ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆଫଗାନିସ୍ତାନର ତାଲିବାନ ସରକାର ଗୁରୁବାର ଦାବି କରିଛି ଯେ ବୁଧବାର ଦିନ ପାକିସ୍ତାନ କାବୁଲରେ ଦୁଇଟି ଡ୍ରୋନ ଆକ୍ରମଣ କରିଛି। କାବୁଲ ପୋଲିସ ମୁଖ୍ୟଙ୍କ ମୁଖପାତ୍ର ଖାଲିଦ ଜାଦ୍ରାନ କହିଛନ୍ତି ଯେ ବୁଧବାର ଅପରାହ୍ନରେ ଏହି ଆକ୍ରମଣ ହୋଇଥିଲା। ପ୍ରଥମ ଆକ୍ରମଣରେ ଏକ ଘରୋଇ ଘରକୁ ଟାର୍ଗେଟ କରି ହୋଇଥିବା ବେଳେ ଦ୍ୱିତୀୟ ଆକ୍ରମଣଟି ଏକ ବଜାରକୁ ଟାର୍ଗେଟ କରି କରାଯାଇଥିଲା।
ଏହି ଆକ୍ରମଣ ଏପରି ସମୟରେ ହୋଇଥିଲା ଯେତେବେଳେ ଦୁଇ ଦେଶ ମଧ୍ୟରେ ସମ୍ପ୍ରତି ହିଂସା ପରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଜଦ୍ରାନ୍ ସ୍ପଷ୍ଟ ଭାବେ ମୃତାହତଙ୍କ ସଂଖ୍ୟା ପ୍ରଦାନ କରିନଥିଲେ ମଧ୍ୟ, ହସ୍ପିଟାଲ ସୂତ୍ର ଅନୁସାରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି।
ଆକ୍ରମଣ ପରେ ତୁରନ୍ତ ତାଲିବାନ ସରକାରଙ୍କ ମୁଖପାତ୍ର ଜାବିଉଲ୍ଲାହ ମୁଜାହିଦ ପ୍ରଥମେ ଏହାକୁ ଏକ ତେଲ ଟ୍ୟାଙ୍କର ବିସ୍ଫୋରଣ ବୋଲି ବର୍ଣ୍ଣନା କରିଥିଲେ, କିନ୍ତୁ ପରେ ଏହାକୁ ଏକ ଡ୍ରୋନ୍ ଆକ୍ରମଣ ବୋଲି ନିଶ୍ଚିତ କରିଥିଲେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଘଟଣା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି, ଏବଂ ଦୁଇ ଦେଶ ସମ୍ପ୍ରତି 48 ଘଣ୍ଟାର ଅସ୍ତ୍ରବିରତି ଘୋଷଣା କରିଛନ୍ତି।