ନୂଆଦିଲ୍ଲୀ: ମଦ୍ୟପାନ କରି ଗାଡ଼ି ଚଳାଇଲେ ପୋଲିସ ଚାଲାଣ କାଟେ । କିନ୍ତୁ କେବେ ଭାବିଛନ୍ତି ବ୍ଲଡ୍ରେ କେତେ ପରିମାଣରେ ଆଲକହଲ୍ ଥିଲେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ମାମଲା ହୁଏ ? ଅନେକ ଲୋକ ଏ ସଂପର୍କରେ ଜାଣିନଥିବେ । ତେବେ ଆପଣ କେତେ ପରିମାଣରେ ମଦ୍ୟପାନ କରି ଗାଡ଼ି ଚଳାଇଲେ ଆପଣଙ୍କ ବିରୋଧରେ ମାମଲା ହେବ, ଆସନ୍ତୁ ଜାଣିବା ।
ଆମ ଦେଶ ଭାରତରେ ଗାଡ଼ି ଚଳାଉଥିବା ଲୋକଙ୍କ ଲାଗି ବିଏସି ବା ବ୍ଲଡ୍ ଆଲକହଲ୍ କଣ୍ଟେଣ୍ଟ ଲିମିଟ୍ ୦.୦୩ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ଏହାର ଅର୍ଥ ପ୍ରତି ୧୦୦ ଏମଏଲ ବ୍ଲଡ ବା ରକ୍ତରେ ୩୦ ମିଲିଗ୍ରାମ ଆଲକହଲ୍ ଗ୍ରହଣୀୟ । ସେହିଭଳି ବ୍ୟବସାୟିକ ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଏହି ଲିମିଟ୍ ଶୂନ ରହିଛି । କମର୍ସିଆଲ୍ ଭେଇକିଲ୍ ଚଳାଉଥିବା ଲୋକଙ୍କ ବ୍ଲଡ୍ରେ ଆଲକହଲ୍ର ମାତ୍ରା ନରହିବା ଆବଶ୍ୟକ ।
ଏଭଳି ସ୍ଥିତିରେ ଯଦି ବିଏସି ଅନୁସାରେ ଆପଣଙ୍କ ରକ୍ତରେ ଆଲକହଲ୍ ରହିଥାଏ ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ଆଇନ୍ ଅନୁସାରେ, ଆପଣଙ୍କ ବିରୋଧରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ମାମଲା ହେବ ନାହିଁ । କିନ୍ତୁ ଏହି ମାତ୍ରା ଅଧିକ ହେଲେ ଜରିମାନା ସହ ଜେଲ ଯିବାକୁ ପଡ଼ିପାରେ । ମୋଟର ଭେଇକିଲ୍ ଆକ୍ଟର ଧାରା ୧୮୬ ଅନୁସାରେ, ଯଦି ଜଣେ ଡ୍ରାଇଭର ପ୍ରଥମ ଥର ମଦ୍ୟପାନ କରି ଧରାପଡ଼ନ୍ତି ତେବେ ତାଙ୍କୁ ୬ ମାସ ଜେଲ୍ କିମ୍ବା ୨୦୦୦ ଟଙ୍କା ଫାଇନ୍ ଲାଗିପାରେ । କିଛି ନିର୍ଦ୍ଦିଷ୍ଟ ମାମଲାରେ, ଜେଲ ସହ ଜରିମାନା ହୋଇପାରେ ।
ଦ୍ବିତୀୟ ଥର ଧରାପଡ଼ିଲେ, ଦୁଇ ବର୍ଷ ଜେଲ ଏବଂ ୩୦୦୦ ଟଙ୍କା ଦେଇପାରନ୍ତି ମଦ୍ୟପ ଡ୍ରାଇଭର । ସେପଟେ କମର୍ସିଆଲ୍ ଭେଇକିଲ୍ ଚଳାଉଥିବା ବ୍ୟକ୍ତିଙ୍କ ଲାଗି ବିଏସି ଲିମିଟ୍ ଶୂନ ରହିଛି । ଏଭଳି ସ୍ଥିତିରେ ଯଦି ଜଣେ ଡ୍ରାଇଭର ନିଶାରେ ଥିବା ଜଣାପଡ଼େ, ତେବେ ତାଙ୍କୁ ଉଭୟ ଜେଲ୍ ଏବଂ ଜରିମାନା ଲାଗିବା ନିଶ୍ଚିତ ।