କଲମ୍ବୋ, ୧୧/୧୦: ଚଳିତ  ମହିଳା ଦିନିକିଆ ବିଶ୍ୱକପ୍‌ର ୧୨ତମ  ଲିଗ୍‌ ମୁକାବିଲାରେ ଶନିବାର ଶ୍ରୀଲଙ୍କା  ଓ ଇଂଲଣ୍ଡ ସାମ୍ନା ସାମ୍ନି ହେବେ । ଇଂଲଣ୍ଡ  ପ୍ରଥମ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ପରାସ୍ତ କରି  ସାରିଛି । ଶନିବାର ଶ୍ରୀଲଙ୍କାକୁ ହରାଇ  ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ  ଇଂଲଣ୍ ପ୍ରୟାସ କରିବ । ଶ୍ରୀଲଙ୍କା ଏପର୍ଯ୍ୟନ୍ତ  ବିଜୟ ଖାତା ଖୋଲନାହିଁ । ଶନିବାର ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବାରୁ  ବିପର୍ଯ୍ୟୟ ଘଟାଇବାର ସୁଯୋଗ ରହିଛି ।  ପୂର୍ବ ରେକର୍ଡକୁ ଦେଖିଲେ ଇଂଲଣ୍ଡର  ପଲା ଭାରି ରହିବା ନିଶ୍ଚିତ । ଉଭୟ  ଦଳ ଦିନିକିଆରେ ପରସ୍ପରକୁ ୧୮ଥର  ଭେଟିଛନ୍ତି । ଏଥିରୁ ଶ୍ରୀଲଙ୍କା କେବଳ  ଗୋଟିଏ ମ୍ୟାଚ୍‌ ଜିତିଛି । ୨୦୧୩  ବିଶ୍ୱକପ୍‌ରେ ଶ୍ରୀଲଙ୍କା ବିଜୟୀ ହୋଇଥିଲା ।  

ଇଂଲଣ୍ଡକୁ ବିଜୟ ପାଇଁ  ସଂଘର୍ଷ କରିବାକୁ ପଡ଼ିବ । ଶ୍ରୀଲଙ୍କାର ସ୍ପିନ  ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଇଂଲଣ୍ଡ ପାଇଁ  ସହଜ ହେବ ନାହିଁ । ପ୍ରେମଦାସା ଷ୍ଟାଡ଼ିୟମ୍‌ର ପିଚ୍‌ ସ୍ପିନରଙ୍କୁ ଭରପୁର ସହାୟତା କରୁଛି ।  ଏହା ଶ୍ରୀଲଙ୍କାର ଘରୋଇ ଗ୍ରାଉଣ୍ଡ । ବର୍ଷ ସାରା  ଶ୍ରୀଲଙ୍କା ଦଳ ଏଠାରେ ଥିବା ଏକାଡେମୀରେ  ଅଭ୍ୟାସ କରିଥାଏ । ତେଣୁ ପିଚ୍‌ ଓ ଆଉଟ୍‌  ଫିଲ୍ଡ ସହ ଦଳ ଭଲ ଭାବେ ପରିଚିତ । ଇଂଲଣ୍ଡ ଗତ ବାଂଲାଦେଶ ବିପକ୍ଷରେ  ବିଜୟ ହାସଲ କରିଥିଲେ ହେଁ ପ୍ରାରମ୍ଭିକ  ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।  ତେଣୁ  ଶ୍ରୀଲଙ୍କାକୁ ଦୁର୍ବଳ  ଭାବିବା ମହଙ୍ଗା ସାବ୍ୟସ୍ତ ହୋଇପାରେ ।  ଶ୍ରୀଲଙ୍କାକୁ ବିଜୟ ଖାତା ଖୋଲିବାକୁ ହେଲେ ବ୍ୟାଟିଂରେ ଉନ୍ନତି ଆଣିବାକୁ ହେବ ।  

ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ମାତ୍ର ଶ୍ରୀଲଙ୍କା  ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରିପାରେ ।  ଭିଷ୍ମୀ ଗୁଣରତ୍ନେଙ୍କ ସ୍ଥାନରେ ହାସିନୀ  ପେରେରା ଓପନ କରିବା ଆଶା କରାଯାଉଛି । ଇଂଲଣ୍ଡ ପକ୍ଷରୁ ହିଥର ନାଇଟଙ୍କ ଉପରେ  ନଜର ରହିବ । ସେ ଶ୍ରୀଲଙ୍କାରେ ପୂର୍ବରୁ  ୨ଟି ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି । ପ୍ରେମଦାସା ଷ୍ଟାଡ଼ିୟମ୍‌ ପିଚ୍‌  ବ୍ୟାଟିଂ ପାଇଁ ଅନୁକୂଳ ଥିଲେ ହେଁ  ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ପ୍ରଥମ ଭାଗ ତୁଳନାରେ ଦ୍ୱିତୀୟ  ଭାଗରେ ବ୍ୟାଟିଂ ସହଜ ହେବ ।  ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ଶ୍ରୀଲଙ୍କା: ହାସିନୀ ପେରେରା, ଚାମରି  ଆଟ୍ଟାପଟୁ (ଅଧିନାୟିକା), ହର୍ଷିତା  ସମରବିକ୍ରମା, ଭିଷ୍ମୀ ଗୁଣରତ୍ନେ,  କବିଶା ଦିଲହାରୀ, ନୀଳକ୍ଷୀକା ଡି  ସିଲଭା, ଅନୁଷ୍କା ସଞ୍ଜିବନୀ, ସୁଗନ୍ଧିକା  କୁମାରୀ, ଅଚିନି କୂଳସୂରିୟା, ଉଦେଶିକା  ପ୍ରବୋଧିନୀ, ଇନୋକା ରଣାବୀରା ।

ଇଂଲଣ୍ଡ: ତାମି ବ୍ୟୁମୋଣ୍ଟ, ଆମି ଜୋନ୍ସ,  ହିଥର ନାଇଟ, ନାତାଲି ସ୍କିଭର-ବ୍ରଣ୍ଟ  (ଅଧିନାୟିକା), ଶୋଫିଆ ଡଙ୍କଲି,  ଏମା ଲାମ୍ବ, ଆଲିସ କ୍ୟାପସୀ,  ଚାର୍ଲି ଡିନ, ଶୋଫି ଏକ୍ଲେଷ୍ଟୋନ,  ଲିନସେ ସ୍ମିଥ, ଲାଉରେନ ବେଲ ।