ନୂଆଦିଲ୍ଲୀ, ୨୬/୦୨: ମିଛ ଆଇନ ଡିଗ୍ରୀ ଜରିଆରେ ବିଚାରପତି ଆସନରେ ବସିଥିବା ପାକିସ୍ତାନର ଜଣେ ବ୍ୟକ୍ତିଙ୍କ କାରନାମା ସାମ୍ନାକୁ ଆସିଛି । ନକଲି ଡିଗ୍ରୀ ବଳରେ ସେ ଇସ୍ଲାମାବାଦ ହାଇକୋର୍ଟରେ ଦୀର୍ଘ ବର୍ଷ ଧରି ବିଚାରପତି ଆସନରେ ବସି ରାୟ ଶୁଣାଉଥିଲେ । ଇସ୍ଲାମାବାଦ ହାଇକୋର୍ଟ ଖଣ୍ଡପୀଠ, ଯେଉଁଠି ସେ ୫ ବର୍ଷ ଆଇନ ଅଭ୍ୟାସ କରିଥିଲେ, ତାଙ୍କ ଆଇନ ଡିଗ୍ରୀକୁ ଆରମ୍ଭରୁ ଅମାନ୍ୟ କରିଥିଲେ । ତେଣୁ ଜଣେ ହାଇକୋର୍ଟ ବିଚାରପତି ଭାବେ ତାଙ୍କର ନିଯୁକ୍ତି ଆଇନଗତ ଭାବେ ଅବୈଧ ଥିଲା ।
ରିପୋର୍ଟ ଅନୁସାରେ, ଇସ୍ଲାମାବାଦ ହାଇକୋର୍ଟ ଗତ ୨୩ ତାରିଖ, ସୋମବାର ୧୧୬ ପୃଷ୍ଠାର ଏକ ବିସ୍ତୃତ ରାୟ ଜାରି କରି ତାରିକ ମହମୁଦ ଜାହାଙ୍ଗିରୀ ନାମକ ଏହି ନକଲି ବିଚାରପତିଙ୍କୁ ନିଜ ପଦବୀରୁ ହଟାଇଥିବା ସ୍ପଷ୍ଟ କରିଛନ୍ତି । ଜାହାଙ୍ଗିରୀ ଡିସେମ୍ବର, ୨୦୨୦ରେ ଇସ୍ଲାମାବାଦ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । କିନ୍ତୁ ଗତ ବର୍ଷ ସେପ୍ଟେମ୍ବରରେ ବିଚାରପତି ଭାବେ ନ୍ୟାୟିକ କର୍ତ୍ତବ୍ୟ ପାଳନରୁ ତାଙ୍କୁ ବର୍ଜନ କରାଯାଇଥିଲା । କରାଚୀ ୟୁନିଭର୍ସିଟି ରେଜିଷ୍ଟ୍ରାର୍ ପ୍ରଦାନ କରିଥିବା ମୂଳ ରେକର୍ଡ ଆଧାରରେ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଥିଲେ । କୋର୍ଟ ଦର୍ଶାଇଲେ, ଜାହାଙ୍ଗିରୀଙ୍କ ଶୈକ୍ଷିକ ଦସ୍ତାବିଜ ନକଲି ଥିଲା । ଏପରିକି ଦଣ୍ଡରୁ ରକ୍ଷା ପାଇବାକୁ ସେ ଛଦ୍ମନାମ ମଧ୍ୟ ବ୍ୟବହାର କରିଥିଲେ । ହାଇକୋର୍ଟଙ୍କ ରାୟ ଅନୁସାରେ, ଜାହାଙ୍ଗିରୀ ଏକ ନକଲି ପଞ୍ଜିକରଣ ନମ୍ବର ଜରିଆରେ ୧୯୮୮ରେ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ କପି କରି ସେ ଧରା ପଡ଼ିଥିଲେ ।
ଆହୁରି ପଢନ୍ତୁ- ଖାମେନିଙ୍କ ଘର ଉପରେ ଆକ୍ରମଣ ପାଇଁ ହେଉଥିଲା ଯୋଜନା, ମୁଜାହିଦିନ-ଏ-ଖଲକର ୧୦୦ ଯୋଦ୍ଧାଙ୍କୁ ହତ୍ୟା କଲା ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ...
୧୯୮୯ରେ ୟୁନିଭର୍ସିଟି ତାଙ୍କୁ ୩ ବର୍ଷ ପାଇଁ ବ୍ୟାନ୍ କରିଥିଲା । ଜାହାଙ୍ଗିରୀ ଦଣ୍ଡକୁ ଗ୍ରହଣ କରିବା ପରିବର୍ତ୍ତେ ଠକାମିର ମାର୍ଗ ଆପଣାଇଲେ । ପର ବର୍ଷ ସେ ତାରିକ ଜାହାଙ୍ଗିରୀ ନାଁରେ, ଇମ୍ତିଆଜ ଅହମଦ ନାମକ ଆଉ ଜଣେ ଛାତ୍ରର ପଞ୍ଜିକରଣ ନମ୍ବର ବ୍ୟବହାର କରି ପୁଣି ପରୀକ୍ଷା ଦେଲେ । ସରକାରୀ ଇସ୍ଲାମିଆ ଲ କଲେଜର ପ୍ରିନ୍ସିପାଲ କୋର୍ଟକୁ ସ୍ପଷ୍ଟ କଲେ ଯେ ଜାହାଙ୍ଗିରୀ କେବି ବି ଉକ୍ତ ପ୍ରତିଷ୍ଠାନରେ ନାମ ଲେଖାଇ ନଥିଲେ । କୋର୍ଟ କହିଲେ, ମୂଳ ଦସ୍ତାବିଜ୍ ଓ ଲିଖିତ ଜବାବ ଉପସ୍ଥାପନ ନିମନ୍ତେ ଜାହାଙ୍ଗିରୀଙ୍କୁ ଅନେକ ସୁଯୋଗ ଦିଆଯାଇଥିଲେ ମଧ୍ୟ ସେଥିରେ ସେ ବିଫଳ ହେଲେ । ଏହା ବଦଳରେ ସିନ୍ଧ ହାଇକୋର୍ଟରେ ବିଚାରାଧୀନ ଥିବା ସମ୍ବନ୍ଧିତ ମାମଲାର ଆଳ ଦର୍ଶାଇ, ପୂର୍ଣ୍ଣ ଖଣ୍ଡପୀଠ, ମୁଖ୍ୟ ବିଚାରପତିଙ୍କ ବଦଳି ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାମଲାକୁ ସ୍ଥଗିତ ରଖିବାକୁ ଆବେଦନ କଲେ । କୋର୍ଟ ଏଗୁଡ଼ିକୁ ତାଙ୍କର ବିଳମ୍ବକାରୀ ରଣନୀତି ବୋଲି କହିଲେ । ଆବେଦନକାରୀ ପ୍ରମାଣ ଉପସ୍ଥାପନ କରିବା ପରେ ନିଜର ଆଇନ ଯୋଗ୍ୟତାର ପ୍ରମାଣ ଦେବା ତାଙ୍କର କାମ ଥିଲା । କିନ୍ତୁ ସେ ବିଫଳ ହୋଇଛନ୍ତି ।