ଭୁବନେଶ୍ୱର, ୯।୩ : ସୋଆ କ୍ୟାମ୍ପସ-୨ ପରିସରରେ ଦୁଇ ଦିନ ଧରି ଜାତୀୟ ସ୍ତରର “ସଷ୍ଟେନହେଲଥ - ୨୦୨୬” ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ (ଆଇବିସିଏସ), ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଏବଂ କନ୍ସୋରଟିୟମ୍ ଅଫ୍ ଆକ୍ରେଡିଟେଡ ହେଲଥ କେୟାର ଅର୍ଗାନାଇଜେସନ୍ସ(କାହୋ)ର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଛି।
ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସିର ଡାଇରେକ୍ଟର ଜେନେରାଲ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସ୍ଥିରତା ଏବଂ ନୂତନ ଉଦ୍ଭାବନ’ର ପ୍ରସଙ୍ଗକୁ ନେଇ ଏହି କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ନିମନ୍ତେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଏବଂ ନୂତନ ଉଦ୍ଭାବନକୁ ନେଇ ରୋଗୀମାନଙ୍କୁ କିପରି ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଓଡ଼ିଶା ୟୁନିସେଫ୍ ହେଲଥ ସ୍ପେଶିଆଲିଷ୍ଟ ଡକ୍ଟର ମୀନା ସୋମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ୍ ଚିକିତ୍ସା ଏବଂ କୃତ୍ରିମ ବୁଦ୍ଧିମତାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ। କ୍ୱାଲିଟି ହେଲଥ କେୟାରରେ ସ୍ଥିରତା, ନୂତନତା ଓ କୃତ୍ରିମ ବୁଦ୍ଧିମତାକୁ ପ୍ରୟୋଗ କରି ସ୍ୱାସ୍ଥ୍ୟସେବା ସାଧାରଣ ଲୋକଙ୍କ ପାଖରେ କିପରି ପହଂଚା ଯାଇପାରିବ ଓ ଉନ୍ନତମାନର ଚିକିତ୍ସା ପ୍ରଦାନ କରାଯାଇପାରିବ ତାହା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ତଥା ସମ୍ମିଳନୀର ମୁଖ୍ୟ ପରାମର୍ଶଦାତା ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, କାହୋର ଚେୟାର ସଷ୍ଟେନେବଲ୍ ଫୋରମ୍ ତଥା ପ୍ରୋଗ୍ରାମ ପରାମର୍ଶଦାତା ଡାକ୍ତର କରନ୍ ଠାକୁର ଓ ଇଞ୍ଜିନିୟର୍ସ ଫୋରମର ବିନୋଦ କୁମାର କେବି ଓ ଆଇବିସିଏସ୍ ଡିନ୍ ତଥା ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ଅୟସ କାନ୍ତ ମହାନ୍ତି ଉପସ୍ଥିତ ଥିଲେ ।
ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର କ୍ୱାଲିଟି ବିଭାଗର ମୁଖ୍ୟ ତଥା ଆଇବିସିଏସ୍ ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ବିଭାଗର ପ୍ରଫେସର ଓ ପ୍ରୋଗ୍ରାମ କୋଅର୍ଡିନେଟର ଡକ୍ଟର ଅରୋଲିପି ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରୋଗ୍ରାମ କୋର୍ଡିନେଟର ପ୍ରସନ୍ନା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଷ୍ଟେନହେଲଥ -୨୦୨୬ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।
ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡକ୍ଟର) ଅନୁପ କୁମାର ସାମନ୍ତରାୟ ଅଧ୍ୟକ୍ଷତା କରି ମେଡିକାଲ୍ର ୱେଷ୍ଟ ମ୍ୟାନେଜମେଂଟ, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଦେଖାଯାଉଥିବା ଜରୁରୀକାଳୀନ ପରିସ୍ଥିତିରେ ରୋଗୀକୁ କିପରି ଉତ୍ତମ ଚିକିତ୍ସା ପ୍ରଦାନ କରାଯିବା ସହ ଆଗାମୀ ସମୟରେ ସଷ୍ଟେନେବିଲିଟିର ସନ୍ତୁଳନକୁ କିପରି ବଜାୟ ରଖାଯିବ ସେ ବିଷୟରେ ମତ ରଖିଥିଲେ ।
ଷ୍ଟେଟ୍ ଲେବଲ୍ ଏନ୍ଭାଇରନ୍ମେଂଟ ଇମ୍ପାକ୍ଟ ଆସେସ୍ମେଂଟ ଅଥରିଟି, ଆଇଏଫ୍ଏସ୍ ଚେୟାରମ୍ୟାନ୍ ଡକ୍ଟର ସୁଦର୍ଶନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସ୍ଥାୟିତ୍ୱ ଓ ନୂତନତାକୁ ନେଇ କିପରି ବୁଦ୍ଧିମତାର ସହିତ ଚିକିତ୍ସା କ୍ଷେତ୍ରରେ ପ୍ରୟୋଗ କରାଯାଇ ରୋଗୀ ଉନ୍ନତମାନର ଚିକିତ୍ସା ପାଇପାରିବ ସେ ନେଇ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।
ଏହି ଅବସରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇବିସିଏସ୍ର ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାଶ ଏବଂ କାହୋର ପ୍ରୋଗ୍ରାମ ପରାମର୍ଶଦାତା କୀର୍ଥୀ ଡି’ ସୁଜା ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ତିନୋଟି ଅଧିବେଶନ ରଖାଯାଇଥିବା ବେଳେ ସ୍ଥାୟିତ୍ୱ କ୍ଷେତ୍ରରେ ଭିତିଭୂମି, ଆର୍ଥିକ ବ୍ୟବସ୍ଥା, ବୈଷୟିକ ଅଗ୍ରଗତି, ଷ୍ଟାର୍ଟଅପ୍ ଓ ନୂତନ ଉଦ୍ଭାବନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ନେଇ କାହୋ ପକ୍ଷରୁ ପ୍ଲାଟିନମ୍ ଆଖ୍ୟା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ପ୍ରଥମ ଥର ପାଇଁ ଓଡ଼ିଶାରେ ଓ ସୋଆରେ ଆୟୋଜନ କରାଯାଇଛି । ମେଲବର୍ନର ଡାକ୍ତର ରାହୁଲ ମହାନ୍ତି ଯୋଗ ଦେଇ ସ୍ଥାୟିତ୍ୱ କ୍ଷେତ୍ରରେ ଆଇନର ମାପଦଣ୍ଡ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମିଳନୀର ପ୍ରସଙ୍ଗ ‘ଡେକୋରବୋନାଇଜିଂ କେୟାର, ଷ୍ଟ୍ରେନ୍ଥନିଙ୍ଗ ରିସାଇଲେନ୍ସ, ଆଡ୍ଭାନ୍ସିଂ ଇନୋଭେସନ୍’ ରହିଥିଲା ।
ସମ୍ମିଳନୀର ଦ୍ୱିତୀୟ ଦିନରେ ଆଇବିସିଏସ୍ର ପ୍ରଫେସର ପ୍ରୀତି ୱାଇ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରୋଗ୍ରାମ କୋଅର୍ଡିନେଟର ତଥା ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍ସେସ୍ ଆସିଷ୍ଟାଂଟ ପ୍ରଫେସର ପ୍ରସନ୍ନା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।