ମୁମ୍ବାଇ, ୩୦/୧୦: ଚଳିତ ମହିଳା ଦିନିକିଆ ବିଶ୍ୱକପ୍ରେ ପ୍ରଥମ ଦଳ ଭାବେ ଦକ୍ଷିଣ ଆଫ୍ରିକା ଫାଇନାଲ୍ରେ ପ୍ରବେଶ କରିଛି । ବୁଧବାର ଅନୁଷ୍ଠିତ ପ୍ରଥମ ସେମି ଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ୧୨୫ ରନ୍ରେ ଇଂଲଣ୍ଡକୁ ହରାଇଥିଲା । ଆଜି ଦ୍ୱିତୀୟ ସେମି ଫାଇନାଲ୍ରେ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସାମ୍ନା ସାମ୍ନି ହେବେ । ଭାରତ ଏହି ମ୍ୟାଚ ଜିତିଲେ ତୃତୀୟ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିବ।
ଅଷ୍ଟ୍ରେଲିଆ ଡିଫେଣ୍ଡିଂ ଚାମ୍ପିଅନ୍ ଓ ୭ଥର ବିଶ୍ୱକପ୍ ଜିତି ସାରିଛି । ଲିଗ୍ ରାଉଣ୍ଡ୍ରେ ମଧ୍ୟ ଭାରତକୁ ହରାଇ ସାରିଛି ଅଷ୍ଟ୍ରେଲିଆ । ତେଣୁ ସବୁ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆର ପଲା ଭାରି ଜଣା ପଡ଼ୁଛି । ଭାରତ ମଧ୍ୟ ଘରୋଇ ଗ୍ରାଉଣ୍ଡ ଓ ସମର୍ଥନକୁ ପୁଞ୍ଜି କରି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି । ଲିଗ୍ ପର୍ଯ୍ୟାୟରେ ପରାଜିତ ହୋଇଥିଲେ ହେଁ ଅଷ୍ଟ୍ରେଲିଆକୁ ହରାଇବାର କ୍ଷମତା ଭାରତ ନିକଟରେ ରହିଛି । ପୂର୍ବରୁ ଭାରତୀୟ ଦଳ ୨୦୧୭ ବିଶ୍ୱକପ୍ ସେମି ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ହରାଇଥିଲା ।
ଏଥର ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ଭାରତକୁ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ । ଓପନିଂ ବ୍ୟାଟର ସ୍ମୃତି ମନ୍ଧନା, ଅଲ୍ରାଉଣ୍ଡର ଦୀପ୍ତି ଶର୍ମା ଓ ପେସ୍ ବୋଲର କ୍ରାନ୍ତି ଗୌଡ଼ଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଏମାନଙ୍କ ବ୍ୟତୀତ ହର୍ମନପ୍ରୀତ କୌର ଓ ଶେଫାଳି ବର୍ମାଙ୍କ ବ୍ୟାଟ୍ରୁ ବିସ୍ଫୋରକ ଇନିଂସ ବାହାରିଲେ ଭାରତର ବିଜୟ ସହଜ ହୋଇପାରିବ ।
ଘରୋଇ ଦଳ ଆହତ ପ୍ରତିକା ରାୱଲଙ୍କ ଅନୁପସ୍ଥିତି ଅନୁଭବ କରିବା ସ୍ୱାଭାବିକ । ତଥାପି ଶେଫାଳି ତାଙ୍କ ସ୍ଥାନ ପୂରଣ କରିବେ । ଦିବା ରାତ୍ର ମ୍ୟାଚ ହୋଇଥିବାରୁ ଟସର ପ୍ରଭାବ ରହିବ । ତେଣୁ ଭାରତକୁ ସବୁ ପରିସ୍ଥିତିକୁ ନଜରରେ ରଖି ରଣନୀତି ପ୍ରସ୍ତୁତ କରିବାକୁ ହେବ ।
ସମ୍ଭାବ୍ୟ ଦଳ
ଭାରତ: ସ୍ମୃତି ମନ୍ଧନା, ଶେଫାଳି ବର୍ମା,ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ କୌର(ଅଧିନାୟିକା),ହର୍ଲିନ ଦେଓଲ, ଦୀପ୍ତି ଶର୍ମା, ରିଚା ଘୋଷ, ସ୍ନେହ ରାଣା, ଶ୍ରୀ ଚରଣୀ, ରେଣୁକା ସିଂହ, କ୍ରାନ୍ତି ଗୌଡ଼ ।
ଅଷ୍ଟ୍ରେଲିଆ: ଆଲିସା ହିଲି(ଅଧିନାୟିକା), ଫୋଏବ ଲିଚଫିଲ୍ଡ, ଏଲିସ ପେରୀ, ଆନାବେଲ ସୁଦରଲାଣ୍ଡ, ବେଥ ମୁନି, ଆସଲି ଗାର୍ଡନର, ତଲିଆ ମ୍ୟାକଗ୍ରା, ଶୋଫି ମୋଲିନକ୍ସ, ଆଲାନା କିଙ୍ଗ, କିମ ଗାର୍ଥ, ମେଗାନ ସ୍କଟ୍ ।