ନୂଆଦିଲ୍ଲୀ,୨୨/୦୭: ଏଆଇକୁ ନେଇ ବିଶ୍ୱରେ ଚର୍ଚ୍ଚା । ଅଧିକାଂଶ କମ୍ପାନି ଏଆଇକୁ ମଣିଷ ବା ତା’ଠୁ ବି ଅଧିକ ସମର୍ଥ କରିବା ଦିଗରେ କାମ କରୁଛନ୍ତି । କିନ୍ତୁ ଜଣେ ବ୍ୟକ୍ତି ପ୍ରମାଣ କରିଛନ୍ତି, ଏଆଇ ଯେତେ ଉନ୍ନତ ହେଲେ ମଧ୍ୟ ମଣିଷଠୁ ଆଗକୁ ଯାଇପାରିବ ନାହିଁ । ଟୋକିଓରେ ଆୟୋଜିତ ଆଟ୍କୋଡର୍ ୱର୍ଲଡ୍ ଟୁର୍ ଫାଇନାଲ୍-୨୦୨୫ ହ୍ୟୁରିଷ୍ଟିକ୍ ପ୍ରତିଯୋଗିତାରେ ଚାଟ୍ଜିପିଟି ମେକର୍ ଓପନ୍ଏଆଇର କଷ୍ଟମ୍ ଏଆଇ ମଡେଲକୁ ପୋଲାଣ୍ଡର ଜଣେ ପ୍ରୋଗ୍ରାମର୍ ହରାଇ ଦେଇଛନ୍ତି । ଏହା ପରେ ତାଙ୍କୁ ନେଇ ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଗତ ସପ୍ତାହ ହୋଇଥିବା ଏହି ପ୍ରତିଯୋଗିତାରେ ପୂର୍ବ ଓପନ୍ଏଆଇ କର୍ମଚାରୀ ଓ ପ୍ରୋଗ୍ରାମର୍ ପ୍ରଜେମିସ୍ଲାଭ ଡେବିୟାକ ଏକ ଓପନ୍ଏଆଇର କଷ୍ଟମ୍ ଏଆଇ ମଡେଲ୍କୁ ମାତ୍ ଦେଇଛନ୍ତି । ଜାପାନୀ ପ୍ଲାଟ୍ଫର୍ମ ଆଟ୍କୋଡର୍ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଡେବିୟାକ୍ ଏକ୍ସ ପ୍ଲାଟ୍ଫର୍ମରେ ପୋଷ୍ଟ୍ କରି କହିଛନ୍ତି, ମାନବତା ଜିତିଛି । ଏଥିସହିତ ସେ ଏକ ସ୍କ୍ରିନ୍ଶଟ୍ ପୋଷ୍ଟ୍ କରିଛନ୍ତି ଏବଂ କହିଛନ୍ତି ଯେ ପ୍ରତିଯୋଗିତାରେ ସେ ବାଜି ମାରିଛନ୍ତି । ପ୍ରତିଯୋଗିତାରେ ପ୍ରାୟ ୬୦୦ ମିନିଟ୍ରେ ଏକ ଜଟିଳ ସମସ୍ୟାର ସମାଧାନ କରିବାକୁ ହୁଏ।
ଏହି ପ୍ରତିଯୋଗିତା ଆମେରିକାର ଜନ୍ ହେନରୀଙ୍କ କାହାଣୀକୁ ମନେପକାଇଦିଏ, ଯାହାଙ୍କୁ ଷ୍ଟିଲ୍ ଡ୍ରାଇଭିଂ ମ୍ୟାନ୍ ମଧ୍ୟ କୁହାଯାଏ । ୧୮୭୦ ମସିହାରେ ଆମେରିକାରେ ରେଳ ଟ୍ରାକ୍ର ବିସ୍ତାର ହେଉଥିଲା । ଚଟାଣକୁ ଫଟାଇବା ପାଇଁ ସେଠାରେ ଲୋକଙ୍କ ସହାୟତା ନିଆଯାଉଥିଲା । ଲୋକେ ଚଟାଣକୁ କଣା କରି ବାରୁଦ ସଂଯୋଗ କରୁଥିଲେ । ତା’ପରେ ସେଠାରୁ ରେଳ ଟ୍ରାକ୍ ପାଇଁ ରାସ୍ତା ନିର୍ମାଣ ହେଉଥିଲା । ଦିନେ ରେଳ କମ୍ପାନି ଏକ ନୂଆ ବାଷ୍ପ ଚାଳିତ ଡ୍ରିଲ୍ ମେସିନ୍ ଆଣିଲା, ଯାହା ମଣିଷର କାମ କରୁଥିଲା । ଏହା ଦେଖି ଜନ୍ ହେନରୀ ଚାଲେଞ୍ଜ୍ ଦେଲେ ଯେ ସେ ମେସିନ୍ଠୁ ଭଲ କାମ କରିପାରିବେ । ଏହା ପରେ ପ୍ରତିଯୋଗିତା ଆରମ୍ଭ ହେଲା ।
ଗୋଟିଏ ପଟେ ବାଷ୍ପ ଚାଳିତ ଡ୍ରିଲ୍ ମେସିନ୍, ଅନ୍ୟପଟେ ଜନ୍ ହେନରୀ ଥିଲେ । ଉଭୟ ଚଣାଟରେ କଣା କରିବା ଆରମ୍ଭ କଲେ । ମେସିନ୍ ଦ୍ରୁତ ବେଗରେ କାମ କରୁଥିଲା । କିନ୍ତୁ ଜନ୍ ହେନରୀ ତା’ଠୁ ମଧ୍ୟ ଦ୍ରୁତ କାମ କଲେ ଏବଂ ମେସିନ୍କୁ ହରାଇଦେଲେ । ଏହା ତାଙ୍କ ଜୀବନର ଶେଷ ବିଜୟ ଥିଲା ।