ବ୍ରହ୍ମପୁର/ଛତ୍ରପୁର/ଗୋପାଳପୁର,୧୭/୦୮: କାର୍ଟନ୍‌ କାର୍ଟନ୍‌  ଡିଟୋନେଟର୍‌, ୱାୟର୍‌ । ଆଦର୍ଶ ଗାଈ ଗୁହାଳରୁ ଥାକ ଥାକ ହୋଇ ରହିଥିଲା । ଏହା ସୂଚନା ମିଳିବା ପରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ପୁଲିସ ଓ ବ୍ରହ୍ମପୁର ଚମାଖଣ୍ଡି ଥାନା ପୁଲିସ ଚଢ଼ାଉ କରିଥିଲେ । ଜଗନ୍ନାଥପୁର ଗ୍ରାମ ଶିବ ମନ୍ଦିର ନିକଟ ଏକ ଆଦର୍ଶ ଗାଈ ଗୁହାଳରୁ ବିପୁଳ ପରିମାଣର ଡିଟୋନେଟର୍‌ ଜବତ ହୋଇଥିଲା। ଉକ୍ତ ଘରୁ ପ୍ରାୟ ଏକ ଟ୍ରକ୍‌ ପାଖାପାଖି ବିସ୍ଫୋରକ ପ୍ରସ୍ତୁତି ସାମଗ୍ର ରହିଥିଲା । କନ୍ଧମାଳ ପୁଲିସର ଉପସ୍ଥିତିରେ ବିସ୍ଫୋରକ ପ୍ରସ୍ତୁତି ସାମଗ୍ରୀ ସ୍ଥାନାନ୍ତର କରାଯାଇଛି। ଏତେ ପରିମାଣ ଡିଟୋନେଟର୍ ଜବତ ପରେ ମାଓ ଲିଙ୍କ୍‌ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ  କରୁଛି। ତେବେ କେଉଁଠୁ ଏତେ ପରିମାଣ ବିସ୍ଫୋରକ ଆସିଲା ତଦନ୍ତ କରୁଛି ପୁଲିସ।  ଘଟଣାକୁ ଅତି ସମ୍ବେଦନଶୀଳ ମନେ କରି ବିଶେଷ  ସୂଚନା ଦେବାକୁ ମନା କରିଦେଇଛି ପୁଲିସ ।  

ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଗାଡ଼ି ଯାଞ୍ଚ  କରୁଥିଲା ପୁଲିସ । ଯାଞ୍ଚ ବେଳେ ଏକ ଗାଡ଼ିକୁ  ଅଟକାଇ ଯାଞ୍ଚ କରିଥିଲେ । ଗାଡ଼ିରୁ ବିସ୍ଫୋରକ ଜବତ ହୋଇଥିଲା ଏବଂ ଜଣକୁ ଅଟକ ରଖିଥିଲା ପୁଲିସ । ଜେରା ବେଳେ ବ୍ରହ୍ମପୁର ଉପକଣ୍ଠ  ଜଗନ୍ନାଥପୁର ଠାରେ ବିସ୍ଫୋରକ ସାମଗ୍ରୀର ଗୋଦାମ ଥିବା ଅଟକ ବ୍ୟକ୍ତିକୁ ପୁଲିସ୍‌କୁ କହିଥିଲେ । ଉକ୍ତ ସୂଚନାକୁ ଆଧାର କରି  ତୁମୁଡ଼ିବନ୍ଧ ଥାନା ଅଧିକାରୀଙ୍କୁ ନେଇ ଗଠିତ ସଶସ୍ତ୍ର ଟିମ୍‌ ବ୍ରହ୍ମପୁରରେ ପହଞ୍ଚି ନିମଖଣ୍ଡି ଥାନାର ସହାୟତା ଲୋଡ଼ିଥିଲା । ବିଳମ୍ବିତ ସନ୍ଧ୍ୟାରେ  ଜଗନ୍ନାଥପୁର ଅଞ୍ଚଳରେ ଚଢ଼ଉ  କରି ବିପୁଳ ଡିଟୋନେଟର୍‌ ଓ  ୱାୟର୍‌ ଜବତ ହୋଇଛି । ପୁଲିସ  ଛାନ୍‌ଭିନ୍‌ ବେଳେ ଜାଣିବାକୁ ପାଇଛି  ଯେ, ଆମ୍ବପୁଆର ହେମନ୍ତ ସେଠୀ  ନାମକ ବ୍ୟକ୍ତି ଦେଢ଼ ବର୍ଷ ପୂର୍ବରୁ  ଉକ୍ତ ଘରକୁ ଭଡ଼ାରେ ନେଇଥିଲେ । ଗୋଖାଦ୍ୟ ବିକ୍ରି ଉଦ୍ଦେଶ୍ୟରେ  ମାଲିକଙ୍କ ଠାରୁ ଘର ନେଇଥିଲେ । ମାଲିକ ବ୍ରହ୍ମପୁର ବାହାରେ ଥିବାରୁ  କାରବାର ସମ୍ପର୍କରେ ବିଶେଷ ସୂଚନା  ପାଇନଥିଲେ । ତେବେ ଚଢ଼ଉ  ବେଳେ ଘର ମାଲିକ ଉପସ୍ଥିତ ଥିବା  ସୂଚନା ମିଳିଛି ।