କରଞ୍ଜିଆ, ୧୯/୭ : ମଦ୍ୟପ ସ୍ଵାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ମଣଦା ଗାଁ ନାଏକ ସାହିରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପତ୍ନୀହନ୍ତା ସ୍ଵାମୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ଵିତ ରାତିରେ ଯଶିପୁର ଥାନା ମଣଦା ଗାଁର ମୁକ୍ତିଆରି ନାଏକ ଓ ସ୍ତ୍ରୀ ବିଳାସୀ ନାଏକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ଲାଗିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନିଶାସକ୍ତ ଅବସ୍ଥାରେ ଥିବା ମୁକ୍ତିଆରି ତାଙ୍କ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲେ। ଖବର ପାଇ ଯଶିପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପତ୍ନୀହନ୍ତା ସ୍ଵାମୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଅଧିକ ତଦନ୍ତ ହେବ ବୋଲି ପୁଲିସ କହିଛି।