ଶିଲଙ୍ଗ: ମେଘାଳୟରେ ହନିମୁନ୍ ସମୟରେ ସ୍ୱାମୀ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ସୋନମ୍ ରଘୁବଂଶୀ ନିଜର ଅପରାଧ ସ୍ୱୀକାର କରିଛି। ସେ ନିଜର ପ୍ରେମିକ ରାଜ୍ କୁଶୱାହାଙ୍କ ସହାୟତାରେ ଏହି ହତ୍ୟା ଯୋଜନା କରିଥିବା ପୋଲିସ୍ ଆଗରେ ସ୍ୱୀକାର କରିଛନ୍ତି। ସ୍ୱତନ୍ତ୍ର ତଦନ୍ତ ଟିମ୍ (SIT) ଆଗରେ ପ୍ରମାଣ ଦେଖାଇବା ପରେ ସୋନମ୍ ଭାଙ୍ଗି ପଡ଼ିଥିଲେ ଏବଂ ଷଡଯନ୍ତ୍ରରେ ନିଜର ସମ୍ପୃକ୍ତି ସ୍ୱୀକାର କରିଥିଲେ।
ଇନ୍ଦୋରରେ ୧୧ ମଇରେ ରାଜା ଓ ସୋନମ୍ଙ୍କ ବିବାହ ପରେ ସେମାନେ ହନିମୁନ୍ ପାଇଁ ମେଘାଳୟ ଗସ୍ତ କରିଥିଲେ। ମାତ୍ର ୪ ଦିନ ପରେ ସୋନମ୍ ନିଜ ବାପଘରକୁ ଫେରି ପ୍ରେମିକ ରାଜ୍ କୁଶୱାହାଙ୍କ ସହ ରାଜାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ସେ ରାଜାଙ୍କୁ ମେଘାଳୟର ଏକ ନିର୍ଜନ ସ୍ଥାନକୁ ନେଇ ତିନି ଜଣ ସୁପାରୀ ହତ୍ୟାକାରୀ ଆକାଶ ରାଜପୁତ, ବିଶାଲ ସିଂହ ଚୌହାନ ଓ ଆନନ୍ଦ କୁର୍ମୀଙ୍କ ସହାୟତାରେ ହତ୍ୟା କରିଥିଲେ। ପୋଲିସ୍ ସୂତ୍ର ଅନୁଯାୟୀ, ସୋନମ୍ ହତ୍ୟାକାରୀମାନଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ସବୁଠୁ ବଡ କଥା ହେଉଛି ହତ୍ୟା ପରେ ସୋନମ୍ ରାଜାଙ୍କ ପର୍ସରୁ ୧୫,୦୦୦ ଟଙ୍କା କାଢି ହତ୍ୟାକରୀମାନଙ୍କୁ ଦେଇଥିଲେ ବୋଲି ସୂଚନା ଦେଇଛନ୍ତି।
ମଇ ୨୩ ତାରିଖରେ ହତ୍ୟା ପରେ ସୋନମ୍ ଶିଲଙ୍ଗରୁ ଗୌହାଟୀ ହେଇ ଇନ୍ଦୋର ପଳାଇଆସିଥିଲେ। ଏବଂ ପରେ ଉତ୍ତର ପ୍ରଦେଶର ଗାଜୀପୁରରେ ଏକ ଢାବାରେ ଲୁଚି ରହିଥିଲେ। ଜୁନ୍ ୮ ତାରିଖରେ ସେ ନନ୍ଦଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲେ। ପୋଲିସ୍ ତାଙ୍କୁ ଗାଜୀପୁରରୁ ଶିଲଙ୍ଗକୁ ଆଣି ଜେରା କରିଥିଲା, ଯେଉଁଠି ସେ ନିଜ ଅପରାଧ ସ୍ୱୀକାର କରିଛନ୍ତି।
ପୋଲିସ୍ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସୋନମ୍ ଓ ରାଜ୍ କୁଶୱାହା ମଧ୍ୟରେ ବିବାହ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। ସୋନମ୍ ରାଜାଙ୍କ ସହ ଘନିଷ୍ଠତାକୁ ପସନ୍ଦ କରୁ ନଥିଲେ ଏବଂ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ହତ୍ୟା ପରେ ସୋନମ୍ ନିଜକୁ ଡକାୟତିର ଶିକାର ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ୍ ପ୍ରମାଣ ଆଧାରରେ ତାଙ୍କୁ ଅଭିଯୁକ୍ତ ଭାବେ ଗିରଫ କରିଛି।
ରାଜାଙ୍କ ଶରୀରରେ ଦୁଇଟି ଗଭୀର କ୍ଷତ ଚିହ୍ନଟ ହୋଇଛି। ଏହା ସହ ହତ୍ୟାକାଣ୍ଡ ହୋଇଥିବା ସ୍ଥାନରୁ ଏକ ଖୁକରୀ ମିଳିଛି। ଏହି ଖୁକରୀ ଦ୍ୱାରା ରାଜାଙ୍କୁ ହତ୍ୟା କରାଯାଇଥିବା ଅଟୋପ୍ସି ରିପୋର୍ଟରୁ ଜଣାପଡ଼ିଛି। ମେଘାଳୟ ପୋଲିସ୍ର ‘ଅପରେସନ୍ ହନିମୁନ୍’ ନାମକ ତଦନ୍ତରେ ସୋନମ୍ ଓ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ମାମଲା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।
ସୋନମ୍ଙ୍କ ପିତା ଦେବୀ ସିଂହ ନିଜ ଝିଅଙ୍କୁ ନିର୍ଦ୍ଦୋଷ ଦାବି କରି CBI ତଦନ୍ତ ଦାବି କରିଛନ୍ତି, କିନ୍ତୁ ରାଜାଙ୍କ ମା’ ଉମା ରଘୁବଂଶୀ ଓ ସୋନମ୍ଙ୍କ ଭାଇ ଗୋବିନ୍ଦ ତାଙ୍କୁ ଦୋଷୀ କହିବା ସହ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।