କଲମ୍ବୋ,୧୮/୧୦: ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ର ୧୯ତମ ଲିଗ ମ୍ୟାଚରେ ଶନିବାର ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ  ଭେଟିବେ । ନିୟମିତ ଭାବେ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ରେ ବାଧା ଉପୁଯାଉଥିବା  ବର୍ଷା ମଧ୍ୟ ଖଳନାୟକ ସାଜିବ । ତଥାପି ଏକ ପୂର୍ଣ୍ଣ ମ୍ୟାଚ୍‌ର ଆଶା ନେଇ ଉଭୟ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ପ୍ରସ୍ତୁତ ।

ପାକିସ୍ତାନ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍‌ ଜିତି ନାହିଁ । ୪ଟି ମ୍ୟାଚ୍‌  ଖେଳି ଦଳ ୧ ପଏଣ୍ଟ ଅର୍ଜନ କରିଛି ।  ଆଉ ଗୋଟିଏ ମ୍ୟାଚ୍‌ ହାରିଲେ  ପାକିସ୍ତାନର ସେମି ଫାଇନାଲ ଆଶା ଧୂଳିସାତ୍‌ ହେବ । ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍‌ ଖେଳି ୩ ପଏଣ୍ଟ ଅର୍ଜନ  କରିବା ସହ ସେମି ଫାଇନାଲ୍‌ ଆଶା  ଉଜ୍ଜୀବିତ ରଖିଛି । ପରବର୍ତ୍ତୀ ୩ଟି ମ୍ୟାଚ୍‌ ଜିତି  ପଏଣ୍ଟକୁ ୯ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛି  ନ୍ୟୁଜିଲାଣ୍ଡ । ଆଜି ପାକିସ୍ତାନକୁ ଭେଟିବା ପରେ ଦଳ ପରବର୍ତ୍ତୀ ୨ଟି ମ୍ୟାଚ୍‌ରେ ଯଥାକ୍ରମେ  ଭାରତ ଓ ଇଂଲଣ୍ଡକୁ ସାମ୍ନା କରିବ । ଉଭୟ ମ୍ୟାଚ୍‌  ଜିତିବା ଏତେ ସହଜ ନୁହେଁ । ତେଣୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଜିତି ଯଥା ସମ୍ଭବ ୨ପଏଣ୍ଟ  ବୃଦ୍ଧି କରିବାକୁ ନ୍ୟୁଜିଲାଣ୍ଡ ପ୍ରୟାସ କରିବ ।

ପାକିସ୍ତାନ ଗତ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ କରିଥିଲା । ମାତ୍ର ବର୍ଷା ଯୋଗୁଁ  ମ୍ୟାଚ୍‌ ବାତିଲ ହୋଇଥିଲା । ଏହି ପ୍ରଦର୍ଶନ ଦଳର ମନୋବଳ ବୃଦ୍ଧି କରିଛି । ଆଜି ପୁଣି ଥରେ ଶୃଙ୍ଖଳିତ ବୋଲିଂ କରି ନ୍ୟୁଜିଲାଣ୍ଡର  ବିପର୍ଯ୍ୟୟ ଘଟାଇବାକୁ ପାକିସ୍ତାନ ପ୍ରସ୍ତୁତ  ରହିଛି । ଅଧିନାୟିକା ତଥା ଅଲରାଉଣ୍ଡର ଫାତିମା  ସାନାଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର  କରିବ । ସେହିପରି ନ୍ୟୁଜିଲାଣ୍ଡର ଅଧିନାୟିକା  ଶୋଫି ଡିଭାଇନ ଚମତ୍କାର ଫର୍ମରେ ରହିଛନ୍ତି ।

ପୂର୍ବ ରେକର୍ଡ ଦେଖିଲେ ନ୍ୟୁଜିଲାଣ୍ଡର  ପଲା ଭାରି ରହିବ । ଉଭୟ ଦଳ ୧୬ଟି  ଦିନିକିଆ ଖେଳିଛନ୍ତି । ଏଥିରୁ ନ୍ୟୁଜିଲାଣ୍ଡ  ୧୫ଟି ମ୍ୟାଚ୍‌ ଜିତିଛି । ଶେଷ ଥର ପାଇଁ  ୨୦୧୭ରେ ପାକିସ୍ତାନ ଏକ ମ୍ୟାଚ୍‌ ଜିତିଥିଲା ।  ଆସନ୍ତାକାଲି ନ୍ୟୁଜିଲାଣ୍ଡ ବ୍ୟାଟର ସୁଜି ବେଟ୍ସ  ୭୫ ରନ କଲେ ଦିନିକିଆରେ ୬୦୦୦ ରନ  ପୂରଣ କରିବେ । ସେ କେବଳ ପାକିସ୍ତାନ  ବିପକ୍ଷରେ ୮୭୪ ରନ ସଂଗ୍ରହ କରିସାରିଛନ୍ତି ।

ପ୍ରେମଦାସା ଷ୍ଟାଡ଼ିୟମ୍‌ର ପିଚ୍‌ ସ୍ପିନରଙ୍କୁ  ସହାୟତା କରିବା ନିଶ୍ଚିତ । ମାତ୍ର ନିୟମିତ ବର୍ଷା  ଯୋଗୁଁ ପିଚ୍‌ରେ ଆଦ୍ରତା ଭରି ରହିଥିବ । ନୂଆ  ବଲ୍‌ରେ ପେସ୍‌ ବୋଲରମାନେ ମଧ୍ୟ ପିଚ୍‌ର  ଫାଇଦା ଉଠାଇ ପାରିବେ । ଟସ୍‌ ବିଜୟୀ ଦଳ  ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ନ୍ୟୁଜିଲାଣ୍ଡ: ସୁଜି ବେଟ୍ସ, ଜର୍ଜିୟା ପ୍ଲିମର,  ଆମେଲିଆ କେର, ଶୋଫି ଡିଭାଇନ  (ଅଧିନାୟିକା), ବ୍ରୁକ ହାଲିଡେ, ମାଡି ଗ୍ରୀନ,  ଇସାବେଲା ଗେଜ, ଜେସ କେର/ରୋଜମେରୀ  ମାଇର, ଲି ତାହୁହୁ, ଏଡେନ କାର୍ସନ, ବ୍ରି ଇଲିଂ ।

ପାକିସ୍ତାନ: ସଦାଫ ସମାସ, ମୁନୀବା ଅଲି,  ସିଦ୍ରା ଅମିନ, ସିଦ୍ରା ନୱାଜ, ନାତାଲିଆ  ପରଭେଜ, ଏମାନ ଫାତିମା, ଫାତିମା ସାନା  (ଅଧିନାୟିକା), ରମିଣ ଶମିମି, ଡାଏନା  ବେଗ, ନସ୍ରା ସାନ୍ଧୁ, ସାଦିଆ ଇକବାଲ ।