କଟକ,୨୬/୧୨: ମ୍ୟାନେଜର ଦିନେଶ ଏତେ ବଡ଼ ରୋଗ କଥା ମୋତେ ଲୁଚାଇଥିଲା । ପୁଅ ହ୍ୟୁମାନ୍ ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ବୋଲି ଥରେ ହେଲେ ମୋତେ କହିନଥିଲା । ହ୍ୟୁମାନ୍ ସାମାନ୍ୟ ଅସୁସ୍ଥ ରହୁଥିବାରୁ ତାକୁ ଚିକିତ୍ସା ପାଇଁ ଭେଲୋର ନେବାକୁ କହିଲି । ହେଲେ ଦିନେଶ ଏହି କଥାକୁ ପୂରା କାଟିଦେଲା । ଭାଇର କିଛି ହେଇନି, ଏଠି ଭଲ ଚିକିତ୍ସା ହେଉଛି, ଖୁବ୍‌ଶୀଘ୍ର ଭଲ ହୋଇଯିବ କହି ମୋତେ ଭେଲୋର ନେବାକୁ ରୋକିଲା । ଆଉ ଧୀରେ ଧୀରେ ରୋଗ ବଢ଼ି ଚାଲିଲା । ଶେଷରେ ହ୍ୟୁମାନ୍ ଆମକୁ ଛାଡ଼ି ଚାଲିଗଲା ।-ଆଜି ଏଭଳି କିଛି କଥା ହ୍ୟୁମାନ୍‌ଙ୍କ  ମା’ ଶେଫାଳି ସୁନା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସହ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ବିଭିନ୍ନ ସମୟରେ ପୁଅ ହ୍ୟୁମାନ୍ ପାଖକୁ ରାତି ଅଧରେ ଆସୁଥିଲେ । ଏହି କଥାକୁ ମୁଁ ବିରୋଧ କରୁଥିଲି । ସାଗର ସଂଗମ ଲାଇଭ୍ ଟ୍ରୁପ୍‌ର ମାଲିକ ଏମ୍‌ଡି ଆବିଦ୍ ନିଜ ସହିତ ଅର୍ପିତାଙ୍କୁ ନେଇ ଆସୁଥିଲେ । ଦୀର୍ଘ ସମୟ ଘରେ ରହୁଥିଲେ । ମୁଁ ଏନେଇ ଆବିଦ୍‌କୁ ଆକଟ କରିବାରୁ ସେ ମୋତେ ଗାଳିଗୁଲଜ କରିଥିଲା ବୋଲି ସଙ୍ଗିନ୍ ଆରୋପ ଲଗାଇଛନ୍ତି ମା’ ଶେଫାଳି ସୁନା ।

ମର୍କତନଗର ଥାନାରେ ଶେଫାଳି ୯ ଜଣଙ୍କ ନାଁରେ ଏତଲା ଦେବାପରେ ଅଭିଯୁକ୍ତମାନଙ୍କ ଚିନ୍ତା ବଢ଼ିଛି । ହ୍ୟୁମାନ୍‌ଙ୍କ ମୃତ୍ୟୁ ପରେ ଲୁଚି ବୁଲୁଥିବା କେତେଜଣ ଅଭିଯୁକ୍ତ ଏବେ ନିଜକୁ ବଞ୍ଚାଇବା ପାଇଁ ନାନାଦି ଉଦ୍ୟମ ଆରମ୍ଭ କରିଛନ୍ତି । ଗତକାଲି ସୋମେଶ ଶତପଥୀ କୋର୍ଟର ଆଶ୍ରୟ ନେଇଥିବା ବେଳେ ଆଜି ପ୍ରଥମ ଥର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ଏମ୍‌ଡି ଆବିଦ (ବବ୍ଲୁ) । ମୃତ୍ୟୁ ରହସ୍ୟ ଖୋଲିବାକୁ ମା’ଶେଫାଳି ତାଙ୍କ ଏତଲାରେ ବୋହୂ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଚିକିତ୍ସା କରୁଥିବା ଡାକ୍ତର ଶୁଭେନ୍ଦୁ ମିଶ୍ର, ସହ-କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ମ୍ୟାନେଜର ଦିନେଶ ବେହେରା, ମ୍ୟାନେଜର ପ୍ରଶାନ୍ତ ବେହେରା, ସହଯୋଗୀ ଲୁଲୁ ମହାନ୍ତି ଓ ଜଗଦିଶ ମହାନ୍ତିଙ୍କୁ ଅଭିଯୁକ୍ତ କରିଛନ୍ତି । ଏହି କ୍ରମରେ ପୁଲିସ ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ୍, ବ୍ୟାଙ୍କ ତଥ୍ୟ ଓ ମୋବାଇଲ୍ କଲ୍ ରେକର୍ଡ ମଗାଇଛି । ପୁଲିସର ଏହି ତତ୍ପରତା ଦେଖି ଗତକାଲି ସଂଗୀତ ନିର୍ଦ୍ଦେଶକ ତଥା ଷ୍ଟୁଡିଓ ମାଲିକ ସୋମେଶ ଶତପଥୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।

ଆଉ ଆଜି ସାଗର ସଂଗମ ଟ୍ରୁପ୍‌ର ମାଲିକ ଏମ୍‌ଡି ଆବିଦ ହଠାତ୍ ଗଣମାଧ୍ୟମ ଆଗରେ ମୁହଁ ଖୋଲି ସଫେଇ ଦେଇଛନ୍ତି । ହ୍ୟୁମାନ୍‌ଙ୍କ  ମୃତ୍ୟୁ ପରଠୁ ବିଲ୍‌କୁଲ୍ ଦେଖାନଥିବା ଆବିଦ୍ ଆସି ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ହ୍ୟୁମାନ୍‌ଙ୍କ ମାଆଙ୍କୁ ନ୍ୟାୟ ମିଳୁ ବୋଲି ଆବିଦ୍ କହିଛନ୍ତି । ଦୀର୍ଘଦିନ ହେବ ହ୍ୟୁମାନ୍‌ଙ୍କ ସହିତ ଜଡ଼ିତ ଥିଲେ ବି ତାଙ୍କର ଟଙ୍କାଟିଏ ରଖିନି । ସବୁ ପଇସା ପୈଠ କରିଛି । ହ୍ୟୁମାନ୍‌ଙ୍କୁ କେବେ ହଇରାଣ କରିନି । ତାଙ୍କ ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ । ପୁଲିସ ତା’ର ତଦନ୍ତ ଆରମ୍ଭ କରିଛି । ଏହି ତଦନ୍ତକୁ ମୁଁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ପୁଲିସ ଯଦି ଚାହିଁବ ତାହେଲେ ମୁଁ ମିଛ ଧରା ପରୀକ୍ଷା ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଆବିଦ୍ ।