ବାରଙ୍ଗ, ୧୩/୧୦: ଆଠଗଡ଼ ତିଗିରିଆରୁ ବାରଙ୍ଗ ରାସ୍ତାରେ କଟକ ସାଇଲୋ- ଗୋବିନ୍ଦପୁର ଯାଉଥିଲା ଲକ୍ଷାଧିକ ଟଙ୍କାର ବାଣ । ଖବର ପାଇ ମାଡ଼ି ବସିଲା ଗୋଡ଼ିସାହି ଫାଣ୍ଡି ପୁଲିସ । କାର୍ରୁ ଜବତ ହେଲା ଲକ୍ଷାଧିକ ବେଆଇନ ବାଣ । ଏହି ଘଟଣାରେ ୨ ଜଣ ଯୁବକ ଅଟକ ଥିବା ବେଳେ ଏକ କାର୍ ଜବତ ହୋଇଛି।
ସୂଚନା ମୁତାବକ, କଟକ ସାଇଲୋ-ଗୋବିନ୍ଦପୁର ଗାଁର ବିକାଶ ଜେନା ଓ ବିଶ୍ୱନାଥ ପରିଡା ଏକ କାର୍ରେ ଲକ୍ଷାଧିକ ଟଙ୍କାର ବାଣ ବିକ୍ରି କରିବାକୁ ଆଣୁଥିଲେ । ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ପୁଲିସ ଏନେଇ ରବିବାର ବିଶେଷ ସୂତ୍ରରୁ ଖବର ପାଇ ମୁଣ୍ଡଳୀ ବ୍ରିଜ୍ ନିକଟରେ କାର୍କୁ ଅଟକାଇଥିଲା । ଗାଡି ତଲାସି ବେଳେ ସେଥିରୁ ବିଭିନ୍ନ ପ୍ରକାରର ପ୍ରାୟ ଦୁଇ ଲକ୍ଷ ଟଙ୍କାର ବାଣ ପୁଲିସ ଜବତ କରିଥିଲା। ଜବତ ବାଣ ବିସ୍ଫୋରଣ ଆଶଙ୍କା ଥିବାରୁ ପୁଲିସ ସେଗୁଡ଼ିକ ଉପରେ ପାଣି ପକାଇ ଦେଇଛି । ବାଣ ନିଷ୍କ୍ରିୟକାରୀ ଟିମ୍ ଆସିବା ପରେ ବାଣ ଗୁଡିକୁ ନିଷ୍କ୍ରିୟ କରାଯିବ ବୋଲି ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ଵାଳ କହିଛନ୍ତି।