ନୂଆଦିଲ୍ଲୀ,୧୧/୦୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହୋର୍ମୁଜ ଜଳମାର୍ଗରେ ଗ୍ୟାସ ଯୋଗାଣ ଠପ୍ ହୋଇଯାଇଛି । ଫଳରେ ଦେଶରେ ଏବେ ଆଶଙ୍କାର ମାହୋଲ । ସରକାର ବାରମ୍ବାର କହୁଛନ୍ତି ଦେଶରେ ଗ୍ୟାସ୍ର ଅଭାବ ନାହିଁ । ତଥାପି ଭୟଭୀତ ଲୋକେ ଯେନ ତେନ ପ୍ରକାରେ ସଲିଣ୍ଡର ସଂଗ୍ରହ କରିବାରେ ବ୍ୟସ୍ତ । କଳାବଜାରରେ ୨୦୦୦ ଟଙ୍କା ଦେଇ ଏଲ୍ପିଜି କିଣିବାକୁ ବି ପଛଘୂଞ୍ଚା ଦେଉନାହାନ୍ତି ଉପଭୋକ୍ତା । ସ୍ଥିତି ନିୟନ୍ତ୍ରଣ ତଥା ଜମାଖୋରଙ୍କୁ ସାବାଡ୍ କରିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ବା ଏସ୍ମା ଲାଗୁ କରିଛନ୍ତି ସରକାର ।
ଘରୋଇ ଏଲ୍ପିଜି ଉପଲବ୍ଧତା ବଢ଼ାଇବା ପାଇଁ ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ସମେତ କେତେକ ରାଜ୍ୟରେ କମର୍ସିଆଲ ଗ୍ୟାସ ଯୋଗାଣ ଉପରେ ରୋକ ଲଗାଯାଇଛି । ତେବେ କମର୍ସିଆଲ ଗ୍ୟାସ ଯୋଗାଣ ବନ୍ଦ ହେବା ଫଳରେ ଅଧିକାଂଶ ସହରରେ ରେସ୍ତୋରାଁ ଏବଂ ହୋଟେଲଗୁଡ଼ିକ ବନ୍ଦ ଅବସ୍ଥାରେ । ସରକାରୀ ସୂତ୍ର ଅନୁସାରେ, ତୈଳ କମ୍ପାନିଗୁଡ଼ିକ ୩ ସଦସ୍ୟବିଶିଷ୍ଟ କମିଟି ଜରିଆରେ ରେସ୍ତୋରାଁ ସଂଘଗୁଡ଼ିକ ସହ ଆଲୋଚନା କରିବେ, ଯଦ୍ଦ୍ୱାରା ଏଲ୍ପିଜି ଯୋଗାଣ ସଂକଟକୁ ସମୀକ୍ଷା କରାଯାଇପାରିବ ।ଅନ୍ୟପଟେ, କେନ୍ଦ୍ର ସରକାର ଗ୍ୟାସ ସମେତ ଜରୁରୀ ସାମଗ୍ରୀଗୁଡ଼ିକର କଳାବଜାରୀକୁ ରୋକିବା ପାଇଁ ଦେଶବ୍ୟାପୀ ‘ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ-୧୯୫୫’(ଏସ୍ମା) ଲାଗୁ କରିଛନ୍ତି । ଏବେ ଗ୍ୟାସ୍କୁ ୪ଟି ବର୍ଗରେ ଯୋଗାଯିବ ।
ପ୍ରଥମ ବର୍ଗରେ ରନ୍ଧନ ଗ୍ୟାସ(ପିଏନ୍ଜି) ଏବଂ ଗାଡ଼ିରେ ପକାଯାଉଥିବା ସିଏନ୍ଜି ଅନ୍ତର୍ଭୁକ୍ତ । ପୂର୍ବ ଭଳି ଏହାର ପୂର୍ଣ୍ଣ ଯୋଗାଣ ଜାରି ରହିବ । ଦ୍ୱିତୀୟ ବର୍ଗ ଅନ୍ତର୍ଗତ ଖାଦ୍ୟ ପ୍ରସ୍ତୁତକାରୀ ଫ୍ୟାକ୍ଟିଗୁଡ଼ିକୁ ପ୍ରାୟ ୭୦% ଗ୍ୟାସ ପ୍ରଦାନ କରାଯିବ । ସେମାନଙ୍କୁ କେବଳ ଏହା ପ୍ରମାଣିତ କରିବାକୁ ହେବ ଯେ, ଗ୍ୟାସ୍ର ବ୍ୟବହାର ଖାଦ୍ୟ ପ୍ରସ୍ତୁତିରେ ହିଁ ହୋଇଛି । ତୃତୀୟ ବର୍ଗ ଅଧୀନରେ ଜାତୀୟ ଗ୍ରୀଡ୍ ସହ ଜଡ଼ିତ ଚା’ ଫ୍ୟାକ୍ଟ୍ରି ଏବଂ ଅନ୍ୟ ବଡ଼ ଉଦ୍ୟୋଗଗୁଡ଼ିକୁ ସେମାନଙ୍କ ଆବଶ୍ୟକତାର ୮୦% ଗ୍ୟାସ ମିଳିବ । ଚତୁର୍ଥ ବର୍ଗ ଅଧୀନରେ ସହରଗୁଡ଼ିକର ଗ୍ୟାସ ନେଟ୍ୱର୍କ ସହ ଜଡ଼ିତ ଛୋଟ କାରଖାନା, ହୋଟେଲ ଏବଂ ରେସ୍ତୋରାଁଗୁଡ଼ିକୁ ବି ସେମାନଙ୍କ ପୁରୁଣା ଖର୍ଚ୍ଚ ହିସାବରେ ୮୦% ଗ୍ୟାସ ଦିଆଯିବ । ପ୍ରକାଶଯୋଗ୍ୟ, ଏସ୍ମା ହେଉଛି ଉକ୍ତ ନିୟମ, ଯାହା ସରକାରଙ୍କୁ କ୍ଷମତା ଦେଇଥାଏ ଯେ, ଜରୁରୀ ପରିସ୍ଥିତିରେ ସରକାର କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ଖାଦ୍ୟଶସ୍ୟ, ଡାଲି, ଖାଇବା ତେଲ, ଔଷଧ ଏବଂ ଇନ୍ଧନର ଯୋଗାଣ ଓ ଦରକୁ ନିୟନ୍ତ୍ରଣ କରିପାରିବେ । ଘରୋଇ ଏଲ୍ପିଜି ଯୋଗାଣରେ ଯେପରି କୌଣସି ବାଧା ନ ଉପୁଜେ, ସେଥିପାଇଁ ହୋଟେଲ ଏବଂ ରେସ୍ତୋରାଁଗୁଡ଼ିକୁ କମର୍ସିଆଲ ଗ୍ୟାସ ଯୋଗାଣ ବନ୍ଦ କରିଦିଆଯାଇଛି । ଏହାଫଳରେ ହୋଟେଲ, ରେସ୍ତୋରାଁ ଏବଂ ଢାବାଗୁଡ଼ିକର ପରିଚାଳନା କଠିନ ପାଲଟିଛି ।
ଲକ୍ଷ୍ନୌ, କାନପୁର ଏବଂ ବାରାଣାସୀ ଭଳି ସହରଗୁଡ଼ିକରେ ବୁକିଂର ୪ରୁ ୫ ଦିନ ପରେ ବି ଗ୍ୟାସ୍ ଡେଲିଭରୀ ହେଉନାହିଁ । ମୁମ୍ବାଇ, ପୁଣେ ଏବଂ ନାଗପୁରରେ କମର୍ସିଆଲ ଗ୍ୟାସ ଯୋଗାଣ ବଡ଼ ଆକାରରେ ପ୍ରଭାବିତ ହୋଇଛି । ପରିସ୍ଥିତି ଏଭଳି ହୋଇଛି ଯେ, ନଗର ନିଗମ ଗ୍ୟାସ ଶବଦାହ ଗୃହଗୁଡ଼ିକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛି । ରାଜ୍ୟର ପ୍ରାୟ ୯,୦୦୦ ରେଷ୍ଟୁରାଷ୍ଟ ଏବଂ ବାର୍ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି । ମୁମ୍ବାଇରେ କମର୍ସିଆଲ ଗ୍ୟାସ ଯୋଗାଣ ସଂକଟ ଦ୍ୱାରା ଏଯାବତ ପ୍ରାୟ ୨୦% ହୋଟେଲ ଏବଂ ରେସ୍ତୋରାଁ ବନ୍ଦ ହୋଇଗଲାଣି । ହୋଟେଲ ସଂଘ ‘ଆହାର’ ଚେତାବନୀ ଦେଇଛି ଯେ, ଯଦି ଯୋଗାଣରେ ସୁଧାର ନ ଆସେ ତେବେ ୨ରୁ ୩ ଦିନରେ ଅଧା ବା ୫୦% ହୋଟେଲରେ ତାଲା ଲାଗିପାରେ । ହୋଟେଲ ସଂଚାଳକମାନଙ୍କ କହିବାନୁସାରେ, ଦର ବଢ଼ିବା ପରେ ବି ସିଲିଣ୍ଡର ମିଳୁନାହିଁ । ବିବାହ ଋତୁ ମଧ୍ୟରେ ସିଲିଣ୍ଡର ଯୋଗାଣ ବନ୍ଦ ନିଷ୍ପତ୍ତି ନିଆଯିବା ଚିନ୍ତାର ବିଷୟ ।
