ଜୋହାନ୍ସବର୍ଗ,୧୪/୦୧: ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା ହୋଇଛି । ଆହତ ମୁକ୍ତ ହୋଇଥିବା ଦୁଇ ଅଭିଜ୍ଞ ପେସ୍‌ ବୋଲର ଆନରିଜ ନର୍ଜ ଓ ଲୁଙ୍ଗି ଏନ୍‌ଗିଡ଼ି ଦୀର୍ଘ ସାଢ଼େ ୭ ମାସ ପରେ ଦଳକୁ ଫେରିଛନ୍ତି । ଉଭୟଙ୍କ ପ୍ରତ୍ୟାବର୍ତ୍ତନ ବୋଲିଂ ବିଭାଗକୁ ଅଧିକ ସୁଦୃଢ଼ କରିଛି । ତେମ୍ବା ବଭୁମା ଦଳର ନେତୃତ୍ୱ  ନେବେ । 

ଗତ ୨୦୨୩ ଦିନିକିଆ ବିଶ୍ୱକପ୍‌ ଦଳରେ ସାମିଲ  ଥିବା ୧୦ଜଣ ଖେଳାଳି ସ୍ଥାନ ବଜାୟ ରଖିଛନ୍ତି । ସେହିପରି  ୱିଆନ୍‌ ମୁଲ୍ଡର, ଟୋନି ଡି’ ଜର୍ଜି, ର‌୍ୟାନ୍‌ ରିକେଲଟନ୍‌  ପ୍ରଥମ କରି ଆଇସିସି ସିନିୟର ଟୁର୍ଣ୍ଣାମେଣ୍ଟରେ ଭାଗ  ନେବାକୁ ଯାଉଛନ୍ତି । ଅନ୍ୟ ପଟରେ ଆହତ ଥିବା ପେସ୍‌ ବୋଲର ଗେରାଲ୍ଡ କୋଏଜିଙ୍କ ସମେତ ଆଣ୍ଡିଲ ଫେଲୁକ୍ୱାୟୁ  ଓ ବାମ ହାତି ସ୍ପିନର ବିୟର୍ଣ୍ଣ ଫର୍ଟାନ ବାଦ୍‌ ପଡ଼ିଛନ୍ତି । 

ଚାମ୍ପିଅନ୍ସ ଟ୍ରଫି ଆଗାମୀ ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକା ଗ୍ରୁପ୍‌-ବି’ରେ ସ୍ଥାନ ପାଇଛି । ଆସନ୍ତା ୨୧ ତାରିଖରେ ଦଳ ଆଫଗାନିସ୍ତାନ ବିପକ୍ଷରେ  ଅଭିଯାନ ଆରମ୍ଭ କରିବ । ଏହାପରେ ଦଳ ୨୫ ତାରିଖରେ  ଅଷ୍ଟ୍ରେଲିଆକୁ ଏବଂ ମାର୍ଚ୍ଚ ୧ରେ ଇଂଲଣ୍ଡକୁ ସାମ୍ନା କରିବ । 

ଦକ୍ଷିଣ ଆଫ୍ରିକା ଦଳ: ତେମ୍ବା ବଭୁମା (ଅଧିନାୟକ),  ଟୋନି ଡି’ ଜର୍ଜି, ମାର୍କୋ ଜାନସେନ୍‌, ହେନରିକ୍‌ କ୍ଲାସେନ,  କେଶବ ମହାରାଜ, ଆଡେନ ମାରକ୍ରମ, ଡେଭିଡ୍‌  ମିଲର, ୱିଆନ୍‌ ମୁଲ୍ଡର, ଲୁଙ୍ଗି ଏନ୍‌ଗିଡ଼ି, ଆନରିଚ  ନର୍ଜ, କାଗିସୋ ରାବାଡ଼ା, ର‌୍ୟାନ୍‌ ରିକେଲଟନ୍‌, ତାବ୍ରେଜ ସାମ୍‌ସି, ଟ୍ରିଷ୍ଟନ ଷ୍ଟବ୍ସ, ରାସି ଭାନ୍‌ ଡର ଡୁସେନ।