ବିଶାଖାପଟ୍ଟନମ,୧୭/୧୦: ଚଳିତ  ମହିଳା ଦିନିକିଆ ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌  ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମି ଫାଇନାଲକୁ  ଯୋଗ୍ୟତା ଅର୍ଜନ କରିଛି । ଗୁରୁବାର ଅନୁଷ୍ଠିତ  ଟୁର୍ଣ୍ଣାମେଣ୍ଟର ୧୬ତମ ଲିଗ୍‌ ମୁକାବିଲାରେ ଦଳ  ୧୦ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରି ପଏଣ୍ଟ  ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲା । ୨ଟି ଲିଗ୍‌ ମ୍ୟାଚ ବାକି ଥାଇ ଦଳ ପଏଣ୍ଟ ତାଲିକାର ପ୍ରଥମ  ୪ ମଧ୍ୟରେ ସ୍ଥାନ ନିଶ୍ଚିତ କରିଥିଲା ।

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି  ବାଂଲାଦେଶ ୯ ୱିକେଟ୍‌ ବିନିମୟରେ ୧୯୮ ରନ  ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୨୪.୫  ଓଭରରେ କୌଣସି ୱିକେଟ୍‌ ନହରାଇ ୨୦୨ ରନ  ସଂଗ୍ରହ କରି ବିଜୟୀ ହୋଇଥିଲା । ୧୮ ରନ ପ୍ରଦାନ  କରି ୨ଟି ୱିକେଟ୍‌ ନେଇଥିବା ଆଲାନା କିଙ୍ଗ ପ୍ଲେୟାର  ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ୫ଟି  ମ୍ୟାଚ୍‌ରୁ ୪ବିଜୟ ସହ ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ  ମୋଟ୍‌ ୯ ପଏଣ୍ଟ ହାସଲ କରିଛି । ଶେଷ ୨ଟି ଲିଗ୍‌  ମ୍ୟାଚ୍‌ରେ ଦଳ ଯଥାକ୍ରମେ ଇଂଲଣ୍ଡ ଓ ଦକ୍ଷିଣ  ଆଫ୍ରିକାକୁ ଭେଟିବ।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ବାଂଲାଦେଶ  ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । ଦଳ ନିର୍ଦ୍ଧାରିତ  ଓଭରରେ ୯ ୱିକେଟ୍‌ ହରାଇ ୧୯୮ ରନ ସଂଗ୍ରହ  କରିଥିଲା । ଶୋଭନା ମୋସ୍ତାରି ଦ୍ୱିତୀୟ ଅର୍ଦ୍ଧଶତକ  ଅର୍ଜନ କରିଥିଲେ । ସେ ୯ଚୌକା ବଳରେ ୬୬ ରନ  କରି ଅପରାଜିତ ରହିଥିଲେ । ସେହିପରି ଓପନର  ରୁବ୍ୟା ହାଇଦର ୪୪ (୮ଚୌକା) ରନ୍‌ର ଏକ  ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଅତିରିକ୍ତ ଭାବେ  ଅଷ୍ଟ୍ରେଲିଆ ୨୮ ରନ ପ୍ରଦାନ କରିଥିଲା । ଅନ୍ୟମାନଙ୍କ  ମଧ୍ୟରେ ସର୍ମିନ ଅଖତର ୧୯ ଓ ନିଗାର ସୁଲତାନା ୧୨ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆସଲି  ଗାର୍ଡନର, ଆନାବେଲ ସୁଦରଲାଣ୍ଡ,  ଆଲାନା କିଙ୍ଗ ଓ ଜର୍ଜିୟା ୱାରେହାମ  ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

ଜବାବରେ ଅଷ୍ଟ୍ରେଲିଆର ଦୁଇ  ଓପନର ଆଲିସା ହିଲି ଓ ଫୋଏବ  ଲିଚଫିଲ୍ଡ ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି  ବାଂଲାଦେଶ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ ।  ପୂର୍ବ ମ୍ୟାଚ୍‌ଗୁଡ଼ିକରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ  କରିବା ସହ ଦ୍ୱିତୀୟ ଭାଗରେ ସ୍ପିନରଙ୍କ ଶୃଙ୍ଖଳିତ  ବୋଲିଂ ବଳରେ ବିପର୍ଯ୍ୟୟ ଘଟାଉଥିଲା । ମାତ୍ର  ଅଷ୍ଟ୍ରେଲିଆର ଦୁଇ ଓପନରଙ୍କ ଆଗରେ ଏହି  ରଣନୀତି ଫେଲ ମାରିଥିଲା । ଭାରତ ବିପକ୍ଷରେ  ଶତକ ଅର୍ଜନ କରି ଫର୍ମକୁ ଫେରିଥିବା ହିଲି ବାଂଲା  ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ । ଲିଚଫିଲ୍ଡ  ମଧ୍ୟ ଚୌକା ବର୍ଷା କରିଥିଲେ । ବାଂଲାଦେଶ ୬ଜଣ  ବୋଲରଙ୍କୁ ନିୟୋଜିତ କରିଥିଲା । ହେଲେ କିଛି ଫଳ  ମିଳି ନଥିଲା । ହିଲି ୭୩ଟି ବଲ୍‌ରେ ଶତକ ଅର୍ଜନ କରିଥିଲେ । ଲିଚଫିଲ୍ଡ ମଧ୍ୟ ତାଙ୍କ ସହ ତାଳ ଦେଇ  ଅର୍ଦ୍ଧଶତକ ଅର୍ଜନ କରିଥିଲେ । ୨୫.୧ ଓଭର ଖେଳ  ବାକି ଥାଇ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିଲା । ହିଲି  ୨୦ଚୌକା ବଳରେ ୧୧୩ ଓ ଲିଚଫିଲ୍ଡି ୧୨ଚୌକା  ଓ ୧ଛକା ବଳରେ ୮୪ ରନ ସଂଗ୍ରହ କରିଥିଲେ ।