ଗୌହାଟୀ,୦୭/୧୦: ମହିଳା ଦିନିକିଆ ବିଶ୍ୱକପ୍‌ର ଅଷ୍ଟମ ଲିଗ୍‌ ମୁକାବିଲାରେ ମଙ୍ଗଳବାର ଇଂଲଣ୍ଡ ଓ ବାଂଲାଦେଶ ସାମ୍ନାସାମ୍ନି ହେବେ । ଉଭୟ ଦଳ ନିଜ ନିଜର ପୂର୍ବ ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛନ୍ତି । ଦିନିକିଆରେ ଉଭୟ ଦଳ ଦ୍ୱିତୀୟ ଥର ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଶେଷ ଥର ୨୦୨୨  ବିଶ୍ୱକପ୍‌ରେ ଦୁଇ ଦଳ ସାମ୍ନାସାମ୍ନି ହୋଇଥିଲେ ଏବଂ  ଇଂଲଣ୍ଡ ଏହି ମ୍ୟାଚ୍‌କୁ ୧୦୦ରନ୍‌ରେ ଜିତି ସେମି  ଫାଇନାଲ୍‌ରେ ପ୍ରବେଶ କରିଥିଲା । ଆଜିର ମ୍ୟାଚ୍‌ ଜରିଆରେ ବାଂଲାଦେଶ ପ୍ରତିଶୋଧ ନେବାକୁ ସବୁ ଶକ୍ତି ଖଟାଇବ ।

୪ଥର ଚାମ୍ପିଅନ୍‌ ଇଂଲଣ୍ଡ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ  ଆଫ୍ରିକାକୁ ୧୦ ୱିକେଟ୍‌ରେ ହରାଇଥିଲା । ୩ଜଣ ସ୍ପିନର  ଲିନସେ ସ୍ମିଥ୍‌, ଚାର୍ଲି ଡିନ୍‌ ଓ ସୋଫି ଏକ୍ଲେଷ୍ଟୋନ୍‌  ଘାତକ ବୋଲିଂ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ  କରିଥିଲେ । ଦକ୍ଷିଣ ଆଫ୍ରିକା ୬୯ରନ୍‌ରେ ଅଲଆଉଟ୍‌  ହୋଇଥିଲା । ଓପନର ଟାମି ବ୍ୟୁମୋଣ୍ଟ ଓ ଆମି ଜୋନ୍ସ  ୧୪.୧ ଓଭର ମଧ୍ୟରେ ଆବଶ୍ୟକ ରନ୍‌ ସଂଗ୍ରହ  କରି ନେଇଥିଲେ । ଏମାନଙ୍କ ବ୍ୟତୀତ ଦଳରେ  ଏକାଧିକ ଷ୍ଟାର୍‌ ଖେଳାଳି ରହିଛନ୍ତି । ଅଧିନାୟିକା  ନତାଲିଆ ସ୍କିଭର-ବଣ୍ଟ୍‌ ଓ ସୋଫିଆ ଡଙ୍କ୍‌ଲୀଙ୍କ  ନିକଟରେ ଏକାକୀ ମ୍ୟାଚ୍‌ ଜିତାଇବାର କ୍ଷମତା ରହିଛି ।

ସେହିପରି ବାଂଲାଦେଶ ୭ ୱିକେଟ୍‌ରେ  ପାକିସ୍ତାନକୁ ହରାଇଥିଲା । ଏହି ମ୍ୟାଚ୍‌ରେ ମାରୁଫା  ଅକତର, ଶୋର୍ଣ୍ଣ ଅକତର ଓ ନାହିଦା ଅକତର  ପ୍ରଭାବୀ ବୋଲିଂ ପ୍ରଦର୍ଶନ କରିଥିବାବେଳେ ଓପନର ରୁବ୍ୟା ହାଇଦର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଇଂଲଣ୍ଡ ତୁଳନାରେ ବାଂଲାଦେଶ ଦୁର୍ବଳ । ଦଳରେ ମ୍ୟାଚ୍‌ ବିଜେତାଙ୍କ ଅଭାବ ରହିଛି ଏବଂ ବଡ଼ ଇନିଂସ୍‌ ଖେଳିବା ଭଳି ଖେଳାଳି ନାହାନ୍ତି ।

ଗୌହାଟୀର ବର୍ଷାପଡ଼ା କ୍ରିକେଟ୍‌  ଷ୍ଟାଡିୟମର ପିଚ୍‌ ବୋଲରଙ୍କୁ ସୁହାଉଛି ।  ଇଂଲଣ୍ଡ ଏହି ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍‌  ଖେଳିସାରିଛି । ତେଣୁ ଦଳ ପୂର୍ବ ପ୍ରଦର୍ଶନ  ଦୋହରାଇବାକୁ ଲକ୍ଷ୍ୟ ରଖିଛି ।

ସମ୍ଭାବ୍ୟ ଏକାଦଶ

ଇଂଲଣ୍ଡ: ଟାମି ବ୍ୟୁମୋଣ୍ଟ, ଆମି ଜୋନ୍ସ, ହିଦର  ନାଇଟ୍‌, ନତାଲିଆ ସ୍କିଭର-ବ୍ରଣ୍ଟ୍‌ (ଅଧିନାୟିକା),  ସୋଫିଆ ଡଙ୍କଲୀ, ଏମ୍ମା ଲ୍ୟାମ୍ବ, ଆଲିସ୍‌ କ୍ୟାପ୍‌ସୀ,  ଚାର୍ଲି ଡିନ, ସୋଫି ଏକ୍ଲେଷ୍ଟୋନ, ଲିନ୍‌ସେ ସ୍ମିଥ୍‌,  ଲାଉରେନ ବେଲ୍‌ ।

ବାଂଲାଦେଶ: ଫରଗାନା ହକ୍‌, ରୁବ୍ୟା ହାଇଦର,  ଶର୍ମିନ ଅକତର, ନିଗାର ସୁଲତାନା (ଅଧିନାୟିକା),  ଶୋଭାନା ମୋଷ୍ଟ୍ରେ, ଶୋର୍ଣ୍ଣ ଅକତର, ଫହିମା ଖାତୁନ,  ନାହିଦା ଅକତର, ରାବେୟା ଖାନ, ମାରୁଫା ଅକତର,  ନିଶିତା ଅକତର ନିଶି ।