ନୂଆଦିଲ୍ଲୀ,୨୨।୯:  ଝାଡ଼ଖଣ୍ଡର ଜାମତାରା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ହାଓ୍ବଡା-ନୂଆଦିଲ୍ଲୀ ରେଳ ରୁଟରେ ଟାଟା ୧୮୧୮୪ ସୁପରଫାଷ୍ଟ ଟ୍ରେନର ଏକ ବଗିରେ ହଠାତ୍ ନିଆଁ ଲାଗିଯାଇଛି। ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ଘଟଣାଟି ଜାମତାରା ଜିଲ୍ଲାର କଲାଝରିଆ ରେଲଓ୍ବେ ଟ୍ରାକ୍ ନିକଟରେ ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଇଞ୍ଜିନ ସହିତ ସଂଲଗ୍ନ ତୃତୀୟ ବଗିରୁ ହଠାତ୍ ଧୂଆଁ ଏବଂ ନିଆଁ ବାହାରିବାକୁ ଲାଗିଲା। ଫଳରେ ଯାତ୍ରୀମାନେ ଭୟଭୀତ ହେଇଯାଇଥିଲେ। ଜୀବନ ବଞ୍ଚାଇବା ପାଇଁ କିଛି ଯାତ୍ରୀ ଚଳନ୍ତା ଟ୍ରେନରୁ ବାହାରକୁ ଡେଇଁ ପଡିଥିଲେ। ଲୋକୋ ପାଇଲଟ୍‌ ଉପସ୍ଥିତ ବୁଦ୍ଧି ଦେଖାଇବ ଏହା ପରେ ତୁରନ୍ତ ଟ୍ରେନ୍‌କୁ ରୋକି ଦେଇଥିଲେ। ଫଳରେ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା। ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଟ୍ରେନ୍ ରହିଥିଲା। ଏହି ସମୟରେ ରେଲଓ୍ବେ ଷ୍ଟାଫ୍  ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।

ରେଳ ଅଧିକାରୀଙ୍କ କହିବା ଅନୁସାରେ, ବଗି ଭିତରେ ଥିବା ଅଣ୍ଡର ଗିୟରରୁ ନିଆଁ ଲାଗିଥିଲା। ଜାମତାରା ଷ୍ଟେସନରେ ପହଞ୍ଚିବା ପରେ, ଟ୍ରେନଟିର ଏକ ସମ୍ପୂର୍ଣ୍ଣ ଟେକ୍ନିକାଲ ଯାଞ୍ଚ କରାଯାଇଥିଲା। ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଘଟଣାର ବିସ୍ତୃତ ତଦନ୍ତ ଚାଲିଛି ଏବଂ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ସତର୍କତା ଅବଲମ୍ବନ କରାଯିବ।