ରାମାୟଣରେ ଆମେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଏବଂ ମାତା ସୀତାଙ୍କ ପବିତ୍ରତା ବିଷୟରେ ଜାଣୁ। ହେଲେ ଏହି ମହାକାବ୍ୟର ସବୁଠୁ ଶକ୍ତିଶାଳୀ, ବିଦ୍ୱାନ ଏବଂ ରହସ୍ୟମୟ ଚରିତ୍ର ହେଉଛି 'ଲଙ୍କାପତି ରାବଣ’ । ରାବଣ କେବଳ ଅସୁର ରାଜା ନଥିଲା ସେ ଥିଲା ଚାରି ବେଦ ଏବଂ ଛଅ ଶାସ୍ତ୍ରର ଜ୍ଞାନୀ ବ୍ରାହ୍ମଣ । ଜାଣନ୍ତି କି ରାବଣକୁ ପ୍ରଭୂ ଶ୍ରୀରାମ ମାରିବା ପରେ ତାଙ୍କର ଶେଷକୃତ୍ୟ କିଏ କରିଥିଲେ? ଏହା କେତେ ଦିନ ପରେ ହୋଇଥିଲା? ରାବଣର ସାନ ଭାଇ ବିଭୀଷଣ ଦାହ ସଂସ୍କାର କରିବାକୁ କାହିଁକି ମନା କରିଥିଲେ? କ’ଣ ରାବଣର ମୃତ ଦେହ ଏବେବି ସଂରକ୍ଷିତ ଅଛି କି .. କିଏ ସେହି ନାଗବଂଶୀ .. ସେମାନେ ଗୁମ୍ଫା ଭିତରେ କାହାର ମୃତଦେହକୁ ମମି କରି ରଖିଛନ୍ତି ... କ’ଣ ରାବଣର ସମ୍ପତି ମଧ୍ୟ ସେହି ଗୁମ୍ଫାରେ ରହିଛି... ରାମ ନିଜେ ବାନର ସେନା ସହିତ କାହିଁକି ଉପସ୍ଥିତ ଥିଲେ? ଆସନ୍ତୁ ଜାଣିବା ସତ କ’ଣ ?  

​​​​​​​

ରାକ୍ଷାସ ରାଜା ରାବଣ । ବେଦ-ଉପନିଷଦରେ ପାରଙ୍ଗମ। ପାଖରେ ଥିଲା ସୁନାର ଲଙ୍କା, ଭଗବାନ ଶିବଙ୍କର ସବୁଠୁ ବଡ଼ ଭକ୍ତ। ଏମିତି କି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କଠାରୁ ବି ମିଳିଥିଲା ଅମରତ୍ବ ବର। ଏତେ ସବୁ ଗୁଣ ଥିବା ସତ୍ବେ ଅଂହଙ୍କାର ଏବଂ ଅନ୍ୟାୟ କାରଣରୁ ସ୍ବର୍ଣ୍ଣଲଙ୍କା ଛାରଖାର ହୋଇଥିଲା। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମ ହାତରେ ହେଲା ରାବଣର ବଧ । ଏହା ଦୁଇ ରାଜାଙ୍କ ମଧ୍ୟରେ ଏକ ସଂଘର୍ଷ ନଥିଲା, ବରଂ ଧର୍ମ ଏବଂ ଅଧର୍ମ ମଧ୍ୟରେ ଥିଲା ଯୁଦ୍ଧ। ଯେତେବେଳେ ରାମ ତାଙ୍କର ବିଶାଳ ବାନର ସେନା ସହିତ ଲଙ୍କାରେ ପହଞ୍ଚିଲେ, ରାବଣର ସେନା ସହିତ ଏକ ଭୟଙ୍କର ଯୁଦ୍ଧ ହେଲା। ରାବଣ ସେନାର ସମସ୍ତ ଯୋଦ୍ଧା ଗୋଟି ଗୋଟି କରି ନିହତ ହେଲେ। ଶେଷରେ ରାବଣ ଯୁଦ୍ଧରେ ପ୍ରବେଶ କଲା, ତାକୁ ମାରିବା ଖୁବ୍ କଷ୍ଟକର ଥିଲା। କିନ୍ତୁ ଦଶମ ଦିନରେ,ରାବଣର ନାଭିକୁ ବ୍ରହ୍ମାସ୍ତ୍ର ମାରିଥିଲେ ରାମ। କିନ୍ତୁ ଦଶମ ଦିନରେ,ରାବଣର ନାଭିକୁ ବ୍ରହ୍ମାସ୍ତ୍ର ମାରିଥିଲେ ରାମ। ମାଟିରେ ଟଳି ପଡିଥିଲା ରାବଣ। ମୃତ୍ୟୁର ମାତ୍ର କିଛି କ୍ଷଣ ପୂର୍ବରୁ ତିନି ଥର ରାମଙ୍କ ନାମ ନେଇଥିଲା।

