ନୂଆଦିଲ୍ଲୀ,୧୩/୦୨:  ଚୀନ୍‌ର ଶଂଘାଈରେ ଏକ ବ୍ୟସ୍ତବହୁଳ ସଡ଼କ ହଠାତ୍‌ ଧସିବା ଫଳରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଛି । ଆଖପାଖର ଘର-ଦୋକାନ, ଗାଡ଼ି ଆଦି ଗର୍ତ୍ତ ଭିତରକୁ ଚାଲିଯାଇଛି । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଆଖି ପିଛୁଳାକେ ରାସ୍ତାରେ ବିଶାଳ ଓ ଗଭୀର ଗର୍ତ୍ତ ସୃଷ୍ଟି ହେଉଥିବା ଦେଖାଯାଉଛି । ଘଟଣା ମିନ୍‌ହାଙ୍ଗ ଜିଲ୍ଲାର କିସିନ ରୋଡ୍‌ ନିକଟରେ ଘଟିଛି । 

ଆହୁରି ପଢନ୍ତୁ..ବିଏଲଏର ନୂଆ ଏୟାର ୟୁନିଟ୍, ଆକାଶରୁ ବର୍ଷା କରିବେ ବାରୁଦ, ପାକିସ୍ତାନ ଥରହର

ନିର୍ମାଣ ଟିମ୍‌ ଗତ ୧୧ ତାରିଖରେ ଏହି ରାସ୍ତାରେ ପାଣି ଲିକ୍‌ ହେଉଥିବା ଜାଣିବାକୁ ପାଇଥିଲେ । ଗୁରୁବାର ସକାଳ ସୁଦ୍ଧା ଏହି ଛୋଟ ସମସ୍ୟା ଭୟଙ୍କର ବିପତ୍ତିରେ ବଦଳିଗଲା । ରାସ୍ତାରେ ୧୦-୨୦ ମିଟର ଚଉଡ଼ା ଏକ ଗଭୀର ଗର୍ତ୍ତ ସୃଷ୍ଟି ହେଲା । ଭୂପୃଷ୍ଠ କାଗଜ ଭଳି ଫାଟି ତଳକୁ ଦବିବା ଫଳରେ ରାସ୍ତାର ଧାର ଭାଙ୍ଗିବାକୁ ଲାଗିଲା । ଘଟଣାରେ କାହାର ମୃତ୍ୟୁ ହୋଇନାହିଁ, କିନ୍ତୁ ଏହି ଦୃଶ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଶଂଘାଈ ନରମ ଓ ଢିଲା ମାଟିରେ ଗଢ଼ିଉଠିଛି, ଯାହାର ପୃଷ୍ଠ ଧସିବା ଆଶଙ୍କା ବେଶି । ଏଠାରେ ବର୍ଷ ବର୍ଷ ଧରି ଭୂତଳ ଜଳ ନିଷ୍କାସନ ଓ ଦ୍ରୁତ ଅଟ୍ଟାଳିକା ନିର୍ମାଣ ଏହି ଆଶଙ୍କା ବଢ଼ାଇଛି । ଏଭଳି ଘଟଣା ପଛର ମୁଖ୍ୟ କାରଣ ପାଇପ୍‌ ଫାଟିବା ଯୋଗୁ ମାଟି ତଳେ ଶୂନ୍ୟସ୍ଥାନ, ଢିଲା ବାଲି ପରସ୍ତ ଓ ପୁରୁଣା ଭିତ୍ତିଭୂମି ବୋଲି ବିଶେଷଜ୍ଞମାନେ କହିଛନ୍ତି ।