ଭଞ୍ଜନଗର,୧୮/୦୬: ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ୍ ତାର । ସେହି ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଚାଲିଗଲା ଶିକାରୀଙ୍କ ଜୀବନ । ମୃତକ ଜଣକ ହେଲେ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ଚାଞ୍ଚରାପଲ୍ଲୀର ସୁରଥ ପ୍ରଧାନ (୪୫ ବର୍ଷ) । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେଞ୍ଜ ଅନ୍ତର୍ଗତ ତାରା ସିଂ ଥାନା ଅନ୍ତର୍ଗତ ଚାଞ୍ଚରାପଲ୍ଲୀ ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ସୁରଥ ତାର ଅନ୍ୟ ୨ ଜଣ ସହଯୋଗୀଙ୍କୁ ନେଇ ଗାଁ ପାଖ ଜଙ୍ଗଲରେ ବାର୍ହା ଶିକାର ପାଇଁ ପାଖାପାଖି ୮୦ ଫୁଟ୍ ବିଦ୍ୟୁତ୍ ତାର ବାନ୍ଧିଥିଲେ । ସେଥିରେ ନିକଟରେ ଯାଇଥିବା ୧୧କେଭି ଲାଇନ୍ରୁ ବିଦ୍ୟୁତ୍ ସଂଯୋଗ କରିଥିଲେ । ଶିକାର ପାଇଁ ବନ୍ଧା ଯାଇଥିବା ତାରରେ ବିଦ୍ୟୁତ୍ ସଂଯୋଗ ହୋଇଛି କି ନାହିଁ, ତାହା ପରୀକ୍ଷା କଲା ବେଳେ ସୁରଥ ବିଦ୍ୟୁତ୍ ତାରରେ ଲାଗି ଯାଇଥିଲେ । ଏହା ଦେଖି ଅନ୍ୟ ୨ଜଣ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଡିଏଫଓ ମହାନ୍ତି ସୂଚନା ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ବୁଧବାର ସକାଳେ ଜଣାପଡ଼ିବା ପରେ ବନବିଭାଗ କର୍ମଚାରୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ଏହି ଘଟଣାକୁ ନେଇ ସମ୍ପୁକ୍ତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଥିବା ସୂଚନା ଦେଇଛି।