ଭୁବନେଶ୍ୱର,୧୧/୧୧: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଆବାସିକ ମାଗଣା କୋଚିଂ ଭଳି ଅଣ-ଆବାସିକ କୋଚିଂ ଆରମ୍ଭ ହେବ । ଏହି ମାଗଣା କୋଚିଂର ଢାଞ୍ଚାକୁ ସମ୍ପୂର୍ଣ୍ଣ ଭାବେ ବଦଳାଯିବ । କୋଚିଂ ନେଉଥିବା ପିଲା ଯେପରି କୃତକାର୍ଯ୍ୟ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ । ଜଣେ ପିଲା ପିଛା ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପ୍ରାଥମିକ ପର୍ଯ୍ୟାୟରେ ୩୦୦ ପିଲାଙ୍କୁ କୋଚିଂ ପ୍ରଦାନ କରାଯିବ । କୋଚିଂ ନେଉଥିବା ପିଲାଙ୍କ ମଧ୍ୟରୁ ସର୍ବନିମ୍ନ ୫ ପ୍ରତିଶତ ପିଲା ପ୍ରିଲିମ୍ ପରୀକ୍ଷାରେ କୃତକାର୍ଯ୍ୟ ନହେଲେ ପାଠପଢ଼ା ଦାୟିତ୍ୱ ନେଇଥିବା ସଂସ୍ଥାର ଅର୍ଥ କାଟ୍ କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ ।
କୋଚିଂ ସେଣ୍ଟର ପାଇଁ ମଧ୍ୟ ବିଭାଗ ମାର୍ଗଦର୍ଶିକା ପ୍ରସ୍ତୁତ କରିଛି । ଯେଉଁଥିରେ କୁହାଯାଇଛି, ପ୍ରିଲିମ୍ ଓ ମେନ୍ ପରୀକ୍ଷା ପାଇଁ ସର୍ବନିମ୍ନ ୧୦୨୦ ଘଣ୍ଟା ପଢ଼ାଇବେ । ଇଂରାଜୀରେ ପାଠପଢ଼ା ହେବ । ଓଡ଼ିଆ ସମେତ ୮ଟି ଅପସ୍ନାଲ ବିଷୟରେ କୋଚିଂ ପ୍ରଦାନ କରିବେ । ଅଫଲାଇନ ଓ ଅନ୍ଲାଇନ୍ କୋଚିଂ ଦିଆଯିବ । ପ୍ରିଲିମ୍ ପରୀକ୍ଷା ପାଇଁ ୧୦ଟି ସମ୍ପୂର୍ଣ୍ଣ ଲମ୍ବା ମକ୍ ଟେଷ୍ଟ କରାଯିବ । ଏଥିସହ ମେନ୍ ପରୀକ୍ଷା ପାଇଁ ୧୫ରୁ ୩୦ଟି ଟେଷ୍ଟ ସିରିଜ୍ ହେବ । ଯେଉଁଥିରେ ଅପସ୍ନାଲ ଓ ସାଧାରଣଜ୍ଞାନ ପେପର ରହିବ । ନିୟମିତ ଭାବେ ଲେଖା ପ୍ରାକ୍ଟିସ୍ କରାଇବେ । ପ୍ରବନ୍ଧ ଲିଖନ, ଅପସ୍ନାଲ ବିଷୟର ପରୀକ୍ଷା ହେବ । ପ୍ରତିଦିନ ଶିକ୍ଷାର୍ଥୀ, ଅଧ୍ୟାପକଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ନିଆଯିବ । ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ନିୟମିତ ଟ୍ରାକ୍ରେ ରଖିବେ ।
ରାଜଧାନୀରେ ୩୦୦ ପିଲା ପଢ଼ିବା ଭଳି ଭିତ୍ତିଭୂମି ଥିବା ଖ୍ୟାତନାମା କୋଚିଂ ସେଣ୍ଟରକୁ ଦାୟିତ୍ୱ ଦିଆଯିବ । କୋଚିଂ ସେଣ୍ଟରକୁ ପ୍ରଥମେ କ୍ଲାସ୍ ଆରମ୍ଭର ଦୁଇ ସପ୍ତାହ ମଧ୍ୟରେ ୬୦ ପ୍ରତିଶତ ଅର୍ଥ ଦିଆଯିବ । ବାକି ୩୦ ପ୍ରତିଶତ କୋର୍ସ ସରିଲେ ପ୍ରଦାନ କରାଯିବ । ଆଉ ୧୦ ପ୍ରତିଶତ ଅର୍ଥ ଯଦି କୋଚିଂ ନେଉଥିବା ଶିକ୍ଷାର୍ଥୀଙ୍କ ମଧ୍ୟରୁ ୫ ପ୍ରତିଶତ ପ୍ରିଲିମ୍ରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ଦିଆଯିବ । ଆଗରୁ ରାଜ୍ୟ ସରକାର ୨୦୦ ପିଲାଙ୍କୁ ଆବାସିକ ୟୁପିଏସ୍ସି ସିଭିଲ୍ ସର୍ଭିସ କୋଚିଂ ଦେଉଛନ୍ତି । ଏଥିସହ ଏହି ଅଣଆବାସିକ ମାଗଣା କୋଚିଂର ବ୍ୟବସ୍ଥା କରାଯିବ । ଏହି କୋଚିଂ ଦେବା ପାଇଁ ଦକ୍ଷ କୋଚିଂ ସେଣ୍ଟରକୁ ଚୟନ କରିବ ଉଚ୍ଚଶିକ୍ଷା ବିଭାଗ । ଏନେଇ ଟେଣ୍ଡର ଆହ୍ୱାନ କରାଯାଇଛି ।
ବିଭାଗ କହିଛି, ମାଗଣା କୋଚିଂ ପାଇଁ ଶିକ୍ଷାର୍ଥୀ ଚୟନରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ । ଯେଉଁ ପିଲା ପୂର୍ବବର୍ଷ ୟୁପିଏସ୍ସି ସିଭିଲ ସର୍ଭିସର ପ୍ରିଲିମ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ତାଙ୍କୁ ସିଧାସଳଖ ନାମଲେଖାର ସୁଯୋଗ ପ୍ରଦାନ କରାଯିବ । ଏହି ଯୋଜନା କେବଳ ଜଣେ ପିଲାକୁ ଥରେ ହିଁ ଉପଲବ୍ଧ କରାଯିବ । ଚୟନ ହୋଇଥିବା ପିଲା ୩୦ ଦିନ କ୍ଲାସରେ ଅନୁପସ୍ଥିତ ରହିଲେ କୋଚିଂରୁ ବାଦ୍ ଦିଆଯିବ । ସର୍ବନିମ୍ନ ୯୦ ପ୍ରତିଶତ ଉପସ୍ଥାନର ଜରୁରୀ ରହିଛି ।
ସୂଚନାଯୋଗ୍ୟ, ଭାରତୀୟ ପ୍ରଶାସନିକ ସେବାରେ ନିଯୁକ୍ତି ପାଇଁ ଥିବା ଆଶାୟୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ନେଇଛି ପଦକ୍ଷେପ । ୨୦୧୬ରେ ଆରମ୍ଭ ହୋଇଥିବା ମାଗଣା ଆଇଏଏସ୍ କୋଚିଂକୁ କୌଣସି କାରଣରୁ ବନ୍ଦ ହୋଇଯାଇଥିଲା । ଏହାପରେ ସରକାର ଆବାସିକ ୟୁପିଏସ୍ସି ସିଭିଲ୍ ସର୍ଭିସ କୋଚିଂ ଆରମ୍ଭ କରିଥିଲେ ।