ମୁମ୍ବାଇ, ୦୨/୧: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆୟୋଜକ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ମହିଳା ଦିନିକିଆ ବିଶ୍ୱକପ୍ର ଟାଇଟଲ ଲଢ଼େଇ ଆରମ୍ଭ ହେବ । ଏହି ମ୍ୟାଚ ସହ ଜଣେ ନୂଆ ଚାମ୍ପିଅନଙ୍କ ଆବିର୍ଭାବ ଘଟିବ । ଭାରତ ତୃତୀୟ ଥର ଫାଇଁ ଫାଇନାଲ୍ ଖେଳିବାକୁ ଯାଉଛି । ପୂର୍ବରୁ ୨୦୦୫ ଓ ୨୦୧୭ ବିଶ୍ୱକପ୍ରେ ଭାରତୀୟ ଦଳକୁ ରନର୍ସ ଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଏଥର ଘରୋଇ ଗ୍ରାଉଣ୍ଡ ଓ ଦର୍ଶକ ହର୍ମନପ୍ରୀତଙ୍କ ଟିମ ଇଣ୍ଡିଆକୁ ସମର୍ଥନ କରିବାକୁ ଅପେକ୍ଷା କରିଛନ୍ତି । ପ୍ରଥମ କରି ଫାଇନାଲ୍ ଖେଳିବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ଇତିହାସ ରଚିବାକୁ ପ୍ରସ୍ତୁତ । ଫଳରେ ମ୍ୟାଚ୍ଟି ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।
ଫାଇନାଲ୍ ମୁକାବିଲା ପାଇଁ ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଛି । ୩୦,୦୦୦ରୁ ଊଦ୍ଧ୍ୱର୍ ଦର୍ଶକ ଷ୍ଟାଡ଼ିୟମ୍ରେ ବସି ମ୍ୟାଚ୍ ଦେଖିବେ । ନୀଳ ଜର୍ସି ଓ ତ୍ରିରଙ୍ଗାରେ ଡିୱାଇ ପାଟିଲ ଷ୍ଟାଡ଼ିୟମ୍ ପୁରି ଉଠିବ।କଣ୍ଠ ଶିଳ୍ପୀ ସୁନିଧି ଚୌହାନ ଓ କୋରିଓଗ୍ରାଫର ସଞ୍ଜୟ ସେଟ୍ଟୀ ଟିମ୍ ମୁମ୍ବାଇ ସହର ଓ ଟେଲିଭିଜନ ଜରିଆରେ ସମଗ୍ର କ୍ରିକେଟ୍ ପ୍ରେମୀଙ୍କୁ ମତୁଆଲା କରିବେ ।
ଲିଗ୍ ପର୍ଯ୍ୟାୟରେ ଉଭୟ ଦଳ ମଧ୍ୟରେ ଏକ ମ୍ୟାଚ୍ ଖେଳା ଯାଇଥିଲା । ଦକ୍ଷିଣ ଆଫ୍ରିକା ଉକ୍ତ ମ୍ୟାଚ୍କୁ ୩ୱିକେଟ୍ରେ ଜିତିଥିଲା । ଖାଲି ଏହି ମ୍ୟାଚ୍ ନୁହେଁ, ବିଶ୍ୱକପ୍ରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୩ଟି ଯାକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ଏଥର ଭାରତ ଉକ୍ତ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ।
ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇବା ପାଇଁ ଉନ୍ନତ ରଣନୀତିର ଆବଶ୍ୟକ ରହିଛି । ଦକ୍ଷିଣ ଆଫ୍ରିକାର ନିମ୍ନ ମଧ୍ୟ କ୍ରମ ବ୍ୟାଟରଙ୍କୁ ବାନ୍ଧି ରଖିବା ଭାରତୀୟ ଦଳ ପାଇଁ ମୁଖ୍ୟ କାର୍ଯ୍ୟ ରହିବ । ବିଶେଷ କରି ଚୋଲେ ଟ୍ରିୟନ, ନାଦିନ ଡି କ୍ଲର୍କ ଓ ତଜମିନ ବ୍ରିଟ୍ସଙ୍କୁ ସହଳ ଆଉଟ୍ କରିବା ଜରୁରି । ଲୌରା ଉଲଭାର୍ଟ ଓ ତଜମିନ ବ୍ରିଟ୍ସ ଚମତ୍କାର ଫର୍ମରେ ରହିଥିଲେ ହେଁ ଭାରତ ଉଭୟଙ୍କୁ କାବୁ କରିବାକୁ ପ୍ରସ୍ତୁତ ରହିଛି । ଦକ୍ଷିଣ ଆଫ୍ରିକା ଦଳର ସମସ୍ତ ଖେଳାଳି ଡାହାଣ ହାତି ବ୍ୟାଟର । ତେଣୁ ଭାରତ ବାମ ହାତି ସ୍ପିନରଙ୍କୁ ନେଇ ଖେଳିବା ଉପଯୁକ୍ତ ରଣନୀତି ହେବ । ଶ୍ରୀ ଚରଣୀଙ୍କ ସହ ରାଧା ଯାଦବ ମଧ୍ୟ ଏକାଦଶରେ ସ୍ଥାନ ପାଇବା ଆବଶ୍ୟକ ।
