ନୂଆଦିଲ୍ଲୀ : ଟି-୨୦ ଏବଂ ଟେଷ୍ଟରୁ ଅବସର ଘୋଷଣା କରିସାରିଛନ୍ତି ଦୁଇ ଭାରତୀୟ ଦିଗଜ କ୍ରିକେଟର ବିରାଟ କୋହଲି ଏବଂ ରୋହିତ ଶର୍ମା । ଉଭୟ ଖେଳାଳି କେବଳ ଦିନିକିଆରେ ନଜର ଆସୁଛନ୍ତି । ୨୦୨୫ ବର୍ଷ ଉଭୟ ଖେଳାଳିଙ୍କ ଲାଗି ବେଶ ଭଲ ରହିଥିଲା । ଯେଉଁଠାରେ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ଉଭୟଙ୍କ ପ୍ରଦର୍ଶନ ମଧ୍ୟ ବେଶ ଭଲ ରହିଛି । ୨୦୨୭ ବିଶ୍ବକପରେ ଉଭୟଙ୍କୁ ଦେଖିବାକୁ ଫ୍ୟାନ୍ସମାନେ ଚାହିଁ ବସିଛନ୍ତି । ଏଭଳି ଏକ ସମୟରେ ୨୦୨୬ ମସିହାରେ ସେମାନେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ସବୁଠାରୁ ଚର୍ଚ୍ଚାର ବିଷୟ । ୨୦୨୬ରେ ସେମାନଙ୍କ ପ୍ରଦର୍ଶନ ଆଗାମୀ ବିଶ୍ବକପ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।

୨୦୨୬ ମସିହାରେ ଟିମ୍ ଇଣ୍ଡିଆ କେତୋଟି ODI ମ୍ୟାଚ୍ ଖେଳିବ?

୨୦୨୬ରେ, ଭାରତୀୟ ଦଳ ଛଅଟି ଭିନ୍ନ ଭିନ୍ନ ଦଳ ବିପକ୍ଷରେ ମୋଟ ୧୮ଟି ଦିନିକିଆ ଖେଳିପାରିବ। ଏଥିରେ ଘରୋଇ ଏବଂ ବିଦେଶ ସିରିଜ୍ ଅନ୍ତର୍ଭୁକ୍ତ । ରୋହିତ ଏବଂ ବିରାଟ ଏହି ମ୍ୟାଚ୍ ମଧ୍ୟରୁ ଅଧିକାଂଶରେ ଖେଳିବାର ସୁଯୋଗ ପାଇବେ । ଯଦି ସେମାନେ ଫିଟ୍ ରୁହନ୍ତି ଏବଂ ନିଜର ଫର୍ମ ବଜାୟ ରଖନ୍ତି ସବୁ ମ୍ୟାଚରେ ସୁଯୋଗ ନିଶ୍ଚିତ ଭାବେ ମିଳିବ । ଏହି ବର୍ଷ ସେମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କାରଣ ବିଶ୍ୱକପ୍ ପୂର୍ବରୁ ଦିନିକିଆ ସଂଖ୍ୟା ସୀମିତ, ଏବଂ ସମସ୍ତେ ସେମାନଙ୍କ ପ୍ରଦର୍ଶନ ଉପରେ ନଜର ରଖିବେ।

ରୋହିତ ଏବଂ ବିରାଟଙ୍କ ପାଇଁ ଅନେକ ସୁଯୋଗ...

ଜାନୁଆରୀ ୨୦୨୬ ରେ, ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଖେଳିବ । ୧୧ରୁ ୧୮ ତାରିଖ ମଧ୍ୟରେ ଭାରତ ତିନୋଟି ଦିନିକିଆ ମ୍ୟାଚ ଖେଳିବ । ବର୍ଷ ଆରମ୍ଭରୁ ଫର୍ମ ବଜାୟ ରଖିବା ଲାଗି ଉଭୟ ଖେଳାଳିଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏହା ପରେ ଟିମ୍ ଇଣ୍ଡିଆ ଜୁଲାଇରେ ଇଂଲଣ୍ଡ ଗସ୍ତ କରିବ, ଯେଉଁଠାରେ ଜୁଲାଇ ୧୪ ରୁ ୧୯ ତାରିଖ ମଧ୍ୟରେ ତିନୋଟି ଦିନିକିଆ ଖେଳାଯିବ । ଏହା ପରେ ଭାରତ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିପାରେ, କିନ୍ତୁ କାର୍ଯ୍ୟସୂଚୀ ଘୋଷଣା କରାଯାଇ ନାହିଁ।

ଟିମ୍ ଇଣ୍ଡିଆ ଅକ୍ଟୋବର ୨୦୧୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଘରୋଇ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟ ମଧ୍ୟରେ ଦୁଇ ଦଳ ମଧ୍ୟରେ ତିନୋଟି ଦିନିକିଆ ଖେଳାଯିବ । ରୋହିତ ଏବଂ ବିରାଟଙ୍କ କାରିବିଆନ୍ ଦଳ ବିପକ୍ଷରେ ଉତ୍କୃଷ୍ଟ ରେକର୍ଡ ରହିଛି, ତେଣୁ ଏହି ସିରିଜ୍ ସେମାନଙ୍କ ପାଇଁ ସ୍ମରଣୀୟ ହୋଇପାରେ । ଏଥି ସହ ଟିମ୍ ଇଣ୍ଡିଆ ଅକ୍ଟୋବର-ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟି ଦିନିକିଆ ଖେଳାଯିବ । ତା'ପରେ, ବର୍ଷ ଶେଷରେ, ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଏକ ଘରୋଇ ସିରିଜ୍ ଖେଳିବ। ଯେଉଁଥିରେ ତିନୋଟି ଦିନିକିଆ ମଧ୍ୟ ସାମିଲ ରହିବ । ଏଣୁ ବିରାଟ- ରୋହିତଙ୍କ ପାଇଁ ଭଲ ପ୍ରଦର୍ଶନ ପାଇଁ ଅନେକ ଗୁଡ଼ିଏ ସୁଯୋଗ ରହିଛି ।