ନୂଆଦିଲ୍ଲୀ: ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି । ସେ କହିଛନ୍ତି, ଭାରତକୁ ରୁଷରୁ ତେଲ କିଣିବା ବନ୍ଦ କରିବାକୁ ପଡିବ, ତେବେ ହିଁ ଉଚ୍ଚ ଶୁଳ୍କ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ । ଲୁଟନିକ୍ କହିଛନ୍ତି ଯେ, ବର୍ତ୍ତମାନ ସେ ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ରଏଟର୍ସ ରିପୋର୍ଟ ଅନୁସାରେ, ହାୱାର୍ଡ ଲୁଟନିକ୍ କହିଛନ୍ତି, ‘ଯେତେବେଳେ ଭାରତ ରୁଷୀୟ ତେଲ କିଣିବା ବନ୍ଦ କରିଦେବ , ଆମେ ସେମାନଙ୍କ ସହିତ ସମସ୍ତ ସମସ୍ୟାର ସମାଧାନ କରିବୁ।

ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ପରମ ବନ୍ଧୁ ବୋଲି କହୁଛନ୍ତି ଅନ୍ୟପଟେ ତାଙ୍କ ମନ୍ତ୍ରୀମାନେ ଭାରତକୁ ଧମକ ଦେଉଛନ୍ତି। ହାୱାର୍ଡ ଲୁଟନିକ୍ ସ୍ପଷ୍ଟ ଭାବରେ ସୂଚାଇ ଦେଇଛନ୍ତି ଯେ, ଭାରତ ରୁଷୀୟ ତେଲ କିଣିବା ବନ୍ଦ କରିବା ଉଚିତ ନଚେତ୍ ଶୁଳ୍କ ଏବଂ ବାଣିଜ୍ୟ ଚୁକ୍ତି ଉପରେ କୌଣସି ଆଲୋଚନା ହେବ ନାହିଁ ।

ହାୱାର୍ଡ ଲୁଟନିକ୍ ରୁଷୀୟ ତେଲ କିଣିବା ପାଇଁ ଭାରତକୁ ନିରନ୍ତର ଟାର୍ଗେଟ କରି ଆସୁଛନ୍ତି। ସେ କହିଛନ୍ତି ଯେ, ୫୦ ପ୍ରତିଶତ ଶୁଳ୍କ ସମ୍ମୁଖୀନ ହେଉଥିବା ଭାରତ ଖୁବଶୀଘ୍ର ଆମେରିକୀୟ ଚାପର ସମ୍ମୁଖୀନ ହେବ । ଗତ ସପ୍ତାହରେ ବ୍ଲୁମବର୍ଗକୁ ଏକ ସାକ୍ଷାତକାରରେ ସେ କହିଥିଲେ, ‘ମୁଁ ଭାବୁଛି ଗୋଟିଏ କିମ୍ବା ଦୁଇ ମାସ ମଧ୍ୟରେ ଭାରତ ଆଲୋଚନା ଟେବୁଲରେ ରହିବ। ସେମାନେ କ୍ଷମା ମାଗିବେ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆପୋଷ ସମାଧାନ କରିବାକୁ ଚେଷ୍ଟା କରିବେ।

ଟ୍ରମ୍ପ ଶୁକ୍ରବାର (୫ ସେପ୍ଟେମ୍ବର ୨୦୨୫) କହିଥିଲେ, ‘ଭାରତ ଏବଂ ଆମେରିକା ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି । ଚିନ୍ତା କରିବାର କିଛି ନାହିଁ । ତାଙ୍କ ମନ୍ତବ୍ୟର କିଛି ଘଣ୍ଟା ପରେ, ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନାକୁ ପ୍ରଶଂସା କରନ୍ତି ଏବଂ ତାଙ୍କୁ ପୂର୍ଣ୍ଣ ସମର୍ଥନ କରନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ, ‘ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଆମ ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ହୃଦୟର ସହିତ ପ୍ରଶଂସା କରେ ଏବଂ ପୂର୍ଣ୍ଣ ସମର୍ଥନ କରେ। ଭାରତ ଏବଂ ଆମେରିକା ମଧ୍ୟରେ ଏକ ଅତ୍ୟନ୍ତ ସକାରାତ୍ମକ ଏବଂ ଦୂରଦୃଷ୍ଟିସମ୍ପନ୍ନ ରଣନୈତିକ ସହଭାଗୀତା ରହିଛି।