ମାଲକାନଗିରି, ୨୩/୧ : ପୋଡିଯାଇଛି ଘର । ତାହା ସହ   ଘରେ ଥିବା ସବୁ  ଆସବାବପତ୍ର  ପୋଡି ପାଉଁଶ ହୋଇଯାଇଛି। ପିନ୍ଧିବା ପାଇଁ ନାହିଁ ଲୁଗା, ଖାଇବା ପାଇଁ ନାହିଁ ଦାନା,ମୁଣ୍ଡ ଗୁଞ୍ଜିବା ପାଇଁ ନାହିଁ ଚାଳ। ଶୀତ କାକରରେ ପର ଘର ବାରଣ୍ଡା ଅଗ୍ନି ବିପନ୍ନ  ପରିବାରର ପାଲଟିଛି  ଆଶ୍ରୟସ୍ଥଳ।   ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା  ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନୂଆଗୁଡା ପଞ୍ଚାୟତର ରାମଗୁଡା  ଗ୍ରାମରେ।

୧୮ ତାରିଖ ରାତିରେ  ଘରେ ବୁଢୀ ମା’ଙ୍କ ସହ ଆଉ ୪ଟି ପିଲାଙ୍କୁ ଧରି  କେଲେ ଚିଲିକମା ଶୋଇଥିଲେ । ଶୀତ ପ୍ରକୋପରୁ ରକ୍ଷା ପାଇଁ ଘରେ  ନିଆଁ ଜାଳି ରଖିଥିଲେ। ରାତିରେ ହଠାତ ଘରେ ନିଆଁ ଲାଗି  ଯାଇଥିଲା । ନିଆଁ ଘରେ ଲାଗିଥିବା ଦେଖି ଗ୍ରାମବାସୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଘରେ ଥିବା ଧାନ ଚାଉଳ, ଲୁଗାପଟା ଆଧାର କାର୍ଡ ଆସବାପତ୍ର ସବୁ କିଛି ଜଳି ପାଉଁଶ ହୋଇଯାଇଥିଲା। 

୨୨ ତାରିଖରେ ରାଜସ୍ୱ ନିରିକ୍ଷକ ଓ ଅତିରିକ୍ତ ତହସିଲଦାର ପୀଡିତାଙ୍କ ଘର ପରିଦର୍ଶନ କରି ସମସ୍ତ ବିଷୟ ବୁଝିଥିଲେ ଓ ପଲିଥିନ ଟିଏ ଯୋଗାଇଦେବକୁ ଆଶ୍ୱାସନା ମଧ୍ୟ ଦେଇଥିଲେ ।   କିନ୍ତୁ ଘଟଣାକୁ ଦୀର୍ଘ ୬ଦିନ ବିତିଯାଇଥିଲେ ବି କିଛି ସରକାରୀ ସହାୟତା ମିଳିନଥିବାର ଚେଲାମା ଅଭିଯୋଗ କରିଛନ୍ତି। ଆଧାର କାର୍ଡ୍, ରେସନ କାର୍ଡ୍ ଏପରିକି ପାସ୍ ବୁକ୍ ଓ ଜମିପଟା ପରି ଅନେକ ଦରକାରୀ କାଗଜପତ୍ର ମଧ୍ୟ ନିଆଁରେ ଜଳି ନଷ୍ଟ ହୋଇଯାଇଛି।

ଏ ବିଷୟରେ ଉପଜିଲ୍ଲାପାଳ, ତହସିଲଦାର, ଅତିରିକ୍ତ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜନପ୍ରତିନିଧି, ବିଧାନସଭା ସଦସ୍ୟଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଅବଗତ କରାଯାଇଛି। ପୀଡିତା ଓ ତାଙ୍କ ପରିବାର ନିକଟ ଘର ପିଣ୍ଢା ଓ ଗଛମୂଳେ  ଶୀତ କାକରରେ ଆଦରି ପଡିରହିଛନ୍ତି। ଏହି ଅଗ୍ନି ବିପନ୍ନ ପରିବାରଙ୍କୁ ଆସବା ଗୃହ ସହିତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି।