ମୁମ୍ବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବାଜିମାତ କରିବା ପରେ ଭାରତୀୟ ଖେଳାଳିଙ୍କ ରାଙ୍କିଂରେ ଉନ୍ନତ୍ତି ଆସିଛି । ଭାରତୀୟ ଟିମ୍‌ର ତାରକା ବ୍ୟାଟର ଏବଂ ଅଧିନାୟକ ରୋହିତ ଶର୍ମା ଫାଇନାଲ୍‌ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ଟ୍ରଫି ଜିତିବାରେ ପ୍ରମୁଖ ଭୂମିକା ନେଇଥିଲେ । ଏଥିପାଇଁ ତାଙ୍କୁ ମଧ୍ୟ ବଡ଼ ଉପହାର ମିଳିଛି । ଆଇସିସିର ସଦ୍ୟତମ ଦିନିକିଆ ରାଙ୍କିଂରେ ରୋହିତ ଶର୍ମା ୨ଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । 

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ସ୍କୋର କରି ରୋହିତ ଶର୍ମା, ବିରାଟ କୋହଲି ଏବଂ ହେନରିକ୍‌ କ୍ଲାସେନଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହିତଙ୍କ ରେଟିଂ ବଢ଼ିବା ସହ ୭୫୬ରେ ପଏଞ୍ଚିଛି । ସେହିଭଳି କ୍ଲାସେନ ଗୋଟିଏ ସ୍ଥାନ ଖସି ଚତୁର୍ଥ ସ୍ଥାନରେ ପହଞ୍ଚିଥିବା ବେଳେ କୋହଲି ପଞ୍ଚମ ସ୍ଥାନକୁ ଖସି ଯାଇଛନ୍ତି । ଭାରତର ଯୁବ ଓପନିଂ ବ୍ୟାଯର ଶୁଭମନ ଗିଲ ଶୀର୍ଷରେ ଅଛନ୍ତି। ତାଙ୍କର ରେଟିଂ ପଏଣ୍ଟ  ୭୮୪ ରହିଛି ।  ପାକିସ୍ତାନର ତାରକା ବ୍ୟାଟର  ବାବର ଆଜମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲ୍ୟାଣ୍ଡର ଡାରିଲ ମିଚେଲ ୭୨୧ ରେଟିଂ ପଏଣ୍ଟ ସହିତ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ଆୟର୍ଲାଣ୍ଡର ହ୍ୟାରି ଟାକ୍ଟର ଗୋଟିଏ ସ୍ଥାନ ଖସି  ୭ ନମ୍ବରରେ ପହଞ୍ଚିଛନ୍ତି । ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋର କରିଥିବା ଶ୍ରେୟସ୍ ଆୟର ଅଷ୍ଟମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି । ଶ୍ରୀଲଙ୍କାର ଚାରିଥ ଆସାଲଙ୍କା ନବମ ସ୍ଥାନରେ ଥିବା ବେଳେ ଆଫଗାନିସ୍ତାନର ଇବ୍ରାହିମ ଜାଦ୍ରାନ୍ ଦଶମ ସ୍ଥାନରେ ରହିଛନ୍ତି ।  ଭାରତର ୪ ଜଣ ବ୍ୟାଟର ଶୀର୍ଷ-୧୦ରେ ସ୍ଥାନ ପାଇଛନ୍ତି ।  ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ନ୍ୟୁଜିଲାଣ୍ଡର ବ୍ୟାଟର ରଚିନ୍ ରବିନ୍ଦ୍ର ତାଲିକାର ୧୪ ତମ ସ୍ଥାନକୁ ଉଠିଛନ୍ତି ।  ଭାରତର କେ.ଏଲ୍ ରାହୁଲ ଗୋଟିଏ ସ୍ଥାନ ଖସି ଆସିଛନ୍ତି ।