ସେମି ଫାଇନାଲ୍ ମ୍ୟାଚ୍ ଜରିଆରେ ଭାରତ ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବାରେ ସଫଳ ହୋଇଛି । ଜେମିମା ରୋଡ୍ରିଗ୍ସ ୩ନଂ ସ୍ଥାନରେ ଖେଳିବା ଫଳରେ ବ୍ୟାଟିଂ ବିଭାଗର ସନ୍ତୁଳନ ବୃଦ୍ଧି ପାଇଛି । ହର୍ଲିନ ଦେଓଲଙ୍କ ସ୍ଥାନରେ ଅମନଜୋତ ଖେଳିବା ଫଳରେ ବୋଲିଂ ବିଭାଗ ଶକ୍ତିଶାଳୀ ହୋଇଛି । ଭାରତ ଏହି ଏକାଦଶକୁ ଅପରିବର୍ତ୍ତିତ ରଖିବା ଆଶା କରାଯାଉଛି । ଦକ୍ଷିଣ ଆଫ୍ରିକା ଜଣେ ଅତିରିକ୍ତ ବୋଲର ନେଇ ଖେଳିପାରେ ।
ଆସନ୍ତାକାଲି କିଛି ବ୍ୟକ୍ତିଗତ ଲଢ଼େଇ ରୋମାଞ୍ଚ ବଢ଼ାଇବା ଆଶା କରାଯାଉଛି । ସ୍ମୃତି ମନ୍ଧନାଙ୍କୁ ଦକ୍ଷିଣ ଆଫ୍ରିକା ସ୍ପିନର ମଲାବା ୩ଥର ଆଉଟ୍ କରିସାରିଛନ୍ତି । ଜେମିମାଙ୍କୁ କାପ ୨ଥର ଆଉଟ୍ କରିଛନ୍ତି ଓ ୪୦ଟି ବଲ ପକାଇ ମାତ୍ର ୧୬ ରନ ପ୍ରଦାନ କରିଛନ୍ତି । ସେହିପରି ଦୀପ୍ତି ଶର୍ମା ଦକ୍ଷିଣ ଆଫ୍ରିକା ଅଧିନାୟିକାଙ୍କୁ ୩ଥର ଆଉଟ୍ କରିସାରିଛନ୍ତି ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଡି କ୍ଲର୍କ ଓ ଭାରତ ପକ୍ଷରୁ ରିଚା ଘୋଷ ୧୦ଟି ଲେଖାଏଁ ଛକା ମାରି ସାରିଛନ୍ତି । ଦକ୍ଷିଣ ଆଫ୍ରିକା ଚଳିତ ସଂସ୍କରଣରେ ସର୍ବାଧିକ ୩୧ଟି ଛକା ମାରିଛି। ଆଜି ଉଲଭାର୍ଟ ଆଉ ୪୦ ରନ କଲେ ଗୋଟିଏ ବିଶ୍ୱକପ ସଂସ୍କରଣରେ ସର୍ବାଧିକ ରନ୍ ସ୍କୋରର ହେବେ । ସେ ଇତି ମଧ୍ୟରେ ୪୭୦ ରନ ସଂଗ୍ରହ କରିସାରିଛନ୍ତି । ୨୦୨୨ ବିଶ୍ୱକପ୍ରେ ଅଷ୍ଟ୍ରେଲିଆର ଆଲିସା ହିଲି ୫୦୯ ରନ ସଂଗ୍ରହ କରିଥିଲେ ।
ଡି ୱାଇ ପାଟିଲ ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ମାତ୍ର ଟସ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ । ରାତ୍ରିରେ କାକର ପଡ଼ିବ । ତେଣୁ ଓଦା ବଲରେ ରନ ସଂଗ୍ରହ ସହଜ ହେବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ଆଜି ବର୍ଷା ହେବାର ସମ୍ଭାବନା ରହିଛି । ମାତ୍ର ଫାଇନାଲ୍ ମ୍ୟାଚ ପାଇଁ ରିଜର୍ଭ ଦିବସ ରଖା ଯାଇଛି ।
ସମ୍ଭାବ୍ୟ ଦଳ
ଭାରତ: ସ୍ମୃତି ମନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ କୌର (ଅଧିନାୟିକା), ଦୀପ୍ତି ଶର୍ମା, ରିଚା ଘୋଷ, ଅମନଜୋତ କୌର, ରାଧା ଯାଦବ, ଶ୍ରୀ ଚରଣୀ, ରେଣୁକା ସିଂହ, କ୍ରାନ୍ତି ଗୌଡ଼ ।
ଦକ୍ଷିଣ ଆଫ୍ରିକା: ଲୌରା ଉଲଭାର୍ଟ (ଅଧିନାୟିକା), ତଜମିନ ବ୍ରିଟ୍ସ, ସୁନେ ଲୁସ, ମରିଜାନ କାପ, ଆନେକି ବସ୍କ/ ମାସାବାଟା କ୍ଲାସ, ଆନେରି ଡେରେକସନ, ସିନାଲୋ ଜାଫଟା, ଚୋଲେ ଟ୍ରିୟନ, ନାଦିନ ଡି କ୍ଲର୍କ, ଆୟାବୋଙ୍ଗା ଖାକା, ନନକୁଲୁଲେକୋ ମଲାବା ।