ବୟସ ବଢିବା ସହ ହାର୍ଟ ସମ୍ବନ୍ଧୀୟ ରୋଗ ଓ ଫ୍ୟାଟି ଲିଭର ଭଳି ବିଭିନ୍ନ ପ୍ରକାର ରୋଗ ବୃଦ୍ଧି ପାଇଥାଏ । କିନ୍ତୁ ଅଧିକ ବୟସରେ ମଧ୍ୟ ସମସ୍ତେ ଫିଟ ପାଇଁ ଚାହିଁଥାଆନ୍ତି । ଦୀର୍ଘ ସମୟ ଧରି ସୁସ୍ଥ ରହିବା ଏବଂ ଫିଟ୍ ରହିବା ପାଇଁ ବିଶେଷଜ୍ଞ ମାନେ ସର୍ବଦା ଚାଲିବାକୁ ସୁପାରିଶ କରନ୍ତି ।  ହେଲେ ପ୍ରତ୍ୟେକ ଦିନ  ୧୦ ହଜାର ଷ୍ଟେପ୍‌  ଚାଲିବା  ଜରୁରୀ କି ?  ଅନେକ ଦିନ ଧରି ଏକ ଧାରଣା ରହିଆସିଛି ଯେ ସୁସ୍ଥ ରହିବା ପାଇଁ ଦୈନିକ ୧୦ ହଜାର ଷ୍ଟେପ୍‌  ଚାଲିବା ଆବଶ୍ୟକ। କିନ୍ତୁ, ନିକଟରେ ହୋଇଥିବା ନୂଆ  ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ ସୁସ୍ଥ ରହିବା ପାଇଁ  ୧୦,୦୦୦  ଷ୍ଟେପ୍‌  ଚାଲିବା  ବାଧ୍ୟତାମୂଳକ ନୁହେଁ, ଏହାଠାରୁ କମ୍ ପାଦ ଚାଲିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅନେକ ଫାଇଦା ମିଳିପାରିବ।  ଯଦି ଆମେ ୧୦ ହଜାର ବଦଳରେ ୭ ହଜାର ଷ୍ଟେପ ବି ଚାଲୁଛନ୍ତି ତେବେ ହାର୍ଟ ଡିଜିଜ୍‌,  ଡିପ୍ରେସନ ଏବଂ ଡାଇବେଟିସ୍‌  ଭଳି ଆଦି ରୋଗର ବିପଦ ଅଧା କମି ଯାଇଥାଏ ।  

ନିକଟରେ "ଦି ଲାନସେଟ୍ ପବ୍ଲିକ୍ ହେଲ୍ଥ" ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଦୈନିକ ୭ ହଜାର ଷ୍ଟେପ୍ ଚାଲିବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଆସିଥାଏ । ଯେଉଁମାନେ ଦୈନିକ ପ୍ରାୟ ୨ହଜାର ପାଦ ଚାଲନ୍ତି, ସେମାନଙ୍କ ତୁଳନାରେ ୭,୦୦୦ ପାଦ ଚାଲୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାର ସୁଫଳ ଦେଖିବାକୁ ମିଳିଥିଲା। ଯେପରିକି ଅକାଳ ମୃତ୍ୟୁର ଆଶଙ୍କା ୪୭% କମ୍  ହୋଇଥାଏ। ହୃଦ୍‌ରୋଗର ଆଶଙ୍କା ୨୫% କମ୍  ଏବଂ ଡିମେନ୍ସିଆ ଆଶଙ୍କା ୩୮% କମ୍ ହୋଇଥାଏ। ସେହିପରି  ଡିପ୍ରେସନର ଆଶଙ୍କା ମଧ୍ୟ ୨୨% କମ୍ ହୋଇଥାଏ। ଏପରିକି ଯେଉଁମାନେ ଦୈନିକ ୨,୦୦୦ ପାଦରୁ ବଢ଼ାଇ ୪,୦୦୦ ପାଦ ଚାଲନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଅକାଳ ମୃତ୍ୟୁର ଆଶଙ୍କା ୩୬% ପର୍ଯ୍ୟନ୍ତ କମିଯାଏ । 

ବିଶେଷଜ୍ଞଙ୍କ ମତରେ,୬୦ ବର୍ଷରୁ କମ୍ ବୟସ୍କ ବ୍ୟକ୍ତି ସର୍ବାଧିକ ସ୍ୱାସ୍ଥ୍ୟ ଲାଭ ପାଇଁ ଦୈନିକ ୮,୦୦୦ରୁ ୧୦,୦୦୦ ପାଦ ଚାଲିବା ଉଚିତ୍।  ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏହି ବୟସରେ ଦୈନିକ ୬,୦୦୦ରୁ ୮,୦୦୦ ପାଦ ଚାଲିଲେ ମଧ୍ୟ ସମାନ ସୁଫଳ ମିଳିଥାଏ । ତେବେ  ଚାଲିବା ଦ୍ୱାରା ମାଂସପେଶୀ ଶକ୍ତ ହୁଏ ଏବଂ ଗଣ୍ଠିଗୁଡ଼ିକ ସଚଳ ରହେ ।   ନିୟମିତ ଚାଲିଲେ ହୃତ୍‌ପିଣ୍ଡ ସୁସ୍ଥ ରହେ ଏବଂ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ଭାବରେ ହୋଇଥାଏ। ଚାଲିବା ଦ୍ୱାରା ମୁଡ୍ ଭଲ ରହେ ଏବଂ ଚିନ୍ତା ଓ ଅବସାଦ କମିଥାଏ। ଦ୍ରୁତ ଗତିରେ ଚାଲିବା ଦ୍ୱାରା କ୍ୟାଲୋରୀ ବର୍ଣ୍ଣ ହୁଏ, ଯାହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ଯଦି ଆପଣ ଦୈନିକ ୧୦ ହଜାର ଷ୍ଟେପ ଚାଲିପାରୁ ନାହାନ୍ତି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ଆପଣଙ୍କ ଲକ୍ଷ୍ୟ ୭,୦୦୦ ରୁ ୮,୦୦୦ ପାଦ ଚାଲିବା ମଧ୍ୟରେ ରଖିପାରିବେ ।  ଯଦି ଆପଣ ପୂର୍ବରୁ ଅଧିକ ଚାଲୁନାହାନ୍ତି, ତେବେ ଧୀରେ ଧୀରେ ଆରମ୍ଭ କରନ୍ତୁ । ପ୍ରତିଦିନ କିଛି ଅଧିକ ପାଦ ଚାଲିବାକୁ ଚେଷ୍ଟା କରିପାରିବେ।