ଇନ୍ଦୋର,୨୫/୧୦: ଚଳିତ ମହିଳା ଦିନିକିଆ  ବିଶ୍ୱକପ୍‌ର ୨୬ତମ ଲିଗ ମ୍ୟାଚରେ ଶନିବାର ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ । ପଏଣ୍ଟ ତାଲିକାରେ ଉଭୟ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଶନିବାର ବିଜୟୀ ଦଳ ଶୀର୍ଷ ସ୍ଥାନରେ ଲିଗ୍‌ ପର୍ଯ୍ୟାୟ ଶେଷ କରିବ ଓ ସେମିରେ ଭାରତକୁ ଭେଟିବ । ପରାଜିତ ଦଳ ଇଂଲଣ୍ଡକୁ ସାମ୍ନା କରିବ ।

ପୂର୍ବ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆର ବିଜୟ ସମ୍ଭାବନା ଅଧିକ । ଡିଫେଣ୍ଡିଂ  ଚାମ୍ପିଅନ ଦଳ ଏପର୍ଯ୍ୟନ୍ତ ସମସ୍ତ ୬ଟି ଯାକ ଲିଗ୍‌ ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଅଷ୍ଟ୍ରେଲିଆ ଆଧିପତ୍ୟ ଜାରି ରହିଛି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୧୭ଟି ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ୧୬ଟି ମ୍ୟାଚରେ ବିଜୟୀ ହୋଇ ସାରିଛି । ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେବା ଭଳି କ୍ଷମତା ଦକ୍ଷିଣ ଆଫ୍ରିକା ନିକଟରେ ରହିଛି । ଦଳ ବର୍ତ୍ତମାନ ଚମତ୍କାର ଫର୍ମରେ ରହିଛି । ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା କ୍ରମାନ୍ୱୟରେ ୪ଟି ମ୍ୟାଚରେ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆର ଚାପରେ ଦକ୍ଷିଣ ଆଫ୍ରିକା ପ୍ରଭାବିତ ହେବ ନାହିଁ ।

ଅଧିନାୟିକା ଆଲିସା ହିଲି ଶନିବାର ଖେଳିବା ନେଇ ଆଶଙ୍କା ରହିଛି । ସେ ଏପର୍ଯ୍ୟନ୍ତ ଫିଟ୍‌ ହୋଇ ନାହାନ୍ତି । ତଥାପି ତାଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆକୁ ହରାଇବା କଷ୍ଟକର। କାରଣ ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ବିଶେଷ କରି ଆନାବେଲ ସୁଦରଲାଣ୍ଡ ଓ ଆସଲି ଗାର୍ଡନର ଦକ୍ଷିଣ ଆଫ୍ରିକା ପାଇଁ ଚିନ୍ତାର କାରଣ ସାଜିବେ । ଗାର୍ଡନର ୨ଟି ଶତକ ଅର୍ଜନ କରିସାରିଛନ୍ତି । ସୁଦରଲାଣ୍ଡ ୧୫ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି ।

ଗତ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ଅପରାଜିତ ୯୮ ରନ୍‌ର ପାଳି ଖେଳିଥିଲେ । ସେହିପରି ବେଥ୍‌ ମୁନି ଗୋଟିଏ ଶତକ ଅର୍ଜନ କରିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୌରା ଉଲଭାର୍ଟ ୨୭୦ ରନ ସଂଗ୍ରହ କରିସାରିଥିବା ବେଳେ ତଜମିନ ବ୍ରିଟ୍ସ ଗୋଟିଏ ଶତକ, ମରିଜାନ କାପ ୨ଟି ଅର୍ଦ୍ଧଶତକ ଓ ୬ଟି ୱିକେଟ୍‌ ନେଇଛନ୍ତି । ନାଦିନ ଡି କ୍ଲର୍କ ୧୫୦ ଷ୍ଟ୍ରାଇକ ରେଟ୍‌ରେ ରନ ସଂଗ୍ରହ କରିଛନ୍ତି ଓ ବୋଲିଂ କରି ୫ଟି ୱିକେଟ୍‌ ନେଇଛନ୍ତି ।

ଶନିବାର ମ୍ୟାଚ୍‌ ପାଇଁ କଳା ମାଟିର ଏକ ସଚେଜ ପିଚ ପ୍ରସ୍ତୁତ ହୋଇ ରହିଛି । ଏହି ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ ରହିବ । ମାତ୍ର ରାତ୍ରିରେ କାକର ପ୍ରଭାବ ଅନୁଭୂତ ହେବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ଦକ୍ଷିଣ ଆଫ୍ରିକା: ଲୌରା ଉଲଭାର୍ଟ, ଜତମିନ ବ୍ରିଟ୍ସ,;ସୁନେ ଲୁସ, ମରିଜାନ କାପ, ଆନେକି ବସ୍କ, ସିନାଲୋ ଜାଡ଼ଟା, ଚୋଲେ ଟ୍ରିୟନ, ନାଦିନ ଡି କ୍ଲର୍କ, ମାସାବାତା କ୍ଲାସ, ଆୟୋବାଙ୍ଗା ଖାକା, ନନକୁଲୁଲେକୋ ମଲାବା ।

ଅଷ୍ଟ୍ରେଲିଆ: ଆଲିସା ହିଲି(ଅଧିନାୟିକା), ଫୋଏବ ଲିଚଫିଲ୍ଡ, ଏଲିସ ପେରୀ, ବେଥ ମୁନି, ଆନାବେଲ ସୁଦରଲାଣ୍ଡ, ଆସଲି ଗାର୍ଡନର, ତହିଲାମ୍ୟାକଗ୍ରା, ଜର୍ଜିୟା ୱାରେହମ/ଶୋଫି ମୋଲିନକ୍ସ, କିମ ଗାର୍ଥ, ଆଲାନା କିଙ୍ଗ, ମେଗାନ ସ୍କଟ୍‌ ।