ନୂଆଦିଲ୍ଲୀ,୨୪।୫:ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କୀ ହମଲାକୁ ନେଇ ସାରା ଦେଶ ହୋଇଥିଲା ମର୍ମାହତ। ଏବେ ଏହାକୁ ନେଇ ଆସିଛି ବଡ ଅପଡେଟ। ଆତଙ୍କବାଦୀ ମାନେ କେଉଁ ରାସ୍ତା ଦେଇ ଭାରତରେ ପ୍ରବେଶ କରିଥିଲେ ତାହାର ପ୍ରମାଣ ମିଳିଛି। ଏନେଇ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ସୂଚନା ଦେଇଛି। ଏନ୍ଆଇଏ ସୂଚନା ଅନୁସାରେ ଆତଙ୍କବାଦୀ ମାନେ ପାକିସ୍ତାନର ଆବୋଟ୍ଟାବାଦରୁ ମୁଜାଫରାବାଦ ଦେଇ ଭାରତକୁ ପ୍ରବେଶ କରିଥିଲେ। ସେହିପରି ପୁଞ୍ଚ-ରଜୌରୀ ସେକ୍ଟରରେ ଏହି ଆତଙ୍କୀ ମାନେ ଭାରତରେ ପ୍ରବେଶ କରିଥିଲେ। କେବଳ ସେତିକି ନୁହେଁ ଏହି ଆତଙ୍କୀମାନେ ବିଭିନ୍ନ ପ୍ରକାରର ମାର୍ସଲ ଆର୍ଟସ ଓ କମ୍ବାଟରେ ଖୁବ୍ ପାରଙ୍ଗମ ଥିଲେ ବୋଲି କୁହାଯାଇଛି।
ଏନଆଇଏ ସୂଚନା ଅନୁସାରେ, ଆତଙ୍କୀ ହମଲା ଲିଙ୍କରେ ୨ଜଣଙ୍କୁ ଶନିବାର ଗିରଫ କରାଯାଇଛି। ସେମାନେ ଆତଙ୍କୀଙ୍କୁ ଆଶ୍ରୟ ଦେଇଥିଲେ। ସେମାନେ ହେଉଛନ୍ତି ବାରକୋଟର ପରଭେଜ୍ ଅହମ୍ମଦ ଓ ପହଲଗାମ୍ର ବସିର ଅହମ୍ମଦ। ସେପଟେ ୩ ଆତଙ୍କବାଦୀଙ୍କ ପରିଚୟ ଦେଇଛନ୍ତି ଗିରଫ ହୋଇଥିବା ୨ ଅଭିଯୁକ୍ତ । ୨ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଥିବା ବେଳେ ପଚରାଉଚୁରାରୁ ମିଳିଥିବା ତଥ୍ୟ ଅନୁସାରେ ଭୁଲ ସ୍କେଚ କଥା ସ୍ପଷ୍ଟ ହୋଇଛି। ୨୨ରେ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ତିନି ଜଣ ଆତଙ୍କବାଦୀ ପାକିସ୍ତାନୀ ନାଗରିକ ଏବଂ ଲସ୍କର-ଇ-ତୋଇବା ସହିତ ଜଡିତ ବୋଲି ଜାଣିବାକୁ ପାଇଛି NIA ।
ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଏବଂ ୧୬ ଜଣଙ୍କୁ ଆହତ କରିଥିଲେ ଆତଙ୍କବାଦୀ। ଏହାର ମୁକାବିଲା କରିବାକୁ ଭାରତ ପକ୍ଷରୁ ପାକିସ୍ତାନରେ ହୋଇଥିଲା ‘ଅପରେସନ୍ ସିନ୍ଦୂର’। ଭାରତ-ପାକିସ୍ତାନ ମଧରେ ୪ ଦିନ ଧରି ଲାଗି ଥିଲା ଯୁଦ୍ଧ ଭଳି ସ୍ଥିତି। ଭାରତର ହମଲାରେ ଧରାଶାୟୀ ହୋଇଥିଲା ପାକିସ୍ତାନ।