ଦୁବାଇ: ଲୋହିତ ସାଗରରେ ପୁଣି ଦେଖାଦେଲା ଉତ୍ତେଜନା। ୟେମେନର ହୁତି ବିଦ୍ରୋହୀମାନେ ଏକ କାର୍ଗୋ ଜାହାଜ ଉପରେ ପର୍ଯ୍ୟାୟକ୍ରମେ ଆକ୍ରମଣ କରିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ମାର୍ଗରେ ନୂଆ ସଂଘର୍ଷର ଆଶଙ୍କା ବୃଦ୍ଧିପାଇଛି। ଗତ ମଙ୍ଗଳବାର ଗ୍ରୀକ-ମାଲିକାନାରେ ଥିବା ବଲ୍କ କାରିଅର ‘ଇଟର୍ନିଟି ସି’ ଜାହାଜ ଲିବେରିଆ ଦେଶ ନିମନ୍ତେ ପଣ୍ୟ ସାମଗ୍ରୀ ନେଇ ସୁଏଜ କେନାଲର ଉତ୍ତରକୁ ଯାତ୍ରା କରୁଥିଲା। ଏହି ସମୟରେ ହୁତିମାନ ଛୋଟ ଡଙ୍ଗା ଏବଂ ବୋମା ଖଞ୍ଜା ଥିବା ଡ୍ରୋନ ସାହାଯ୍ୟରେ ଏହି ଜାହାଜ ଉପରେି ଆକ୍ରମଣ ଆରମ୍ଭ କରିଦେଇଥିଲେ। ୟୁନାଇଟେଡ୍ କିଙ୍ଗଡମ୍ ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ (ୟୁକେଏମଟିଓ)ରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଜାହାଜଟିକୁ ହୁତି ବିଦ୍ରୋହିମାନେ ଘେରିଯାଇ କିଛି ଘଣ୍ଟା ଧରି ଆକ୍ରମଣ ଜାରି ରଖିଥିଲେ।
ଅନ୍ୟପଟେ ଜାହାଜରେ ଥିବା ସୁରକ୍ଷା କର୍ମୀମାନେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଗୁଳି ଚଳାଇଥିବା ଜଣାପଡ଼ିଛି। ତେବେ ସବୁଠୁ ବଡ କଥା ହେଉଛି ହୁତିମାନେ ଏହି ଆକ୍ରମଣରେ ନିଜର ସମ୍ପୃକ୍ତି ଥିବା ନେଇ କୌଣସି ପ୍ରକାରର ସୂଚନା ଦେଇନାହାନ୍ତି। ଏନେଇ ୟେମେନର ସରକାର ଏବଂ ଇଉରୋପୀୟ ନୌସେନାର ଅପରେସନ୍ ଆଟାଲାଣ୍ଟା ଏହି ଆକ୍ରମଣ ପାଇଁ ହୁତି ବିଦ୍ରୋହୀମାନଙ୍କୁ ଦାୟୀ କରିଛନ୍ତି। ତେବେ ଏହି ଆକ୍ରମଣ ପୂର୍ବରୁ ହୁତିମାନେ ଗତ ରବିବାର ଗ୍ରୀକ-ମାଲିକାନା ଥିବା ଜାହାଜ ‘ମ୍ୟାଜିକ ସିଜ୍’ ଉପରେ ଆକ୍ରମଣ କରିଥିଲେ। ଏହି ଜାହାଜଟି ଲିବେରିଆକୁ ପଣ୍ୟ ନେଇ ଯାଉଥିଲା ବୋଲି ସୂଚନା ରହିଛି। ମାତ୍ର ଦୁଇ ଦିନ ମଧ୍ୟରେ ଏହି ଦୁଇଦୁଇଟି ଆକ୍ରମଣ ଏକାସହିତ ଘଟିଥିବାରୁ ଆନ୍ତର୍ଜାତୀୟ ସ୍ତରରେ ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି।
ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ସ୍ଥିତି ସମ୍ବେଦନଶୀଳ ଥିବା ବେଳେ ଏହି ଆକ୍ରମଣଗୁଡ଼ିକ ଥମିବାର ନାମ ନେଉନି। ଇସ୍ରାଏଲ-ହମାସ ଯୁଦ୍ଧରେ ସମ୍ଭାବ୍ୟ ଯୁଦ୍ଧବିରତି ଆଲୋଚନା ଜାରି ରହିଥିବା ବେଳେ ହୁତିମାନଙ୍କ ଏହି ଆକ୍ରମଣ ଏହାର ସଫଳତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି। ଏହାସହ ଗତ ସୋମବାର ସକାଳ ସମୟରେ ଇସ୍ରାଏଲ ହୁତି ଅଧିକୃତ ଅଞ୍ଚଳରେ ବିମାନ ଆକ୍ରମଣ କରିଥିଲା। ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିବାରେ ଲାଗିଛି।
ହୁତି ବିଦ୍ରୋହୀମାନେ ଗାଜାରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି ଲୋହିତ ସାଗରରେ ବାଣିଜ୍ୟିକ ଏବଂ ସାମରିକ ଜାହାଜଗୁଡ଼ିକୁ ମିସାଇଲ ଏବଂ ଡ୍ରୋନ ଦ୍ୱାରା ଆକ୍ରମଣ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ଏହି ଆକ୍ରମଣ ପାଇଁ ବିଶ୍ୱ ବାଣିଜ୍ୟ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଥିବା ଏହି ମାର୍ଗରେ ବାଧା ସୃଷ୍ଟି ହୋଇଛି। ଆପଣଙ୍କୁ ଜଣାଇରଖୁ ଯେ ଏହି ବାଣିଜ୍ୟିକ ମାର୍ଗ ଦେଇ ପ୍ରାୟ ବାର୍ଷିକ ପ୍ରାୟ ୧ ଟ୍ରିଲିଅନ ଡଲାରର ପଣ୍ୟ ପରିବହନ ହୋଇଥାଏ।
ଏହି ଘଟଣା ଆଉ ଏକ ଆନ୍ତର୍ଜାତୀୟ ଚିନ୍ତା ବଢ଼ାଇବାରେ ଲାଗିଛି। ନାବିକମାନଙ୍କ ସୁରକ୍ଷା ଓ ଏହି ଅଞ୍ଚଳରେ ସ୍ଥିରତା ରକ୍ଷା ପାଇଁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।