ବୌଦ୍ଧ, ୧୪/୦୯: ବୌଦ୍ଧ ଜିଲ୍ଲା ପୁଲିସ ପକ୍ଷରୁ ସମଗ୍ର ଜିଲ୍ଲାରେ ଅପରେସନ ପ୍ରହାର ଜାରି ରହିଛି । ଏହି ଅପରେସନରେ ଗଞ୍ଜେଇ ମାଫିଆଙ୍କୁ କଣ୍ଟାମାଳ ପୁଲିସ ପକ୍ଷରୁ ଏକ ବଡ ପ୍ରହାର ପଡ଼ିଛି । ଚାଲାଣ କରିବା ବେଳେ ପୁଲିସକୁ ଦେଖି ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ସହିତ ପିକଅପ୍ ଗାଡ଼ି ଛାଡ଼ି ଫେରାର ମାରିଛନ୍ତି ମାଫିଆ । ପୁଲିସ ସମସ୍ତ ଗଞ୍ଜେଇ ସହ ଗାଡ଼ି ଜବତ କରିଛି ।
ସୂଚନା ମୁତାବକ, କଣ୍ଟାମାଳ ଅଞ୍ଚଲରୁ ବାହାରକୁ ଏକ ପିକଅପ୍ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କଣ୍ଟାମାଳ ଥାନା ଅଧିକାରୀ ରଞ୍ଜିତ ମୁନି କୌଣସି ସୂତ୍ରରୁ ଖବର ପାଇଥିଲେ । ଖବର ପାଇ ଡୁମାଲପାଲି ଛକ ନିକଟରେ ଚଢାଉ କରିଥିଲେ। ସେହି ସମୟରେ ଏକ ପିକଅପ୍ ଭ୍ୟାନ ଗଞ୍ଜେଇ ନେଇ ଯାଉଥିବା ବେଳେ ଗଞ୍ଜେଇ ମାଫିଆ ମାନେ ପୁଲିସକୁ ଦେଖି ଗାଡ଼ି ସହିତ ଗଞ୍ଜେଇ ଛାଡ଼ି ଫେରାର ମାରିଥିଲେ। ପୁଲିସ ଉକ୍ତ ଗାଡ଼ି ଏବଂ ଗଞ୍ଜେଇ ଜବତ କରିଛି । ଗାଡ଼ିରେ ୫୨୮ କେଜି ଗଞ୍ଜେଇ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ହେବା ନେଇ ଜଣାପଡିଛି। ସେପଟେ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି କଣ୍ଟାମାଳ ପୋଲିସ ।