ନୂଆଦିଲ୍ଲୀ: ରବିବାର ଭାରତ-ପାକିସ୍ତାନ ମ୍ୟାଚ୍‌ । ଏସିଆ କପ୍‌-୨୦୨୫ର ସୁପର ଫୋର୍‌ ମୁକାବିଲାରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଏହି ମ୍ୟାଚ୍‌ରେ ପାକିସ୍ତାନ ବିରୋଧ କରୁଥିବା ରେଫରି ଆଣ୍ଡି ଫାଇକ୍ରଫ୍ଟଙ୍କୁ ପୁଣି ନିଯୁକ୍ତ କରିଛି ଆଇସିସି । ତାଙ୍କୁ ହଟାଇବା ଲାଗି ବାରମ୍ବାର ଦାବି କରିଆସିଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) । ଏପରିକି ତାଙ୍କ ପାଇଁ ଏସିଆ କପ୍‌ରୁ ପାକିସ୍ତାନ ଓହରି ଯିବ ବୋଲି  ଚେତାବନୀ ଦେଇଥିଲା । କିନ୍ତୁ ପାକିସ୍ତାନର ଦାବିକୁ ପ୍ରତ୍ୟାଖ୍ୟାନ କରି ଆଇସିସି ପୁଣି ଥରେ ଆଣ୍ଡି ପାଇକ୍ରଫ୍ଟଙ୍କୁ ମ୍ୟାଚ୍‌ର ରେଫରି କରିବାକୁ ନିଷ୍ପତ୍ତି ନେଇଛି । ପିଟିଆଇ ରିପୋର୍ଟ ଅନୁସାରେ, ଆସନ୍ତାକାଲି ପାଇକ୍ରଫ୍ଟ ହିଁ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ରେଫରି ରହିବେ । 
 
ଆସନ୍ତାକାଲିର ମ୍ୟାଚ୍ ପାଇଁ ମ୍ୟାଚ୍ ଅଧିକାରୀଙ୍କ ତାଲିକା ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। ଟୁର୍ଣ୍ଣାମେଣ୍ଟର ଅନ୍ୟ ମ୍ୟାଚ୍ ରେଫରି ହେଉଛନ୍ତି ପୂର୍ବତନ ୱେଷ୍ଟଇଣ୍ଡିଜ୍ ଅଧିନାୟକ ରିଚି ରିଚାର୍ଡସନ। ଏହା ବ୍ୟତୀତ ପାକିସ୍ତାନ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ମଧ୍ୟ ବାତିଲ କରିଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ‘ପାକିସ୍ତାନ ପାଇକ୍ରଫ୍ଟଙ୍କ ନିଯୁକ୍ତି ଏବଂ ହାତ ନମିଳାଇବା ପ୍ରସଙ୍ଗରୁ ଦୂରେଇ ରହିବାକୁ ପୁଣିଥରେ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ବାତିଲ କରିଛି।’

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲିଗ୍‌ ମ୍ୟାଚ୍ ପରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଦଳ ସହିତ ହାତ ମିଳାଇବାକୁ ମନା କରିଥିଲେ। ଟସ୍ ସମୟରେ ସମାନ ଘଟଣା ଘଟିଥିଲା। ଭାରତୀୟ ଅଧିନାୟକ ପାକିସ୍ତାନ ଦଳର ନେତୃତ୍ୱ ନେଉଥିବା ସଲମାନ ଆଗାଙ୍କ ସହିତ ହାତ ମିଳାଇବାକୁ ମନା କରିଥିଲେ। ଏହା ପରେ, ପାକିସ୍ତାନ ଉତକ୍ଷୀପ୍ତ ହୋଇଉଠିଥିଲା ​​ଏବଂ ୟୁଏଇ ବିପକ୍ଷ ମ୍ୟାଚରୁ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ବାହାର କରିବା ପାଇଁ ଅନୁରୋଧ କରି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଦୁଇଟି ଇମେଲ୍ ପଠାଇଥିଲା। 

ସେପଟେ ଆଇସିସି ପାକିସ୍ତାନର  ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା। ଆଇସିସିର ପ୍ରତିକ୍ରିୟାରେ ଅସନ୍ତୁଷ୍ଟ ହୋଇ, ପାକିସ୍ତାନ ପୁଣି ଏକ ନାଟକ କରିଥିଲା । ୟୁଏଇ ବିପକ୍ଷରେ ମ୍ୟାଚ୍ ପ୍ରାୟ ଏକ ଘଣ୍ଟା ବିଳମ୍ବ କରିଥିଲା ପାକିସ୍ତାନ । ୟୁଏଇ ବିପକ୍ଷ ମ୍ୟାଚ୍ ଆରମ୍ଭ ହେବା ପରେ, ପାକିସ୍ତାନ ଏକ ପ୍ରେସ୍ ରିଲିଜ୍ ଜାରି କରି କହିଥିଲା ଯେ, ପାଇକ୍ରଫ୍ଟ କ୍ଷମା ମାଗିଛନ୍ତି। କିନ୍ତୁ ପିସିବିର ଏହି ଦାବିକୁ ମଧ୍ୟ ଆଇସିସି ଖଣ୍ଡନ କରିଥିଲା । 

ଏକ ଇମେଲରେ ଆଇସିସି ସ୍ପଷ୍ଟ କରିଥିଲା ​​ଯେ, ପାଇକ୍ରଫ୍ଟ କ୍ଷମା ମାଗି ନାହାନ୍ତି ବରଂ କେବଳ ଭୁଲ ବୁଝାମଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରୋଟୋକଲ୍ ଉଲ୍ଲଂଘନ କରିଥିବା ନେଇ ପିସିବି ଉପରେ ଅଭିଯୋଗ କରିଛି ଆଇସିସି ।ଏହାକୁ ପିସିବି ଅସ୍ୱୀକାର କରିଛି। ଏହି ସବୁ ଘଟଣା ପରେ ମଧ୍ୟ ଆସନ୍ତାକାଲି ଭାରତ ଏବଂ ପାକିସ୍ତାନ  ମ୍ୟାଚରେ ପାଇକ୍ରଫ୍ଟଙ୍କୁ ନିଯୁକ୍ତ କରି ଆଇସିସି ପିସିବିକୁ ସ୍ପଷ୍ଟ ବାର୍ତ୍ତା ଦେଇଛି ।