ନୂଆଦିଲ୍ଲୀ,୨୧।୫: ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନୀର ହାରିବା ପରେ ବି ପଦୋନ୍ନତି ପାଇଛନ୍ତି। ପାକିସ୍ତାନ ଇତିହାସରେ ଜେନେରାଲ ଆୟୁବ ଖାନଙ୍କ ପରେ ଦ୍ବିତୀୟ ସେନାଧ୍ୟଧ ହେବେ, ଯାହାଙ୍କୁ ଏହି ପଦ ମିଳିଛି। ଭାରତର ଅପରେସନ୍ ସିନ୍ଦୂର ଓ ପୁରି ଦୁଇ ଦେଶ ମଧ୍ୟରେ କିଛି ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବା ପରେ ତାଙ୍କୁ ଏହି ପ୍ରମୋଶନ୍ ମିଳିଛି। ତେବେ ପାକିସ୍ତାନରେ ଚର୍ଚ୍ଚା ଚାଲିଛି ଯେ, ଅସୀମ ମୁନୀର ନିଜେ ନିଜର ପ୍ରମେଶନ୍ କରିଛନ୍ତି। ତାଙ୍କୁ ମିଳିଥିବା ପ୍ରମୋଶନ୍ ତାଙ୍କର ଓ ପିଏମ୍ ଶେହବାଜ ଶିଫ୍ଙ୍କ ମଧ୍ୟରେ ଏକ ଚୁକ୍ତିର ଫଳାଫଳ। ଏହି ଚୁକ୍ତି ଜେଲ୍ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ହୋଇଥିଲା। ଇମ୍ରାନ୍ ଖାନ୍ଙ୍କ ଲୋକପ୍ରିୟତା ଖୁବ୍ ଅଧିକ କୁହାଯାଉଥିଲା। ଯଦି ସେନା ଏବଂ ସରକାର ମିଶିକି କାମ କରନ୍ତି ତେବେ ତାଙ୍କୁ ରୋକିହେବ।
ଶୀର୍ଷ ସୁତ୍ରଙ୍କ ଅନୁସାରେ, ଇମ୍ରାନ୍ ଖାନ୍ଙ୍କୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ ଏକ ପ୍ରକାର ହାଇବ୍ରିଡ୍ ସରକାର ଚାଲୁଛି। ଏହି ହାଇବ୍ରିଡ୍ ସରକାରରେ ଅର୍ଥବ୍ୟବସ୍ଥା ଭଳି ପ୍ରସଙ୍ଗ ରାଜନୈତିକ ନେତୃତ୍ବ ଦେଖୁଥିବା ବେଳେ ଯୁଦ୍ଧ ସ୍ଥିତିରେ ସେନା ନେତୃତ୍ବ ନେଉଛି। ଏଭଳି ସରକାର ପରିଚାଳନାକୁ ନେଇ ସହମତିର କାରଣ ହେଉଛି ଇମ୍ରାନ୍ ଖାନ୍ଙ୍କୁ ଦୂରେଇ ରଖିବା। କେବଳ ସେତିକି ନୁହେଁ ‘ଅପରେସନ୍ ସିନ୍ଦୂର’ର ବିଫଳତାକୁ ନେଇ ଭବିଷ୍ୟତରେ କୌଣସି ସରକାର ତାଙ୍କ ବିରୋଧରେ କୋର୍ଟ ମାର୍ଶଲ କରିବାକୁ ଚାହିଁଲେ ତାହା ସମ୍ଭବ ହୋଇପାରିବନି।
ଫିଲ୍ଡ ମାର୍ଶଲଙ୍କୁ ପାକିସ୍ତାନରେ କୋର୍ଟ ମାର୍ଶଲ ସଜାଠାରୁ ଅଲଗା ରଖିବାର ନିୟମ ରହିଛି। ଏଭଳି ଭାବରେ ଅସୀମ ମୁନୀରଙ୍କୁ ଏକ ରକ୍ଷା କବଚ ଦେଇଛନ୍ତି ଶେହବଜା ସରକାର। ସେଭଳି ଶେହବାଜଙ୍କୁ କ୍ଷମତାରେ ରଖିବା ପାଇଁ ସବୁ ପ୍ରକାର ଜୋର ଲଗାଇ ଦେଇଛନ୍ତି ମୁନୀର। କାରଣ ମୁନୀର ଓ ଇମ୍ରାନ୍ ଖାନ୍ଙ୍କ ଏକ ଇତିହାସ ରହିଛି, ଯାହାକି ଶେହବାଜଙ୍କୁ ଫାଇଦା ପହଁଞ୍ଚାଉଛି। ମୁନୀରଙ୍କୁ ଆଇଏସ୍ଆଇ ଚିଫ୍ ପଦରୁ ଇମ୍ରାନ୍ ଖାନ୍ ହଟାଇଥିଲେ। ଏହାପରେ ଯେତେବେଳେ ଇମ୍ରାନ ଆରେଷ୍ଟ ହେଲେ ଏହାର ଦୋଷ ସେ ମୁନୀରଙ୍କ ଉପରେ ଲଗାଇଥିଲେ। କୁହାଯାଉଛି ଯେ, ଇମ୍ରାନ୍ ଖାନ୍ ଜେଲକୁ ଯିବା ପଛରେ ସେନା ଓ ଖାସ୍ ଭାବରେ ମୁନୀରଙ୍କ ହାତ ରହିଛି।