ଭୋପାଳ: ମଧ୍ୟପ୍ରଦେଶର ଶିବପୁରୀରେ ଗୁରୁବାର ବାୟୁସେନାର ଏକ ଲଢ଼ୁଆ ବିମାନ କ୍ରାସ୍‌ ହୋଇ ଖସିପଡ଼ିଛି । ଏହି ଦୁର୍ଘଟଣାରେ ପାଇଲଟ୍‌ ଆହତ ହୋଇଥିବା କୁହାଯାଉଛି । ଘରଗୁଡ଼ିକୁ ରକ୍ଷା କରିବାକୁ ଯାଇ ଜେଟ୍‌ଟି ଖାଲି ସ୍ଥାନରେ ଖସିପଡ଼ିବାରୁ ଘଟଣାସ୍ଥଳରେ ହିଁ ଜଳିଯାଇଛି । ଶିବପୁରୀ ପାଖରେ ଗୁରୁବାର ଏକ ଟ୍ବିନ ସିଟର ମିରାଜ୍‌ ୨୦୦୦ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ନିୟମିତ ପ୍ରଶିକ୍ଷଣ ପାଇଁ ଉଡ଼ାଣ ଭରିଥିଲା ଜେଟ୍‌ । 

ସେପଟେ ଦୁର୍ଘଟଣାର କାରଣ ସଂପର୍କରେ ଜାଣିବା ପାଇଁ ବାୟୁସେନା ପକ୍ଷରୁ ଏକ ତଦନ୍ତ ଟିମ୍‌ ଗଠନ କରାଯିବ । ମିଳିଥିବା ସୂଚନା ଅନୁସାରେ, ଗରୁବାର ଅପରାହ୍ଣ ୨ଟା ୨୦ରେ ସୁନାରୀ ଥାନା ଅଞ୍ଚଳରେ ବାୟୁସେନାର ଲଢ଼ୁଆ ବିମାନ ମିରାଜ ୨୦୦୦ ଖସିପଡ଼ିଥିଲା ।  ଏନେଇ ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମଧ୍ୟ ଖବର ପାଇ ସେଠାରେ ପହଞ୍ଚିଥିଲା । ବିମାନଟି ତଳେ ପଡ଼ିବା ପରେ ଧୂଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା।   ଏହା ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ । ଜଣେ ଆହତ ପାଇଲଟ୍‌ଙ୍କ ଫଟୋ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି ।