ଭୁବନେଶ୍ଵର, ୨୦/୯ : ଚାଲିପାରୁନି ବିଧାନସଭାର ମୌସୁମୀ ଅଧିବେଶନ। ତୃତୀୟ ଦିନରେ ବି ଗୃହ ଅଚଳ। ସାର ସମସ୍ୟା ପ୍ରସଙ୍ଗରେ ବିଜେଡିର ହୋହାଲ୍ଲା। ବିରୋଧୀଙ୍କ ନାରାବାଜିରେ କମ୍ପିଲା ଗୃହ। ଶୋକ ପ୍ରସ୍ତାବ ଆଗତ ପରେ ବିଧାନସଭାରେ ହଟ୍ଟଗୋଳ। ବାଚସ୍ପତିଙ୍କ ପୋଡିୟମ ତଳେ ହୋହାଲ୍ଲା ସହ ନାରାବାଜି କଲେ ବିଜେଡି ସଦସ୍ୟ। ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। 

​​​​​​​ସୂଚନାନୁଯାୟୀ, ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶୋକ ପ୍ରସ୍ତାବକୁ ବିରୋଧୀ ସମର୍ଥନ କରିଥିଲେ। ଏହାପରେ ସାର ସମସ୍ୟାକୁ ନେଇ ଗୃହରେ ବିଜେଡି ହୋହାଲ୍ଲା କରିଥିଲା। ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ବିଧାୟକମାନେ ଆସି ନାରାବାଜି କରିଥିଲେ। ଗୃହ ଚଲାଇ ଦେଇନଥିଲେ। ଯାହାଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି।

ପ୍ରକାଶ ଥାଉକି, ରାଜ୍ୟରେ ଏବେ ଉତ୍କଟ ସାର ସମସ୍ୟା। ଏହାକୁ ପ୍ରସଙ୍ଗ କରି ବିଜେଡି ସରକାରଙ୍କୁ ଘେରୁଛି। ଗତକାଲି ଏହି ସମସ୍ୟାକୁ ନେଇ ବିଜେଡି ହଟ୍ଟଗୋଳ କରିଥିଲା। ମାତ୍ର ୪ ମିନିଟ୍ ଚାଲିବା ପରେ ବିଧାନସଭା ଅଚଳ ହୋଇଯାଇଥିଲା। ପ୍ରଶ୍ନକାଳ ବାତିଲ କରି ଆଲୋଚନା ନକଲେ ଗୃହ ଚଳାଇ ଦେବେନାହିଁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ। 
​​​​​​​