ଖଲ୍ଲିକୋଟ,୧୫/୧୦: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନୂଆଁ ସାହିରେ ଅଘଟଣ । ଇଭି ବାଇକ୍ ବ୍ୟାଟେରୀ ଚାର୍ଜରୁ ଅଗ୍ନିକାଣ୍ଡ । ନିଆଁରେ ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ତିନି ମହଲା ଘର । ଘର ଭିତରେ ଫସିଥିବା ୩ ପରିବାରର ୧୧ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ।
ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଖଲ୍ଲିକୋଟ ନୂଆଁ ସାହିରେ ଏକ ତିନି ମହଲା ଘରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ନୂଆଁ ସାହିର ଅଜିତ ମହାନ୍ତିଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା । ତଳ ମହଲାରେ ଏକ ଇଭି ବାଇକ୍ ବ୍ୟାଟେରୀ ଚାର୍ଜରେ ବସି ଥିବା ବେଳେ ସର୍ଟ ସର୍କିଟ ହୋଇ ପ୍ରଥମେ ଇଭି ବାଇକ୍ଟି ଜଳି ଯାଇଥିଲା । ଏହା ପରେ ପାଖରେ ଥିବା ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଫାଟିଥିଲା । ଫଳରେ ନିଆଁ ଉପର ମହଲାକୁ ବ୍ୟାପୀ ଯାଇଥିଲା l ବିଳମ୍ୱିତ ରାତିରେ ପ୍ରଚଣ୍ଡ ଶବ୍ଦ ଶୁଣି ସାହି ପଡ଼ିଶା ଘରୁ ବାହାରି ଆସିଥିଲେ l ଘରେ ରହୁଥିବା ତିନୋଟି ପରିବାରର ୧୧ଜଣ ସଦସ୍ୟଙ୍କ ମଧ୍ୟରୁ ୨ଶିଶୁ ରହିଥିବା ବେଳେ ଅନ୍ୟ ୪ ଜଣ ବାରି ପଛପଟ ରାସ୍ତା ଦେଇ ଜୀବନ ବିକଳରେ ବାହାରକୁ ଦୌଡ଼ି ଚାଲି ଆସିଥିଲେ l ଅନ୍ୟ ୬ଜଣଙ୍କୁ ଅଗ୍ନିଶମ ବାହିନୀ ଘର ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ l ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷୟ କ୍ଷତି ହୋଇଥିବା ଆକଳନ କରାଯାଇଛି।