ଦୁବାଇ,୨୬/୧୨: ଆଇସିସି ପ୍ରକାଶ କରିଛି ଟେଷ୍ଟ ମାନ୍ୟତା ତାଲିକା । ଯଶପ୍ରୀତ ବୁମରା ବୋଲିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ପେସ୍ ବୋଲର ଭାବେ ସେ ସର୍ବାଧିକ ୯୦୪ ରେଟିଂ ପଏଣ୍ଟ ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ ଏକମାତ୍ର ଭାରତୀୟ ବୋଲର ଭାବେ ରବି ଚନ୍ଦ୍ରନ ଅଶ୍ୱିନ ୯୦୦ରୁ ଊଦ୍ଧ୍ୱର୍ ପଏଣ୍ଟ ଅର୍ଜନ କରିଥିଲେ । ବ୍ୟାଟିଂ ବିଭାଗରେ ସବୁ ଭାରତୀୟଙ୍କ ଅବନତି ହୋଇଛି । ଗତ ସପ୍ତାହରେ ଚତୁର୍ଥ ସ୍ଥାନ ଦଖଲ କରିଥିବା ଯଶସ୍ୱୀ ଜୈସ୍ୱାଲ ପଞ୍ଚମକୁ ଖସିଥିବାବେଳେ ରିଷଭ ପନ୍ତ ମଧ୍ୟ ଶ୍ରେଷ୍ଠ ୧୦ରୁ ବାଦ ପଡ଼ିଛନ୍ତି । ସେ ୧୧ତମ ସ୍ଥାନରେ ରହିଛନ୍ତି । ଅନ୍ୟ ଭାରତୀୟ ଭାବେ ଶୁଭମନ ଗିଲ୍ ୨୦ତମ ସ୍ଥାନରେ ରହିଛନ୍ତି ।
ବୁମରା ଓ ଦ୍ୱିତୀୟ ସ୍ଥାନରେ ରହିଥିବା କାଗିସୋ ରାବାଡାଙ୍କ ମଧ୍ୟରେ ୪୮ ପଏଣ୍ଟର ବ୍ୟବଧାନ ରହିଛି । ରାବାଡ଼ା ୮୫୬ ପଏଣ୍ଟ ଅର୍ଜନ କରିଛନ୍ତି । ବ୍ରିସବେନରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ବୁମରା ୯ଟି ୱିକେଟ୍ ଅକ୍ତିଆର କରିଥିଲେ । ଏହି ପ୍ରଦର୍ଶନ ବଳରେ ସେ ୧୪ ପଏଣ୍ଟ ଅର୍ଜନ କରିଥିଲେ । ବୁମରା ୩ଟି ଟେଷ୍ଟରେ ମୋଟ ୨୧ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି ।
ବ୍ୟାଟିଂ ବିଭାଗରେ ଇଂଲଣ୍ଡର ଜୋ ରୁଟ୍ ଓ ହ୍ୟାରୀ ବ୍ରୁକ୍ ପ୍ରଥମ ୨ଟି ସ୍ଥାନ ବଜାୟ ରଖିଥିବାବେଳେ କେନ ୱିଲିୟମସନ ତୃତୀୟ ସ୍ଥାନରେ ରହିଛନ୍ତି । ଟ୍ରେଭିସ୍ ହେଡ୍ ଚତୁର୍ଥକୁ ଉନ୍ନୀତ ହୋଇଛନ୍ତି । ସେ ବ୍ରିସବେନରେ ୧୫୨ ରନ୍ର ଏକ ମାରାଥନ ଇନିଂସ ଖେଳିଥିଲେ । ଷ୍ଟିଭେନ ସ୍ମିଥ୍ ମଧ୍ୟ ବ୍ରିସ୍ବେନରେ ଶତକ ପରେ ମାନ୍ୟତା ତାଲିକାର ଦଶମ ସ୍ଥାନ ଦଖଲ କରିଛନ୍ତି ।
ଅନ୍ୟ ଭାରତୀୟଙ୍କ ମଧ୍ୟରେ ଗିଲଙ୍କ ମାନ୍ୟତାରେ ୪ଟି ସ୍ଥାନ ଅବନତି ହୋଇଥିବାବେଳେ ବିରାଟ କୋହଲି ୨୧ ଓ ରୋହିତ ଶର୍ମା ୩୫ତମ ସ୍ଥାନକୁ ଖସିଛନ୍ତି । କେବଳ କେଏଲ ରାହୁଲଙ୍କ ମାନ୍ୟତାରେ ୧୦ଟି ସ୍ଥାନ ଉନ୍ନତି ହୋଇଛି ଓ ସେ ୪୦ତମ ସ୍ଥାନରେ ପହଞ୍ଚିଛନ୍ତି ।