ତେବେ ରାବଣର ଅନ୍ତିମ ସଂସ୍କାର କିଏ ଓ କେତେ ବେଳେ କରିଥିଲେ ତାକୁ ନେଇ ରହିଛି କିଛି ରହସ୍ୟ। ରାବଣର ଅନ୍ତିମ ସଂସ୍କାର ତା’ର ମୃତ୍ୟୁର କିଛି ଘଣ୍ଟା ଭିତରେ କରାଯାଇଥିଲା। ବାଲ୍ମିକୀ ରାମାୟଣ ଅନୁସାରେ, ରାବଣର ମୃତ୍ୟୁ ପରେ ବିଭୀଷଣ ବଡ଼ ଭାଇର ଦାହ ସଂସ୍କାର କରିବାକୁ ମନା କରିଦେଇଥିଲେ। କାରଣ ସେ ରାବଣକୁ ଅଧର୍ମୀ ଓ ଶତ୍ରୁ ମାନୁଥିଲେ। କିନ୍ତୁ ଶ୍ରୀରାମଙ୍କ ତାଙ୍କୁ ବୁଝାଇଥିଲେ ମୃତ୍ୟୁ ପରେ ପାପ-ପୁଣ୍ୟ ଏବଂ ଶତ୍ରୁତା ସବୁକିଛି ସରିଯାଏ। ରାମଙ୍କ କଥା ମାନି ବିଭୀଷଣ ଦାହା କରିଥିଲେ। ରାମ ମଧ୍ୟ ରାବଣ ପ୍ରତି ଆଦର ଏବଂ ଧର୍ମ ଅନୁକୂଳ ବ୍ୟବହାର ଦେଖାଇଥିଲେ। ବାନର ସେନା ସହ ରାମ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। ହିନ୍ଦୁ ଧର୍ମ ଅନୁସାରେ ଲଙ୍କାରେ ରାଜକୀୟ ସମ୍ମାନ ଏବଂ ବ୍ରାହ୍ମଣଙ୍କ ବେଦ-ମନ୍ତ୍ର ପାଠ ମଧ୍ୟରେ କରାଯାଇଥିଲା ରାବଣର ଦାହ ସଂସ୍କାର।

ପୌରାଣିକ କଥା ଓ କିଛି ମାନ୍ୟତା ଅନୁସାରେ, ବିଭୀଷଣ ରାବଣର ଶବଦାହ ପାଇଁ ମନା କରିଦେଇଥିଲେ। ସେତେବେଳେ ନାଗ ବଂଶ ରାବଣର ମୃତ ଶରୀରକୁ ମମି କରି ସୁରକ୍ଷିତ ରଖିଥିଲା। କୁହାଯାଏ ଯେ ରାବଣର ଶରୀରକୁ ଶ୍ରୀଲଙ୍କାର ରାଗଲା ଜଙ୍ଗଲର ଏକ ଗୁମ୍ଫାରେ ୧୮ ଫୁଟ ଲମ୍ବା କଫିନରେ ରଖାଯାଇଛି, ଯାହା ତଳେ ରାବଣର ଧନ ସମ୍ପତ୍ତି ରହିଛି। ନାଗ ବଂଶ ବିଶ୍ୱାସ କରୁଥିଲେ ଯେ, ରାବଣ ପୁଣିଥରେ ବଞ୍ଚିବ। ଶ୍ରୀଲଙ୍କାର ଅନ୍ତର୍ଜାତୀୟ ରାମାୟଣ ଗବେଷଣା କେନ୍ଦ୍ର ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ରାମାୟଣ ସହିତ ଜଡିତ ୫୦ ଟି ସ୍ଥାନର ସନ୍ଧାନ ସମୟରେ, ଏହି ସ୍ଥାନ ବିଷୟରେ ଉଲ୍ଲେଖ କରାଯାଇଥିଲା। ଏହି ଗୁମ୍ଫା ୮୦୦ ଫୁଟ ଉଚ୍ଚତାରେ ଅବସ୍ଥିତ। କୁହାଯାଏ ଯେ, ରାବଣର ଶରୀରକୁ ଏହି କଫିନ ଭିତରେ ପ୍ରଚୁର ଧନ ସମ୍ପତ୍ତି ସହ ରଖାଯାଇଛି। କିନ୍ତୁ ସେଠାରେ ପହଞ୍ଚିବା ପ୍ରାୟ ଅସମ୍ଭବ । କାରଣ ଏହାକୁ ବିଷଧର ସାପ ଏବଂ ଭୟଙ୍କର ପ୍ରାଣୀମାନେ ଜଗି ରହିଛନ୍ତି। ଏକ ସ୍ୱତନ୍ତ୍ର ଲେପ ଦେଇ ମମି ରଖାଯାଇଛି। ଯଦିଓ ରାବଣ  ପାର୍ଥିବ ଶରୀର ସେଠାରେ ଥିବାର  କୌଣସି ଠୋସ୍ ବୈଜ୍ଞାନିକ ପ୍ରମାଣ ନାହିଁ ତେବେ ମୁଖ୍ୟତଃ ସ୍ଥାନୀୟ ଲୋକକଥା ଏବଂ ବିଶ୍ୱାସ ଉପରେ ଏହା ଆଧାରିତ।