ଭଞ୍ଜନଗର,୭/୪ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସର ନୂଆପଲ୍ଲୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀକୁ ପନିକିରେ ହାଣି ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ଘରଠାରୁ ୧୦୦ମିଟର ଦୂରରେ ଏକ ଗଛରେ ଦଉଡି ଲଗାଇ ନିଜେ ଆତ୍ମହତ୍ୟା କରିଛି ହତ୍ୟାକାରୀ ସ୍ବାମୀ। ମୃତକ ହେଲେ ସର ନୂଆପଲ୍ଲୀ ଗାଁର ଚିତ୍ରସେନ ନାୟକ(୩୫) । ୭ ବର୍ଷ ପୂର୍ବେ ସେ ପୂଜା ନାମ୍ନୀ ଏକ ଝିଅକୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ୨ ଟି ସନ୍ତାନ ଅଛନ୍ତି। ପତ୍ନୀ ପୂଜା ଭୁବନେଶ୍ୱର ରହି ମୂଲ କାମ କରୁଥିଲେ। ଗତ ୫ତାରିଖରେ ପୂଜା ବ୍ୟାଙ୍କରେ କିଛି କାମ ରହିଥିବାରୁ ଗାଁକୁ ଆସିଥିଲେ। ଆଉ ୬ତାରିଖ ରାତିରେ ଉଭୟ ଚିତ୍ରସେନ ଓ ପୂଜାଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ଆଉ ରାତିରେ ଶୋଇଥିବାବେଳେ ହଠାତ୍ ଚିତ୍ରସେନ ଏକ ପନିକିରେ ପୂଜାର ବେକକୁ ଚୋଟ ପରେ ଚୋଟ ପକାଇଥିଲା। ଆଉ ରକ୍ତ ଜୁଡୁବୁଡୁ ପୂଜାର ଶବକୁ ଦେଖି ନିଜେ ଭାରସାମ୍ୟ ହରାଇ ଘର ଠାରୁ ୨ ଶହ ମିଟର ଦୂରରେ ଏକ ଗଛ ଡାଳରେ ଦଉଡ଼ି ଲଗାଇ ଝୁଲି ପଡିଥିଲା ଚିତ୍ରସେନ।

ଗତକାଲି ରାତିରେ ଏଭଳି ଘଟଣା ଘଟିଥିବାବେଳେ ବେଲଗୁଣ୍ଠା ପୁଲିସ ମଙ୍ଗଳବାର ଏ ସଂପର୍କରେ ସୂଚନାପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । କାହିଁକି ଚିତ୍ରସେନ ନିଜ ପତ୍ନୀ ପୂଜାକୁ ହତ୍ୟା କଲା ? ଏହା ପଛର କ’ଣ କାରଣ ରହିଛି ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ବେଲଗୁଣ୍ଠା ପୁଲିସ। ଏସଡିପିଓ ଡକ୍ଟର ଦୀପକ କୁମାର ମିଶ୍ରଙ୍କ ସୂଚନା ଅନୁସାରେ ସର ନୂଆପଲ୍ଲୀ ଗାଁର ଚିତ୍ରସେନ ନାୟକ ତନରଡା ଗ୍ରାମର ପୂଜା ଦାସଙ୍କୁ ୭ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ବିବାହର କିଛି ମାସ ପରେ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲା। ଏମାନଙ୍କର ୨ ଟି ସନ୍ତାନ ଅଛନ୍ତି । ତେବେ ୬ ମାସ ତଳେ ପୂଜା ଭୁବନେଶ୍ୱରକୁ ଯାଇ ସେଠାରେ ମୂଲ କାମ କରୁଥିଲେ। ୫ ତାରିଖରେ ସେ ବ୍ୟାଙ୍କ ରେ କିଛି କାମ ଥିବାରୁ ଗାଁ କୁ ଆସିଥିଲେ। ଆଉ ୬ ତାରିଖ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି।