ନୂଆଦିଲ୍ଲୀ,୦୩/୦୩; ମୋତେ ମାରିବା ପୂର୍ବରୁ ମୁଁ ତାଙ୍କୁ ମାରିଦେଲି । ମୋତେ ମାରିବା ପାଇଁ ସେମାନେ ଦୁଇଥର ଉଦ୍ୟମ କରିଥିଲେ । କିନ୍ତୁ ବିଫଳ ହୋଇଥିଲେ । ହେଲେ ମୁଁ ଏଥିରେ ସଫଳ ହୋଇଛି । ଇରାନ ସୁପ୍ରିମ ଲିଡର ଖାମେନେଇଙ୍କ ହତ୍ୟାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଦେଶର ସାମ୍ବାଦିକ ଜୋନାଥନ କାର୍ଲଙ୍କ ସହ କଥା ହୋଇ ଏହି ବୟାନ ଦେଇଛନ୍ତି ।
ଆମେରିକୀୟ ଗୁଇନ୍ଦା ଏଜେନ୍ସିଙ୍କ ରିପୋର୍ଟକୁ ଆଧାର କରି ଟ୍ରମ୍ପ୍ କହିଛନ୍ତି, ୨୦୨୪ରେ ମୋତେ ହତ୍ୟା ପାଇଁ ଉଦ୍ୟମ ହୋଇଥିଲା । ଆୟାତୋଲ୍ଲା ଅଲ୍ଲୀ ଖାମେନେଇ ଏହି ଉଦ୍ୟମ କରିଥିଲେ କି ବୋଲି ପ୍ରଶ୍ନରେ ଟ୍ରମ୍ପ୍ କହିଛନ୍ତି, ସେ ମୋତେ ମାରିବା ପୂର୍ବରୁ ମୁଁ ତାଙ୍କୁ ମାରିଦେଲି । ଟ୍ରମ୍ପ୍ ଆହୁରି କହିଛନ୍ତି, ଇରାନରେ ଏବେ କେବଳ ଜଣେ କିମ୍ବା ଦୁଇଜଣ ନେତାଙ୍କୁ ଟାର୍ଗେଟ୍ କରି ଆକ୍ରମଣ ହେଉନାହିଁ । ଅଦ୍ୟାବଧି ଏହାର ଅଧିକାଂଶ ନେତା ନିପାତ ହେଲେଣି । ସେହିଭଳି ଏହି ଯୁଦ୍ଧ କେତେଦିନ ଚାଲିବ, ତାହା ନେଇ ଟ୍ରମ୍ପ୍ କହିଛନ୍ତି, ୪ରୁ ୫ ସପ୍ତାହ ପର୍ଯ୍ୟନ୍ତ ଏହା ଜାରି ରହିପାରେ । ଏହାଠାରୁ ଅଧିକ ଦିନ ଇରାନ ସୁରକ୍ଷିତ ରହିପାରିବ ନାହିଁ । ଆବଶ୍ୟକ ପଡ଼ିଲେ ଲମ୍ବା ଯୁଦ୍ଧ ବି ହୋଇପାରେ । ଇରାନର ଆକ୍ରମଣରେ ୩ ଜଣ ଆମେରିକୀୟ ପ୍ରାଣ ହରାଇବା ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ୍ କହିଛନ୍ତି, ଏହା ହେଉଛି ଯୁଦ୍ଧ ଏବଂ ଯୁଦ୍ଧରେ ଏଭଳି ଘଟଣା ଘଟିଥାଏ ।
ଏହା ବି ପଢନ୍ତୁ...ଖାମେନେଇଙ୍କ ମୃତ୍ୟୁରେ ଚୁପ୍ କାହିଁକି ଭାରତ ? ସୋନିଆ ଗାନ୍ଧୀଙ୍କ ପ୍ରଶ୍ନ, କହିଲେ 'କେନ୍ଦ୍ରର ନିରବତା ବିଚଳିତ କରୁଛି'
ଟ୍ରମ୍ପ ଆହୁରି କହିଛନ୍ତି, ଗତ ୩ ଦିନ ହେବ ଆମେରିକା ଏବଂ ଏହାର ସହଯୋଗୀମାନେ 'ଅପରେସନ୍ ଏପିକ୍ ଫ୍ୟୁରି' ଚଳାଇଛନ୍ତି। ଆମେ ଇରାନରେ ଶହ ଶହ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିଛୁ, ଯେଉଁଥିରେ ରେଭଲ୍ୟୁସନାରୀ ଗାର୍ଡ ବେସ୍ ଏବଂ ଇରାନୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସାମିଲ । ଆମେ ୯ଟି ଜାହାଜ ଏବଂ ସେମାନଙ୍କର ନୌସେନା ବେସ୍ ନଷ୍ଟ କରିଦେଇଛୁ । ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଙ୍କ ଦେହାନ୍ତ ହୋଇଛି । ସମଗ୍ର ସାମରିକ କମାଣ୍ଡକୁ ମଧ୍ୟ ନିପାତ କରାଯାଇଛି, ଏବଂ ସେମାନଙ୍କ ମଧ୍ୟରୁ ଅନେକ ନିଜ ଜୀବନ ବଞ୍ଚାଇବା ପାଇଁ ଆତ୍ମସମର୍ପଣ କରିବାକୁ ଇଚ୍ଛୁକ । ବର୍ତ୍ତମାନ ପୂର୍ଣ୍ଣ ଶକ୍ତିରେ ଯୁଦ୍ଧ ଅଭିଯାନ ଚାଲିଛି, ଏବଂ ଆମର ସମସ୍ତ ଉଦ୍ଦେଶ୍ୟ ହାସଲ ନହେବା ପର୍ଯ୍ୟନ୍ତ ସେଗୁଡ଼ିକ ଜାରି ରହିବ।"