କଲମ୍ବୋ,୦୪/୧୦: ଆଜି ମହିଳା ବିଶ୍ୱକପ୍ରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆକୁ ଭେଟିବ ଶ୍ରୀଲଙ୍କା। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍ରେ ଭାରତ ଠାରୁ ପରାଜିତ ହୋଇଥିଲା । ବିଜୟ ଖାତା ଖୋଲିବାକୁ ବ୍ୟାକୁଳ ଶ୍ରୀଲଙ୍କା ପାଇଁ ଘରୋଇ ଗ୍ରାଉଣ୍ଡ ଓ ସମର୍ଥକ ସହାୟକ ସାଜିବ । ମାତ୍ର ଅଷ୍ଟ୍ରେଲିଆ ଆଧିପତ୍ୟ ବଜାୟ ରଖିବା ପାଇଁ ପ୍ରସ୍ତୁତ ।
ପ୍ରାରମ୍ଭିକ ପ୍ରଦର୍ଶନକୁ ଦେଖିଲେ ଅଷ୍ଟ୍ରେଲିଆର ପଲା ଭାରି ଜଣାପଡ଼ୁଛି । ଶ୍ରୀଲଙ୍କା ଦିନିକିଆରେ ଆଜି ପର୍ଯ୍ୟନ୍ତ ଅଷ୍ଟ୍ରେଲିଆକୁ ହରାଇ ନାହିଁ । ଖାଲି ସେତିକି ନୁହେଁ, ସମ୍ପୂର୍ଣ୍ଣ ଅଷ୍ଟ୍ରେଲିଆ ଦଳ ତାରକା ଖେଳାଳିରେ ଭରପୁର। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଆସଲି ଗାର୍ଡନର ଶତକ ଅର୍ଜନ କରି ଚମତ୍କାର ଫର୍ମରେ ରହିଥିବା ପ୍ରମାଣିତ କରିସାରିଛନ୍ତି । ଭେଟେରାନ ଆଲିସା ହିଲି, ଏଲିସ ପେରୀ, ବେଥ୍ ମୁନି ପ୍ରମୁଖ ଏକାଧିକ ବିଶ୍ୱକପ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି।
ବିପର୍ଯ୍ୟୟ ଘଟାଇବାର କ୍ଷମତା ଶ୍ରୀଲଙ୍କା ନିକଟରେ ରହିଛି । ୨୦୧୯ ପରଠୁ ଉଭୟ ଦଳ ଦିନିକିଆ ମ୍ୟାଚ ଖେଳି ନାହାନ୍ତି । ତେଣୁ ଶ୍ରୀଲଙ୍କାର ଅସଲ ଶକ୍ତି ସହ ଅଷ୍ଟ୍ରେଲିଆ ପରିଚିତ ନୁହେଁ କହିଲେ ଭୁଲ ହେବ ନାହିଁ । ଶ୍ରୀଲଙ୍କାର ସ୍ପିନ ବାହିନୀ ବେଶ୍ ଶକ୍ତିଶାଳୀ । କଲମ୍ବୋରେ ଶ୍ରୀଲଙ୍କା ଦଳ ନିୟମିତ ଅଭ୍ୟାସ କରୁଥିବାରୁ ସ୍ଥାନୀୟ ପିଚ୍ ସହ ପରିଚିତ । ତେଣୁ ଅଷ୍ଟ୍ରେଲିଆକୁ କଡ଼ା ଜବାବ ଦେବା ପାଇଁ ଶ୍ରୀଲଙ୍କା ଘରୋଇ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ପାରିବ । ମାତ୍ର ବ୍ୟାଟରମାନଙ୍କୁ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାକୁ ହେବ ।
ଆର ପ୍ରେମଦାସା ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଥିଲେ ହେଁ ସ୍ପିନରମାନେ ଫାଇଦା ଉଠାଇ ପାରିବେ । ଅପରାହ୍ଣରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଟସ୍ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
ଶ୍ରୀଲଙ୍କା: ହାସିନି ପେରେରା, ଚାମରି ଆଟ୍ଟାପଟୁ (ଅଧିନାୟିକା), ହର୍ଷିତା ସମରବିକ୍ରମା, ଭିଷ୍ମୀ ଗୁଣରତ୍ନେ, କବିଶା ଦିଲହାରୀ, ଅନୁଷ୍କା ସଞ୍ଜିବନୀ, ନୀଳକ୍ଷିକା ସିଲଭା, ସୁଗନ୍ଧିକା କୁମାରୀ, ଇନୋକା ରଣାବୀରା, ଅଚିନି କୂଳସୂରିୟା, ଓଦେଶିକା ପ୍ରବୋଧିନୀ ।
ଅଷ୍ଟ୍ରେଲିଆ: ଆଲିସା ହିଲି (ଅଧିନାୟିକା), ଫୋଏବ ଲିଚଫିଲ୍ଡ, ଏଲିସ ପେରୀ, ବେଥ ମୁନି, ଆନାବେଲ୍ ସୁଦରଲାଣ୍ଡ, ଆସଲି ଗାର୍ଡନର, ତହିଲା ମ୍ୟାକଗ୍ରା, ଶୋଫି ମୋଲିନକ୍ସ, କିମ ଗାର୍ଥ, ଆଲାନା କିଙ୍ଗ, ଡାର୍ସି ବ୍ରାଉନ ।