ଭୋପାଳରେ ପ୍ରାୟ ୨୦୦୦ରୁ ଅଧିକ ମଧ୍ୟମ ଆକାର ଏବଂ ବଡ଼ ହୋଟେଲ ଏବଂ ରେସ୍ତୋରାଁ ଅଛି, ଯେଉଁଠାରେ କମର୍ସିଆଲ ସିଲିଣ୍ଡର୍ର ବ୍ୟବହାର ହୋଇଥାଏ । ରାଜସ୍ଥାନରେ ବି ସମାନ ସ୍ଥିତି । ଏଠାରେ ହୋଟେଲ ଏବଂ ରେସ୍ତୋରାଁ ସଂଚାଳକମାନଙ୍କ କହିବାନୁସାରେ, ଆମ ପାଖରେ ଗ୍ୟାସ୍ର କୌଣସି ବିକଳ୍ପ ନାହିଁ । ଏଭଳି ସ୍ଥିତିରେ ପ୍ରତ୍ୟେକ ପ୍ରକାର ହୋଟେଲ-ରେସ୍ତୋରାଁ, ବିବାହ ଗାର୍ଡେନ ଏବଂ ଅନ୍ୟ ଉଦ୍ୟୋଗ ସହ ଜଡ଼ିତ ଲୋକେ ଚିନ୍ତାରେ । ତେଲ କମ୍ପାନିଗୁଡ଼ିକ ପକ୍ଷରୁ ନିଆଯାଇଥିବା ଅଚାନକ ନିଷ୍ପତ୍ତି ଉଦ୍ବେଗଜନକ । ବେଙ୍ଗାଲୁରୁ ହୋଟେଲ ସଂଘର କହିବାନୁସାରେ, ଯଦି ଯୋଗାଣ ସମସ୍ୟାର ସମାଧାନ ନ ହୁଏ ତେବେ ହୋଟେଲ ବନ୍ଦ କରିବାକୁ ପଡ଼ିବ । ସଂଘ ମୁତାବକ, ହୋଟେଲ ଶିଳ୍ପ ଜରୁରୀ ସେବା ମଧ୍ୟରେ ଆସୁଛି । ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଏବଂ ରୋଗୀ ଖାଦ୍ୟ ପାଇଁ ହୋଟେଲ ଉପରେ ନିର୍ଭର କରନ୍ତି ।
ଆହୁରି ପଢନ୍ତୁ-ଡିପ୍ଲୋମାଟିକ ବଟନ୍ ଅନ୍...ଏସ୍.ଜୟଶଙ୍କର ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଲଗାଇଲେ ଫୋନ୍, ଜାଣନ୍ତୁ କଣ କଥା ହେଲେ ?
ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିବ । ଅନ୍ୟପକ୍ଷରେ, ସରକାର ସ୍ପଷ୍ଟ କରିଛନ୍ତି ଯେ, ରେସ୍ତୋରାଁ ଶିଳ୍ପ ପାଇଁ କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଯୋଗାଣ ଉପରେ କୌଣସି କଟକଣା ନାହିଁ । ଯୋଗାଣ ଅସମର୍ଥତା ଯୋଗୁ ଯୋଗାଣକାରୀମାନେ ଏହାର ଯୋଗାଣକୁ ବନ୍ଦ କରିଛନ୍ତି । ତେବେ ଗ୍ୟାସ ଯୋଗାଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ଏସ୍ମା ଲାଗୁ କରିଛନ୍ତି । ସଂକଟକୁ ସମୀକ୍ଷା କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରାଳୟ ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି, ଯାହା ଯୋଗାଣକୁ ସମୀକ୍ଷା କରିବ । ଘରୋଇ ସିଲିଣ୍ଡର୍ର ବୁକିଂ ନିୟମରେ ପରିବର୍ତ୍ତନ କରାଯାଇଛି । ଏହା ଅନ୍ତର୍ଗତ ବୁକିଂ ଅବଧିକୁ ୨୧ ଦିନରୁ ୨୫ ଦିନକୁ ବଢ଼ାଯାଇଛି । ଗ୍ୟାସ ଜମାଖୋରୀକୁ ରୋକିବା ପାଇଁ ଡେଲିଭରୀ ଏଜେଣ୍ଟ ଓଟିପି କିମ୍ବା ବାୟୋମେଟ୍ରିକ ଯାଞ୍ଚକୁ କଡାକଡ଼ି ପାଳନ କରିବେ । ସେହିଭଳି ସରକାର ସମସ୍ତ ତୈଳ ବିଶୋଧନାଗାରଗୁଡ଼ିକୁ ଏଲ୍ପିଜି ଉତ୍ପାଦନ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।