ନୂଆଦିଲ୍ଲୀ,୨୪।୬:  ଆମେରିକା- ଇରାନ ଭିତରେ ହୋଇଛି ଐତିହାସିକ ଅନ୍ତରୀଣ ପରମାଣୁ ଚୁକ୍ତି। ଏହା ଅନୁସାରେ, ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ଖୁବ୍ ଶୀଘ୍ର ଇରାନର ପରମାଣୁ ଆଡ୍ଡାର ନିରୀକ୍ଷଣ କରିବ। ଏନେଇ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ନିର୍ଦ୍ଦେଶକ ଜେନେରାଲ ରାଫେଲ ମାରିଆନୋ ଗ୍ରୋସି ବୁଧବାର ଘୋଷଣା କରିଛନ୍ତି। ସେ କହିଛନ୍ତି ତାଙ୍କ ନିରୀକ୍ଷକମାନେ ଖୁବ୍ ଶୀଘ୍ର ଇରାନର ସମ୍ବେଦନଶୀଳ ୟୁରାନିୟମ ସମୃଦ୍ଧି ସ୍ଥଳ ପରିଦର୍ଶନ କରିବେ।ଗ୍ରୋସି ବୁଧବାର ଜାପାନର ଫୁକୁଶିମା ଦାଇଚି ପରମାଣୁ ୟୁନିଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ଦୁଇ ଦେଶର ରାଷ୍ଟ୍ରପତିଙ୍କ ଦ୍ବାରା ହସ୍ତାକ୍ଷର ହୋଇଥିବା ଚୁକ୍ତିରେ ନିରୀକ୍ଷଣର ପକ୍ରିୟାକୁ ସ୍ପଷ୍ଟ ରୂପରେ ସାମିଲ କରାଯାଇଛି ଓ ଏହା ‘ବାଧ୍ୟତାମୂଳକ’ ହେବ।

ଗ୍ରସି କହିଛନ୍ତି, ରାଜନୈତିକ ବୟାଜନକୁ ସମ୍ପୂର୍ଣ୍ଣ ଭାବରେ ବୁଝୁଛି। ଏହା ବାସ୍ତବିକତାର ଅଂଶ। କିନ୍ତୁ ଦୁଇ ଦେଶର ରାଷ୍ଟ୍ରପତିଙ୍କ ଦ୍ବାରା ହସ୍ତାକ୍ଷରିତ ବୁଝାମଣା ସ୍ପଷ୍ଟ ରୂପରେ କହୁଛି ଯେ, ପରମାଣୁ ସାମଗ୍ରୀ ଥିବା ସବୁ ସ୍ଥାନର ନିରୀକ୍ଷଣ ହେବ। ଏହା ଦିନକ ପରେ ହୋଇପାରେ, ଏକ ସପ୍ତାହ ପରେ କିମ୍ବା ୧୦ ଦିନରେ, କାରଣ ଏହାର ସମୟ ଗୁରୁତ୍ବପୂର୍ଣ୍ଣ ନୁହେଁ। ମହତ୍ବପୂର୍ଣ୍ଣ ଏହା ଯେ, ଏହି ପକ୍ରିୟା ବାଧ୍ୟତାମୂଳକ ଭାବରେ ଆଗକୁ ବଢିବ।

IAEA ମୁଖ୍ୟଙ୍କ ବୟାନ ଏଭଳାି ସମୟରେ ଆସିଛି ଯେତେବେଳେ ଆମେରିକା ଓ ଇରାନ ଭିତରେ ମଙ୍ଗଳବାର ନିରୀକ୍ଷଣ ପ୍ରସଙ୍ଗ ଉପରେ ବିରୋଧଭାସ ବୟାନ ସାମନାକୁ ଆସିଥିଲା। ଗ୍ରସି ଏହାକୁ ‘ଶବ୍ଦର ଲଢେଇ’ ବୋଲି କହିଥିଲେ।  ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଦାବି କରିଛନ୍ତି ଯେ ଇରାନ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ନିରୀକ୍ଷକଙ୍କୁ ଦେଶରେ ପୁନର୍ବାର ସ୍ୱାଗତ କରିବାକୁ ରାଜି ହୋଇଛି। ତେବେ ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି ଯେ ଇରାନ ଗ୍ରୋସିଙ୍କ ସହ କୌଣସି ବୈଠକ କରିନାହିଁ ଏବଂ ଯାଞ୍ଚ ପାଇଁ କୌଣସି ସ୍ପଷ୍ଟ ସମୟସୀମା ସ୍ଥିର କରାଯାଇ ନାହିଁ। ତଥାପି, ଇରାନ ଭବିଷ୍ୟତରେ ଏପରି ସମ୍ଭାବନାକୁ ଅସ୍ୱୀକାର କରିନାହିଁ।