କଟକ,୨୧/୧୨: ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମାଆ। କଟକ ମର୍କତ ନଗର ଥାନାରେ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା ଦ୍ୱାରସ୍ଥ ହୋଇଛନ୍ତି । ହ୍ୟୁମାନଙ୍କର ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଜାଣିଶୁଣି ମାରି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ସେ।

ସୂଚନା ମୁତାବକ, ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ହୋଇଥିଲା । ଯାହାପରେ ଅନେକ ଦିନ ଧରି ବିବାଦ ଲାଗିରହିଥିଲା । ଏପିରିକି ହ୍ୟୁମାନଙ୍କ ମ୍ୟାନେଜର ନାଁରେ ଅଭିଯୋଗ ଆଣିଥିଲେ ତାଙ୍କ ମାଆ । ପରେ ମାମଲାରେ ଅନେକ ସାଥୀ କଳାକାରଙ୍କ ନାଁ ମଧ୍ୟ ଆସିଥିଲା । ଇତିମଧ୍ୟରେ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଏକ ମାସ ପୂରିଥିବାବେଳେ ଏବେ ପୁଣି ଥରେ ଏହି ମାମଲା ଚର୍ଚ୍ଚାକୁ ଆସିଛି । ଶନିବାର ବିଳମ୍ବିତ ରାତିରେ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ପୁଅ ହ୍ୟୁମାନଙ୍କୁ ଜାଣିଶୁଣି ମାରି ଦିଆଯାଇଛି । ତାର ମୃତ୍ୟୁ ହୋଇନାହିଁ । ତେଣୁ ଏହି ଘଟଣାର ପୁରା ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେହିପରି ହ୍ୟୁମାନଙ୍କ ଫୋନ୍‌ ଡିଟେଲ୍‌, କଟକ ସ୍ଥିତ ବାସଭବନର ସିସିଟିଭିକୁ ସବୁକୁ ଯାଞ୍ଚ କରିବାକୁ କହିଛନ୍ତି । ଏହାସହିତ ହ୍ୟୁମାନଙ୍କ ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ନାଁରେ ମଧ୍ୟ ଏତଲା ଦେଇଥିବା ସୂଚନା ମିଳିଛି।