଡାଏରୀରେ ଉଲ୍ଲେଖ କରାଯାଇଛି ।